• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଡ଼ ବଡୁଆ ହୋ..ଅନ୍ଧାରରେ ଆସ, ଆଲୁଅରେ ଯା..ବାଇଶି ପାହାଚେ ମହାପ୍ରସାଦ ପାଇ ଗଡ଼ଗଡ଼ଉ ଥାଅ । ପବିତ୍ର ମନ, ପ୍ରାଣ ଓ ଭାବନା ଭିତରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏ ହେଉଛି ବଡ଼ବଡୁଆ ଡାକର ପରମ୍ପରା । କି ପୁରୁଷ, କି ମହିଳା, କି ବୟସ୍କ, କି ଯୁବା ଶ୍ରୀକ୍ଷେତ୍ର ଆସି ଶ୍ରୀମନ୍ଦିର ସମ୍ମୁଖରେ କାଉଁରୀ କାଠି ଜାଳି ଆଜି ବଡ଼ ବଡ଼ୁଆ ଡାକ ପକାଇଛନ୍ତି ଶ୍ରଦ୍ଧାଳୁ ।

ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାରୁ ମହାଳୟା ଯାଏଁ ପିତୃପୁରୁଷଙ୍କ ଶ୍ରାଦ୍ଧବେଳେ ସେମାନେ ମର୍ତ୍ତ୍ୟରେ ରହିଯାଇଥାନ୍ତି । ତେଣୁ ଆଜିର ତିଥିରେ ପ୍ରୟାଶ୍ରାଦ୍ଧ ଗ୍ରହଣ କରି ଉଜ୍ଜ୍ୱଳ ଆଲୋକ ଦର୍ଶନ ସହ ସ୍ୱସ୍ଥାନକୁ ଫେରିଯାଆନ୍ତି । ବିଶ୍ୱାସ ରହିଛି, ବାଇଶି ପାହାଚରେ ହେଉ କିମ୍ବା ବଡ଼ଦାଣ୍ଡରେ ପୟାଶ୍ରାଦ୍ଧ କଲେ ସପରିବାର ଉପରେ ପିତୃପୁରୁଷଙ୍କ ଶୁଭଦୃଷ୍ଟି ଥାଏ ।

ଏହି ଆସ୍ଥା ଆଉ ବିଶ୍ୱାସକୁ ଧରି ସାତ ଦରିଆ ପାରି ହୋଇ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ବିଦେଶୀ ଶ୍ରଦ୍ଧାଳୁଟିଏ । ଭାବ ଆଉ ଆବେଗମୟ ପରିବେଶ ଭିତରେ ନିଜେ ବି ମନେ ପକାଇଥିଲେ ନ୍ୟୁଜିଲାଣ୍ଡରେ ରହୁଥିବା ନିଜର ପୂର୍ବ ସୂରୀଙ୍କୁ, ସାତ ପୁରୁଷଙ୍କୁ । ଆଉ ତାଙ୍କ ନିବେଦନକୁ ରକ୍ଷା କରି ସହାୟତା କରିଥିଲେ ଜଣେ ଓଡ଼ିଆ ପୁରୋହିତ । ପୁରୋହିତଙ୍କ ଉଚ୍ଚାରଣ ସହ ତାଳ ଦେଇ ବିଦେଶୀ ପର୍ଯ୍ୟଟକ ବଡ଼ବଡ଼ୁଆ ଡାକ ପକାଇଥିଲେ ବଡ଼ଦାଣ୍ଡରେ, ତାପୁଣି ଓଡ଼ିଆ ଭାଷାରେ ।

ପୟାଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ର ବି ଥିଲା ଚଳଚଞ୍ଚଳ । ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସାମ୍ନାରେ କାଉଁରିଆ କାଠି ଜାଳି ବଡ଼ବଡ଼ୁଆ ଡାକ ପକାଇଥିଲେ ଶ୍ରଦ୍ଧାଳୁ । ସେହିପରି ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର କୂଳରେ ପିଣ୍ଡ ପକାଇ ପିତୃପୁରୁଷଙ୍କ ପୟାଶ୍ରାଦ୍ଧ କରିଥିଲେ ।

ବଡ଼ବଡୁଆ ଡାକ ପରମ୍ପରା ଭିତରେ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି କଳା ଚାତୁରୀର ନୂଆ କାରିଗରୀ । ସୁକ୍ଷ୍ମ ସୁତାର କାରିଗରିକୁ ନେଇ ଚର୍ଚ୍ଚିତ କେନ୍ଦୁପାଲି ଗାଁର ବୁଣାକାର ମନୋଜ ମେହେର ତିଆରି କରିଛନ୍ତି ଦୀପାବଳି ଶାଢ଼ୀ । ଯେଉଁଥିରେ ଦୀପାବଳି ଶୁଭେଛାର ବାର୍ତ୍ତା ତ ଅଛି, ତା’ସହ ଗାଁ ଦାଣ୍ଡରେ ଆଖୁଦଣ୍ଡଧରି ବାହାରୁଥିବା ଭୁଲିଆ ସମ୍ପ୍ରଦାୟର ଶୋଭାଯାତ୍ରାର ଝଲକ ଦେଖିବାକୁ ମିଳିଛି । ଶୋଭାଯାତ୍ରାବେଳର ଗୀତ ଅଜା ବାହାବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜଲେ ଯାବେ ପଦକୁ ସ୍ଥାନିତ କରାଯାଇଛି ଶାଢ଼ୀରେ । ଶାଢୀକୁ ପ୍ରସ୍ତୁତ ପାଇଁ ମାସେ ଲାଗିଥିବାବେଳେ ଏହାର ଦାମ୍ ରହିଛି ୨୭ ହଜାର ଟଙ୍କା ।

ସେପଟେ ମା’ କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ଆଜି ବେଦମାତା ବେଶରେ ଦର୍ଶନ ଦେଉଛନ୍ତି । ସାତ ଦିନ ଧରି ସେ ସପ୍ତମାତୃକା ବେଶରେ ଦର୍ଶନ ଦେବେ । ଭୁବନେଶ୍ୱର ସତ୍ୟନଗରରେ ବି ଆରମ୍ଭ ହୋଇଛି ମା’କାଳୀଙ୍କ ପୂଜାର୍ଚ୍ଚନା । ସେହିପରି ଯାଜପୁରରେ ଏଥର ୧୮ଟି ମଣ୍ଡପରେ ମାକାଳୀଙ୍କ ପୂଜା କରାଯାଉଥିବାବେଳେ କଟକର ବିଭିନ୍ନ ସ୍ଥାନରେ ବି କାଳୀପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି ।