Advertisment

Ashokastami & Lingaraj Ratha Jatra: ସତରେ କ’ଣ ରୁକୁଣା ରଥ ଅଣଲେଉଟା ? ତାହେଲେ ରଥରେ ପ୍ରଭୁ ଲିଙ୍ଗରାଜଙ୍କ ସିଂହାସନ ପଛ ପଟାଟି ଖୋଲି ଦିଆଯାଏ କାହିଁକି ?

ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରାକୁ ନେଇ ନାନା କଥା ଶୁଣିବାକୁ ମିଳେ। ରୋଚକ ପୌରାଣିକ କାହାଣୀ ମଧ୍ୟ ରହିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ଅଶୋକାଷ୍ଟମୀରେ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା।

author-image
Sarojini Sankhua
ଅଦ୍ୟତନ ହୋଇଛି
History and significance of ashokastami lingaraj ratha jatra odisha

History and significance of ashokastami lingaraj ratha jatra odisha

ଓଡ଼ିଶାରେ ରଥଯାତ୍ରା ଉତ୍ସବ ଏକ ପ୍ରଧାନ ପର୍ବ। ଏହି ଉତ୍ସବ ଆଷାଢ଼ ମାସରେ ଏବଂ ଚୈତ୍ର ମାସରେ ହୋଇଥାଏ। ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ। ଏହି ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ। ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ।

Advertisment

ଅଶୋକାଷ୍ଟମୀର ମହତ୍ତ୍ଵ

ରାମନବମୀ ପୂର୍ବଦିନ ଅଶୋକ ନାମ ଯୋଡ଼ିହୋଇ ଥିବାରୁ ଅଶୋକବନ କଥା ମନକୁ ଆସେ। ଏହିଦିନ ମାତା ସୀତା, ଅଶୋକ ବନରେ ଜଳପାନ କରି ଦୁଃଖ ଭୁଲି ଯାଇଥିବାରୁ ସେହିଦିନଠାରୁ ଏହିଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି।

ପୁରାଣ ଅନୁସାରେ, ରାବଣ ଦ୍ଵାରା ଅପହୃତା ମାତା ସୀତା, ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ିଦ୍ୱାରା ଶିବଙ୍କ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂର କରିବା ତଥା ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହିଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ କରି ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି।

Advertisment

ଲିଙ୍ଗରାଜଙ୍କ ରଥଯାତ୍ରା

ଅଶୋକଙ୍କ ପରେ ଓଡ଼ିଶାରେ ବୌଦ୍ଧ ସଂସ୍କୃତିକୁ ଆତ୍ମସାତ କଲା ଶୈବ ସଂସ୍କୃତି। ସେହି ଅନୁସାରେ ଅଶୋକଙ୍କ ବିଜୟ ରଥରେ ବୁଦ୍ଧଙ୍କ ପରିବର୍ତ୍ତେ ଶିବ ବା ମହାଦେବଙ୍କ ବିଜେ ପ୍ରତିମା ସ୍ଥାନ ପାଇଲେ। ଏହାପରେ ଯେତେବେଳେ ଉତ୍କଳୀୟ ରାଜା, ବୈଷ୍ଣବ ଧର୍ମରେ ଅନୁପ୍ରାଣିତ ହେଲେ, ସେତେବେଳେ ଶିବମୂର୍ତ୍ତି ସହିତ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ତାଙ୍କ ପାର୍ଶ୍ୱଦେଶରେ ରୁକ୍ମିଣୀଙ୍କୁ ବସାଇଦେଲେ ଓ ରଥଟିର ନାମ ରୁକୁଣାରଥ ଦେଲେ। ରୁକୁଣାର ଥର ଦିଅଁମାନେ ରଥରୁ ଓହ୍ଲାଇ ଯେଉଁ ମନ୍ଦିରରେ ରୁହନ୍ତି, ତାହା ରାମେଶ୍ବର ମନ୍ଦିର ନାମରେ ପ୍ରସିଦ୍ଧ।

