ଓଡିଆ ଘରେ ରହିଛି ବାର ମାସରେ ତେର ପର୍ବ। ସେମିତି ଏକ ପର୍ବ ହେଉଛି କାଞ୍ଚିଅଁଳା ନବମୀ। ମାର୍ଗଶିର ମାସ, କୃଷ୍ଣପକ୍ଷ ନବମୀରେ ମହିଳାମାନେ ଷଠୀଦେବୀଙ୍କର ପୂଜା କରିଥାଆନ୍ତି। ଏହାକୁ ‘କାଞ୍ଜିଅଁଳା ଓଷା’ କୁହାଯାଏ। ବିଶେଷ କରି ଉପକୂଳ ଓଡ଼ିଶାରେ ଏହା ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ପ୍ରଥମାଷ୍ଟମୀ ପରଦିନ ଏହି କାଞ୍ଜିଅଁଳା ନବମୀ ପାଳନ କରାଯାଇଥାଏ।
ଏହି ପୂଜା ବା ଓଷା ଅନ୍ୟ ଓଷା-ପୂଜା ଠାରୁ ଅତ୍ୟନ୍ତ ସ୍ୱତନ୍ତ୍ର। ଏଥିରେ ଭାତ ଏକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ ଯାହାକୁ କାଞ୍ଜି କୁହାଯାଏ। ଏହାର ଅନେକ ଗୁଣ ମଧ୍ୟ ରହିଛି। ଏହି ଓଷାରେ ପିତା ଶୁଖୁଆକୁ ବୋହୂ ବେଶରେ ସଜେଇ ପୂଜା କରାଯାଏ, ଯାହାକୁ ‘ଶୁଖୁଆ ବୋହୂ’ କୁହାଯାଏ। ଆସନ୍ତୁ ଏସବୁ ବିଷୟରେ ଜାଣିବା।
Also Read
ପୂଜା ବିଧି:
ଏଥିରେ ଗୋଟିଏ ଓଷାପୋଖରୀ ଖୋଳି, ସେଠାରେ ବାଳୁଙ୍ଗା ଧାନ, ସାରୁ, କୋଇଲିଖିଆ, ଦାସକେରେଣ୍ଡା ଆଦି ଗଛ ରଖାଯାଏ। ତା’ ନିକଟରେ, ସାତଟି ପିତାଶୁଖୁଆକୁ ହଳଦି ପାଣିରେ ଗାଧୋଇ, ସିନ୍ଦୂର ଓ କଜ୍ଜ୍ୱଳ ଲଗାଇ, ବୋହୂପରି ହଳଦି ବା ଲାଲ ରଙ୍ଗର କନା ପିନ୍ଧାଇ ରଖାଯାଏ।
ଭାତ ଓ କାଞ୍ଜି ସହିତ, ପୋଇ, ପିତାଶୁଖୁଆ, ମୂଳା ଓ କଖାରୁ ଆଦି ପଡ଼ି ଛଅ ପ୍ରକାରର ତରକାରୀ, ଛଅପ୍ରକାରର ପିଠା ଆଦି ବାଢ଼ି ପୂଜା କରାଯାଏ। ଏଥିରେ ଭୋଗ ହେଉଥିବା କାଞ୍ଜିରେ ଅଁଳା ପଡ଼ୁଥିବାରୁ ଏବଂ ଏହା କୃଷ୍ଣ ନବମୀ ତିଥିର ଓଷା ହୋଇଥିବାରୁ, ଏହାର ନାମ ‘କାଞ୍ଜିଅଁଳା ନବମୀ’ ବା ‘କାଞ୍ଜିଅଁଳା ଓଷା’।
କେତେକ ସ୍ଥାନରେ କାଞ୍ଜି ସହ ଏଣ୍ଡୁରି ପିଠା ମଧ୍ୟ ଭୋଗ କରାଯାଇଥାଏ। ପୂଜା ସରିବା ପରେ ଶୁଖୁଆ ବୋହୂକୁ ପ୍ରଣାମ କରିଥାନ୍ତି ଘରର ମହିଳା। ସେଥିପାଇଁ କୁହାଯାଏ ଏହିଦିନ ଶାଶୁ ବୋହୂକୁ ପ୍ରଣାମ କରିଥାଆନ୍ତି।
