Advertisment

Khudurukuni Osha 2024: ନଣନ୍ଦ ତଅପୋଇକୁ ଭଲ ପାଉଥିବା ଭାଉଜମାନେ କାହିଁକି ଦେଲେ ଏତେ ନିର୍ଯାତନା

ପ୍ରତ୍ୟେକ ଓଡ଼ିଆ କୁଆଁରୀ ଝିଅମାନେ ଭାଇଙ୍କ ଶୁଭ ମନାସୀ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।

ଅଦ୍ୟତନ ହୋଇଛି
Khudurukuni Osha 2024 The sad story of Tapoi

Khudurukuni Osha 2024 The sad story of Tapoi

Advertisment

ଓଡ଼ିଆଙ୍କ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ। ଏହାକୁ କେହିକେହି ଭାଲୁକୁଣି ଓଷା ତ ଆଉ କିଏ ଢିଙ୍କି ଓଷା ମଧ୍ୟ କୁହନ୍ତି। କୁଆଁରୀ ଝିଅ ମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ।

Advertisment

ଏହି ଓଷାରେ ସିଂହବାହିନୀ ମା’ ମଙ୍ଗଳାଙ୍କୁ ଖୁଦଭଜା ଲାଗି ହୋଇଥାଏ। ଖୁଦଭଜା ଠାକୁରାଣୀଙ୍କର ସବୁଠୁ ପ୍ରିୟ ବୋଲି କିମ୍ବଦନ୍ତୀ କୁହେ। ଖୁଦରୁ ଏହି ଓଷାର ନାମ ଖୁଦୁରୁକୁଣୀ ହୋଇଛି। ଗାଁମାନଙ୍କରେ ଢିଙ୍କିଶାଳରେ ଖୁଦୁରୁକୁଣୀଙ୍କୁ ପୂଜା କରାଯାଏ। ଏହି ଓଷାକୁ ନେଇ ଲିଖିତ ଏକ ବହିରେ ତଅପୋଇ କଥା ରହିଛି। ଝିଅମାନେ ତଅପୋଇ ଗୀତ ଗାଇ ଏହି ଓଷା ପାଳନ କରନ୍ତି।

ଇତିହାସରୁ ଜଣାଯାଏ, ସାଧବ ପୁଅମାନେ ଅତୀତରେ ଦେଶବିଦେଶକୁ ବଣିଜ କରିବା ପାଇଁ ଯାଉଥିଲେ। ସେହିପରି ଏକ ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ଥିଲା ତଅପୋଇ। ଭାଉଜମାନେ ତାଙ୍କୁ ଯାତନା ଦେବା ଓ ପରେ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବା ଦିନଠୁ ଏହି ଓଷାର ଆରମ୍ଭ। ତେବେ ଆସନ୍ତୁ ଏହାକୁ ନେଇ ପ୍ରଚଳିତ କାହାଣୀ ଉପରେ ନଜର ପକେଇନେବା।

Advertisment

ତଅପୋଇ କାହାଣୀ:

ଗେହ୍ଲା ଭଉଣୀ ତଅପୋଇ:

ଅଲିଅଳି ତଅପୋଇ, ସାତ ଭାଇରେ ଗୋଟିଏ ଭଉଣୀ। ଯାହା ଜିଦ୍ କରେ ତାହା ପୂରଣ ହୋଇଯାଏ। ତା’ ଜିଦିରେ ସୁବର୍ଣ୍ଣ କୁଲେଇ ତିଆରି କରିଥିଲେ ସାଧବ। ଦିନେ ୭ ଜଣ ସାଧବ ପୁଅ ଦୂର ଦେଶକୁ ବଣିଜ କରିବାକୁ ଯାଇଥିଲେ। ଆଉ ଘରେ ଛାଡି ଯାଇଥିଲେ ତାଙ୍କର ଗେହ୍ଲା ଭଉଣୀ ତଅପୋଇକୁ। ଭାଇମାନେ ଥିବା ସମୟରେ ତଅପୋଇକୁ ଯେମିତି ଭଲପାଇବା ମିଳୁଥିଲା ସେମାନେ ଗଲା ପରେ ମଧ୍ୟ ତାକୁ ସେହି ଭଲପାଇବା ଦେଉଥିଲେ ଭାଉଜମାନେ। ହେଲେ ତାହା ଥିଲା କିଛି ଦିନ ପାଇଁ।

କାହିଁକି ହେଲା ଅତ୍ୟାଚାର:

ଖୁସିରେ ଗ୍ରହଣ ଲାଗିବା ଭଳି ଘରେ ଆସି ପହଞ୍ଚିଥିଲା ରାଣ୍ଡୀ ବ୍ରାହ୍ମଣୀ। ସେ ଭାଉଜମାନଙ୍କୁ ଶିଖେଇ ନଣନ୍ଦ ତଅପୋଇକୁ ଦେଉଥିଲା ଗଞ୍ଜଣା। ଭାଉଜମାନେ ବ୍ରାହ୍ମଣୀ କଥାରେ ପଡି ତଅପୋଇକୁ ଘରକାମ ସହ ଛେଳି ଚରାଇବା ପାଇଁ କହୁଥିଲେ। ଭାତ ବଦଳରେ ଗୋଡି ମିଶା ଖୁଦ ଦେଉଥିଲେ। ଭାଇମାନେ ପାଖରେ ନ ଥିବାରୁ ତଅପୋଇ ଏକଥା କାହାରିକୁ କହିପାରୁ ନ ଥିଲା। ନିଜ କଷ୍ଟ ନିଜ ମନରେ ଚାପି କାନ୍ଦି କାନ୍ଦି ରହୁଥିଲା। କିନ୍ତୁ ସାନ ଭାଉଜ ଥିଲେ ତଅପୋଇ ସପକ୍ଷରେ। ସେ ହିଁ ତଅପୋଇକୁ ଭଲପାଉଥିଲେ। ସମସ୍ତଙ୍କୁ ଲୁଚାଇ ଖାଇବାକୁ ଦେଉଥିଲେ। ସ୍ନେହ ଆଦର କରୁଥିଲେ।

