Advertisment

ହକି ଫିଭର୍: ପୂଜା ମଣ୍ଡପରେ ଲାଗିବ ଏଲ୍ଇଡି ସ୍କ୍ରିନ, ଖେଳାଳିଙ୍କ କଟଆଉଟ୍

ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ।

ଅଦ୍ୟତନ ହୋଇଛି
Hockey fever grips Odisha

Hockey fever grips Odisha

Advertisment

ପୁରୁଷ ହକି ବିଶ୍ୱକପ୍ ୨୦୨୩ ପାଇଁ ଧକ୍ ଧକ୍ କଲାଣି ରାଉରକେଲାର ଛାତି। ଓଡ଼ିଶା ହକିର ଏନ୍ତୁଡ଼ିଶାଳରେ ଓ୍ୱାର୍ଲଡ କପ୍ ହକି ଫିଭର୍। ଟୁର୍ଣ୍ଣାମେଣ୍ଟକୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ସଜେଇ ହେଲାଣି ଇସ୍ପାତ ନଗରୀ। ସମସ୍ତଙ୍କୁ ସ୍ବାଗତ କରିବାକୁ ବିମାନ ଘାଟି ନିକଟରେ ଅପେକ୍ଷା କରିଛି ୪୦ ଫୁଟ୍‌ର ହକି ପ୍ଲେୟାରଙ୍କ ମୂର୍ତ୍ତି। ହକି ଛକ ପାଇଛି ନୂଆ ଜୀବନ, ସେଠାରେ ହକି ଲିଜେଣ୍ଡଙ୍କ ପ୍ରତିମୂର୍ତ୍ତି କାନ୍ଥ ବାଡ଼ରେ ଭର୍ତ୍ତି ହୋଇଛି। ହକିମୟ ହୋଇଛି ପୁରା ସହର।  ଆସନ୍ତା ଜାନୁଆରି ୧୩ରେ ହକି ଓ୍ୱାର୍ଲଡ୍ କପ୍‌ର ଉଦଘାଟନୀ ଉତ୍ସବ ରାଉରକେଲାରେ ହେବା ସହିତ ଟୁର୍ଣ୍ଣାମେଣ୍ଟର ୨୦ଟି ମ୍ୟାଚ ବି ଏଠାରେ ହେବ। ତେଣୁ ସହରକୁ ବାହାଘର ଭଳି ସଜ୍ଜିତ କରାଗଲାଣି। ରାସ୍ତାଘାଟ, ଫୁଥ୍‌ପାଥଠୁ ଆରମ୍ଭ କରି ବ୍ରାହ୍ମଣୀ ସେତୁ ଯାଏ-ଭିତ୍ତିଭୂମିର ବିକାଶ ସହିତ ଫାଉଣ୍ଟେନ, ଲାଇଟିଂରେ ଏବେଠୁ ଝଲସିଲାଣି ରାଉରକେଲା।

Advertisment

ରାଉରକେଲା ପରି ଭୁବନେଶ୍ୱରରେ ମଧ୍ୟ ଜୋରସୋରରେ କାମ ଚାଲିଛି। ସଫା ସୁତୁରା ସହିତ ସହର ସାରା ଚାଲିଛି ପେଣ୍ଟିଂ। ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ। ଏଥିପାଇଁ ପୂଜା ମଣ୍ଡପଗୁଡ଼ିକ ସହିତ ହୋଇଛି ଆଲୋଚନା। ନିଷ୍ପତ୍ତି ଅନୁସାରେ ମ୍ୟାଚ ଦେଖିବାକୁ ପୂଜା ମଣ୍ଡପରେ ଲାଗିବ ବଡ଼ ବଡ଼ ସ୍କ୍ରିନ। ହକି ଫ୍ଲେଭର୍ ଦେବାକୁ ଲାଗିବ ପ୍ଲେୟାରଙ୍କ ବଡ଼ ବଡ଼ କଟ୍ ଆଉଟ୍। ଅତିଥିଙ୍କୁ ସ୍ୱାଗତ କରାଯିବାର ବି ବ୍ୟବସ୍ଥା ହେବ। କାର୍ଯ୍ୟକ୍ରମରେ କ୍ୟାବ୍, ଅଟୋ ଚାଳକ, ଅନଲାଇନ୍ ଫୁଡ୍ ଡେଲିଭରି ବୟଙ୍କୁ ମଧ୍ୟ କରାଯାଇଛି ସାମିଲ। ଏମାନେ ନିଜ ନିଜ ଗାଡ଼ିକୁ ହକି ଥିମ୍‌ରେ ସଜ୍ଜିତ କରିବେ। ପିନ୍ଧିବେ ସଫା ଟୋପି, ଟି ସାର୍ଟ  ଅତିଥିଙ୍କୁ ଭଲ ବ୍ୟବହାର ଦେଖାଇବେ। ଏଥିରେ ସେମାନଙ୍କୁ ସାହାଯ୍ୟ କରିବ ବିଏମ୍‌ସି। ନିଜ ନିଜ ଦୋକାନକୁ ସଫା ସୁତୁରା ରଖିବାକୁ ବ୍ୟବସାୟୀଙ୍କୁ କୁହାଯାଇଛି।

ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିଶ୍ୱକପ୍ ହକି ସଂପର୍କିତ କାର୍ଯ୍ୟକ୍ରମ। ମିନି ମାରାଥନ ସହିତ ବୁଲିବ ଟୁର୍ଣ୍ଣାମେଣ୍ଟର ଟ୍ରଫି।  ହକି ଥିମ୍‌ରେ ସ୍କୁଲ କଲେଜର ବିଭିନ୍ନ ପ୍ରତିଯୋଗିତା ସହିତ ରଙ୍ଗୋଲି ପ୍ରତିଯୋଗିତା ବି ହେବ। ସହର ସାରା ଲାଗିବ ପୋଷ୍ଟର ବ୍ୟାନର। 

Advertisment

(ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡି ଓ ରାଉରକେଲାରୁ ପଓ୍ୱନ ତିଓ୍ୱାରୀଙ୍କ ରିପୋର୍ଟ)

Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