ଓଷାର କାହାଣୀ:
ଏହି ଓଷାର କାହାଣୀ ଅତ୍ୟନ୍ତ ରୋଚକ। ସାଧବଘର ସାନ ବୋହୂ ରୋଷେଇ କରିବାକୁ ଯାଇ ଦେଖିଲା, ଘରେ ପରିବା ନାହିଁ। ପଡ଼ିଶାଘର ଦୋ’ସମାଳିରୁ କଖାରୁଟିଏ ଚୋରେଇ ଆଣି ରାନ୍ଧିଲା। ତାହା ଜାଣି ପଡ଼ିଶା ଘରର ସ୍ତ୍ରୀଲୋକ, କଖାରୁ ଚୋରାଇଥିବା ଲୋକର ପିଲାଏ ମରନ୍ତୁ ବୋଲି ଅଭିଶାପ ଦେଲା।
ଫଳରେ, ସାଧବ ସାନବୋହୂ ସାତଥର ଗର୍ଭବତୀ ହୋଇ ସାତପୁଅଙ୍କୁ ଜନ୍ମ ଦେଲେ ମଧ୍ୟ, ଷଠୀ ଦେବୀ ପ୍ରତିଥର ତାଙ୍କୁ ନେଇଗଲେ। ଶେଷରେ ଅଷ୍ଟମ ଗର୍ଭରେ ଝିଅଟିଏ ହେଲା। ଷଠୀ ଦେବୀ ସାଧବ ସାନବୋହୂର ଦୁଃଖ ଜାଣି ବୁଢ଼ୀ ବେଶରେ ଆସି ତା’ ପାଖରେ ପହଞ୍ଚିଲେ। ସେ ପଡ଼ିଶା ଘରର କଖାରୁ ଚୋରିକରି ଥିବାରୁ ଅନୁତାପ କରୁଛି ବୋଲି ଜାଣି, ତାକୁ ସଦୟ ହେଲେ। ଶେଷରେ ବିଧି ଅନୁସାରେ ଷଠୀ ଦେବୀଙ୍କର କାଞ୍ଜିଅଁଳା ଓଷା କରିବାରୁ, ସାନବୋହୂ ସାତପୁଅଙ୍କୁ ଓ ଝିଅକୁ ଫେରିପାଇଲା।
ଲୋକକଥା:
ଲୋକକଥା ଅନୁଯାୟୀ, ପୂର୍ବକାଳରେ ଝିଅମାନଙ୍କ ତୁଳନାରେ ପୁଅମାନଙ୍କ ସଂଖ୍ୟା ଅଧିକ ଥିଲା। ତେଣୁ ବୋହୂଟିଏ ଖୋଜି ଆଣିବା କଷ୍ଟକର ଥିବାରୁ ବା ବୋହୂ ଅଭାବ ଥିବାରୁ ଶୁଖୁଆକୁ ବୋହୂ ଭାବେ ଘରକୁ ନିମନ୍ତ୍ରଣ କରାଯାଉଥିଲା। ଆଉ ଏହି ନିମନ୍ତ୍ରଣ ପରେ ଘରେ ଥିବା ଅବିବାହିତ ପୁଅଙ୍କର କୁଆଡେ ଶୀଘ୍ର ବିବାହ ସ୍ଥିର ହୋଇ ଯାଉଥିଲା।
ଆୟୁର୍ବେଦ ମତ:
ଆୟୁର୍ବେଦ ମତ ଅନୁଯାୟୀ, ଶୀତଦିନେ କାଞ୍ଜି ଶରୀର ପାଇଁ ବେଶ୍ ଲାଭଦାୟକ। ଏହା ପେଜ ଓ ତୋରାଣିରୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇଲେ ପେଟ ଥଣ୍ଡା ରହିଥାଏ। କାରଣ ଶୀତଦିନେ ପେଟ ଗରମ ରହୁଥିବାରୁ କିଛି ଛୋଟ ମୋଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ତେଣୁ କାଞ୍ଜି ଖାଇଲେ ଏହି ସମସ୍ୟା ଠିକ୍ ହୋଇଥାଏ।