Advertisment

ସ୍ୱର୍ଣ୍ଣ ମହଲ ଛାଡି ଛେଳି ଜଗିଲା ତଅପୋଇ:

ଅନେକ ଦିନ ପରେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହୋଇଗଲା। ତଅପୋଇ ମନରେ ଭାଇମାନଙ୍କ ଫେରିବାକୁ ନେଇ ଅନେକ ଦୁଶ୍ଚିନ୍ତା ଆସିଲା।

ସାତ ଭଉଣୀଙ୍କ ଅଲିଅଳିକୁ ସ୍ୱର୍ଣ୍ଣ ମହଲ ଛାଡି ଛେଳି ଜଗିବାକୁ ପଡୁଥିଲା। ପ୍ରକୃତିର ଏକ ବିଭିଷିକାରେ ହଠାତ୍ ବଡ ଭାଉଜଙ୍କ ଛେଳି ଘରମଣୀ ଅରଣ୍ୟ ମଧ୍ୟରେ ନିରୁଦ୍ଧିଷ୍ଟ ହୋଇଗଲା। ଘରମଣୀକୁ ଖୋଜୁଥିବା ସମୟରେ ପାଖ ଗ୍ରାମରେ ସେ ହୁଳୁହୁଳି, ଶଙ୍ଖନାଦ ଶୁଣିବାକୁ ପାଇଲା। ସେଠାକୁ ଯାଇ ଦେଖେ ତ କୁମାରୀମାନେ ଖୁଦୁରୁକୁଣୀ ଓଷା କରୁଛନ୍ତି। ସେମାନଙ୍କଠାରୁ ଏହି ପର୍ବର ମହାନତା ଜାଣିବା ପରେ ସେ ମାନସିକ କଲା।

ତଅପୋଇର ଖୁଦୁରୁକୁଣୀ ଓଷା:

ଶେଷରେ ତଅପୋଇ ନଦୀ ବାଲିରେ ମାଟିରେ ମୂର୍ତ୍ତି ଗଢ଼ି ଭାଇମାନଙ୍କର ମଙ୍ଗଳମନାସୀ ଖୁଦୁରୁକୁଣୀ ଓଷା କରିଥିଲା। ପାଖରେ କିଛି ନ ଥିବାବେଳେ ଭାଉଜମାନେ ଦେଉଥିବା ଶୁଖିଲା ଖୁଦକୁ ସେ ଭୋଗ ଆକାରରେ ଠାକୁରାଣୀଙ୍କ ପାଖରେ ଭୋଗ କରୁଥିଲା। ସେଦିନ ଥିଲା ରବିବାର। ସେହିଦିନଠୁ ୫ ପାଳି ଓଷା କରିଥିଲା ତଅପୋଇ। ତା’ ଡାକ ଶୁଣି ମା’ ମଙ୍ଗଳା ବା ଖୁଦୁରୁକୁଣି ଆସିଲେ। ସେ ଘରମଣିକୁ ଫେରି ପାଇବା ସହ ତା’ ସାତ ଭାଇ ସୁରୁଖୁରରେ ଫେରିଲେ।

ଭାଇମାନଙ୍କ ଜିଦ୍‌:

ଭାଇମାନଙ୍କୁ ବନ୍ଦାପନା କରିବା ନେଇ ସବୁ ଭାଉଜମାନେ ଯାଇଥିବା ବେଳେ ତଅପୋଇକୁ ଭାଉଜମାନେ ଘରକୋଣରେ ବାନ୍ଧି ଦେଇଥିଲେ। ହେଲେ ତଅପୋଇ ନ ଆସିଲେ ସେମାନେ ବୋଇତରୁ ଓହ୍ଲାଇବୁ ନାହିଁ ବୋଲି ଭାଇମାନେ ଜିଦ୍‌ ଧରି ବସିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ କହିଥିଲେ।

ପତ୍ନୀମାନଙ୍କୁ ଦଣ୍ଡ:

ଶେଷରେ ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କାଟିବାକୁ ଭଉଣୀ ତଇପୋଇକୁ ନିର୍ଦେଶ ଦେଇଥିଲେ। ଆଉ ତଅପୋଇ ସମସ୍ତଙ୍କ ନାକ କାଟିଥିଲା ସତ ହେଲେ ସାନଭାଉଜଙ୍କ ବେକରେ ଅଳଙ୍କାର ପକାଇ ତାଙ୍କୁ ସ୍ନେହ କରିଥିଲା।

ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭୋଦୁଅଁ (ଭାଦ୍ରବ) ମାସରେ ଭାଲୁକୁଣି ଓଷା ବା ଖୁଦୁରୁକୁଣୀ ଓଷା କରିଥାନ୍ତି।

Festivals Odisha Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