ଉଭୟ କାଞ୍ଜି ଓ ଅଁଳା ଶୀତଦିନର ସ୍ୱାସ୍ଥ୍ୟପାଇଁ ଉପଯୋଗୀ। କାଞ୍ଜି ଲଘୁପାକ ଓ ଅରୁଚି ନିବାରକ। ପୁଣି ଏଥିରେ ଖାଦ୍ୟସାର (ଖ), ଲୌହ ଓ କ୍ୟାଲ୍ସିୟମ୍ ଆଦି ଥାଏ। ଏଣୁ ଶୀତଦିନରେ ଓଠକଡ଼ ଫାଟିବାରୁ ଏହା ରକ୍ଷାକରେ। ଶୀତଦିନିଆ ବାୟୁ ଓ କଫ ବିକାର ମଧ୍ୟ ଏହାଦ୍ୱାରା ନାଶ ହୁଏ।
ଏହାଛଡ଼ା ପୋଇ, ପିତାଶୁଖୁଆ, ମୂଳା ଓ କଖାରୁ ଆଦିର ତରକାରୀ ମଧ୍ୟ ଶୀତଦିନରେ ଆମ ଶରୀର ପାଇଁ ଅତି ଉପଯୋଗୀ। ଏଣୁ କାଞ୍ଜିଅଁଳା ଓଷା କଥା ଆମକୁ କେବଳ ନୀତିଶିକ୍ଷା ଦିଏ ନାହିଁ, ଏଥିରୁ ଆମକୁ ସ୍ୱାସ୍ଥ୍ୟରକ୍ଷାର ମୂଲ୍ୟବାନ ବାର୍ତ୍ତା ମଧ୍ୟ ମିଳିଥାଏ।
କାଞ୍ଜିର ଫାଇଦା –
ବଳକାରକ:
ଶୀତଦିନ ହେତୁ ଅଧିକ ପରିମାଣରେ ମିଳୁଥିବା ସବୁଜ ପନିପରିବାରେ ଅଧିକ ଖାଦ୍ୟସାର ରହିଥାଏ। ଫଳରେ ଏଥିରେ ପ୍ରସ୍ତୁତ କାଞ୍ଜି ଦେହ ପାଇଁ ବଳକାରକ ହୋଇଥାଏ।
ଆଣ୍ଠୁଗଣ୍ଠି ବାତ କମେ:
ଶୀତ ଦିନେ ନିୟମିତ କାଞ୍ଜି ଖାଇଲେ ଆଣ୍ଠୁଗଣ୍ଠି ବାତ ହେବାର ସମ୍ଭାବନା କମିଯାଇଥାଏ।
ଆଖି ପାଇଁ ଲାଭ:
ଶୀତଦିନେ କାଞ୍ଜି ଖାଇବା ଦ୍ୱାରା କେବଳ ଆଖିକୁ ସୁସ୍ଥ ରଖାଯାଏ ନାହିଁ ବରଂ ଆଖିର ଦୃଶ୍ୟ ଶକ୍ତି ମଧ୍ୟ ଉନ୍ନତି ହୋଇଥାଏ। କାଞ୍ଜିରେ ଥିବା ଆଣ୍ଟୋସିୟାନିନ୍ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
କୋଷ୍ଠକାଠିନ୍ୟରୁ ମୁକ୍ତି:
ଶୀତଦିନେ କୋଷ୍ଠକାଠିନ୍ୟର ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ। ଏଭଳି ପରିସ୍ଥିତିରେ କାଞ୍ଜି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ସହଜରେ ଭଲ ହୋଇପାରିବ। ବିଟ୍ ଏବଂ ଗାଜରରେ ତିଆରି କାଞ୍ଜିରେ ପ୍ରଚୁର ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ସମସ୍ୟା ଦୂର କରି ପେଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ଶକ୍ତିରେ ପରିପୂର୍ଣ୍ଣ:
ଶୀତଦିନେ କାଞ୍ଜି ଖାଇବା ଶରୀରକୁ ତତକ୍ଷଣାତ୍ ଶକ୍ତି ଦେଇଥାଏ। କାଞ୍ଜି କାର୍ବୋହାଇଡ୍ରେଟରେ ଭରପୂର। ଏହାକୁ ପିଇବା କେବଳ ଶରୀରକୁ ଶକ୍ତି ଯୋଗାଏ ନାହିଁ ବରଂ ଶରୀରରୁ ଦୁର୍ବଳତାକୁ ମଧ୍ୟ ସହଜରେ ଦୂର କରିଥାଏ। ଯଦି ଆପଣଙ୍କ ମୁଣ୍ଡ ବୁଲାଇବା ସମସ୍ୟା ଅଛି, ତେବେ କାଞ୍ଜି ପିଇବା ଆରମ୍ଭ କରନ୍ତୁ।
ଫୁଲା କମାଇବା:
ଶୀତଦିନେ କାଞ୍ଜି ଖାଇବା ଦ୍ୱାରା ଶରୀରର ଫୁଲା ସମସ୍ୟା ଥିଲେ କମିଯାଏ। କାଞ୍ଜିରେ ବ୍ୟବହୃତ ଗାଜର କେବଳ ଶରୀରରୁ ଫୁଲା ଦୂର କରିବାରେ ସାହାଯ୍ୟ କରେ ନାହିଁ ବରଂ ପରିସ୍ରା ସଂକ୍ରମଣକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ।
ହଜମ ପ୍ରକ୍ରିୟାକୁ ମଜବୁତ କର:
ଶୀତଦିନେ କାଞ୍ଜି ଖାଇବା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ। ଏହାକୁ ପିଇବା ଦ୍ୱାରା ବଦହଜମୀ, ଗ୍ୟାସ୍ ଏବଂ ଅମ୍ଳତା ଦୂର ହୋଇଥାଏ। କାଞ୍ଜି ପିଇବା ଦ୍ୱାରା ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ଏବଂ ପେଟ ମଧ୍ୟ ସୁସ୍ଥ ରହିଥାଏ। କାଞ୍ଜି ପିଇବା ଦ୍ୱାରା ପେଟରେ ଭଲ ବ୍ୟାକ୍ଟେରିଆ ବଢିଥାଏ।
କିପରି କରିବେ ପ୍ରସ୍ତୁତ:
ପ୍ରଥମେ ଭାତକୁ ରାନ୍ଧି ଏହାକୁ ପଖାଳି ଦିଆଯାଏ। ଏହାର ତୋରାଣିକୁ ଦୁଇଦିନ ଧରି ସାଇତି ରଖାଯାଏ। ଏହାପରେ ସେଥିରେ ହଳଦୀ, ଲୁଣ, ମୂଳା, ସାରୁ ଓ ଅନ୍ୟାନ୍ୟ ମୂଳ ଜାତୀୟ ପରିବା ପକାଇ ସିଝାଯାଏ। ଏସବୁ ଭଲଭାବେ ସିଝିଗଲା ପରେ ସେଥିରେ ଫୁଟଣ ଓ ଭୃଷଙ୍ଗ ପତ୍ର ଦେଇ ଫୁଟାଇ ଉଷୁମ ଉଷୁମ ଖିଆଯାଇଥାଏ।