ରଥଯାତ୍ରା ନୀତି

ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ, ପ୍ରଥମେ ରୁକୁଣା ରଥକୁ ପୂଜା କରାଯାଏ। ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି।

ରୁକୁଣା ରଥର ନାମକରଣ

କେତେକ ପୁରାଣର ବର୍ଣ୍ଣନା ଅନୁସାରେ, ପାର୍ବତୀ ଏହି ଅଶୋକାଷ୍ଟମୀ ଦିନ ଶିବଙ୍କୁ ପତି ରୂପେ ଲାଭ କରି ଶୋକମୁକ୍ତ ହୋଇଥିଲେ। ରୁକ୍ମବର୍ଣ୍ଣା ଅର୍ଥାତ୍ ସୁବର୍ଣ୍ଣ ବର୍ଣ୍ଣା ଦେବୀ ପାର୍ବତୀଙ୍କ ନାମ ଅନୁସାରେ ରଥର ନାମ ରୁକ୍ମଣା ରଥ ବା ରୁକୁଣା ରଥ ହୋଇଛି। ଭୀଷ୍ମକ ରାଜକନ୍ୟା ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣ ହରଣ କରି ଆଣିଥିଲେ। ସେ ରଥ ଆଉ ଫେରି ନଥିଲା। ତେଣୁ ଭୁବନେଶ୍ୱର ଲିଙ୍ଗରଜଙ୍କ ରଥଙ୍କୁ ‘ରୁକୁଣା ରଥ ଅଣଲେଉଟା’ ବୋଲି କୁହନ୍ତି। କିନ୍ତୁ ଏହା ଠିକ୍ ନୁହେଁ। କାରଣ ଏହି ରଥରେ, ୫ମ ଦିନ ଲିଙ୍ଗରାଜ ମହାପ୍ରଭୂ ସପରିବାର ସ୍ଵସ୍ଥାନକୁ ବାହୁଡ଼ା ଯାତ୍ରା କରନ୍ତି। ସମ୍ଭବତଃ ‘ଅଣଲେଉଟା’ କଥାଟି ରଖିବା ପାଇଁ ଲିଙ୍ଗରାଜଙ୍କ ରଥର ମୁହଁକୁ ନ ବୁଲାଇ ସିଂହାସନ ପଛରେ ଥିବା ପଟାଟି ଖୋଲି ଦିଅନ୍ତି। ସେହ ପଟାଟି ପୁଣି ବିପରୀତ ପାଖରେ ଲଗାଇ ରଥର ମୁଖ ପରିବର୍ତ୍ତନ କରଯାଏ।

ମରିଚି କୁଣ୍ଡ ଜଳ ନିଲାମ

ଅଶୋକାଷ୍ଟ୍ରମୀ ଯାତ୍ରାର ଅନ୍ୟଏକ ଆକର୍ଷଣୀୟ ଦୃଶ୍ୟ ହେଉଛି, ଏକାମ୍ର କାନନରେ ମରିଚିକୁଣ୍ଡର ଜଳ ନିଲାମ। କେଦାରଗୌରୀ ମନ୍ଦିର ନିକଟସ୍ଥ ମରିଚି କୁଣ୍ଡର ଜଳରେ ପ୍ରଥମେ ସ୍ନାନ କଲେ ବନ୍ଧ୍ଯା ସ୍ତ୍ରୀ ପୁତ୍ରବତୀ ହୁଏ ବୋଲି ବହୁ ଲେକଙ୍କ ବିଶ୍ବାସ। ମରିଚି କୁଣ୍ଡ ଏହି ଅଶୋକାଷ୍ଟମୀ ଦିନ ସକ୍ରିୟ ହୋଇଉଠେ। ଅଷ୍ଟମୀ ପୂର୍ବ ରାତି ଅଧରୁ ସନ୍ତାନ ଅଭିଳାଷି ମହିଳାମାନେ ନିଜ ନିଜ ପଣ୍ଡା ଓ ସେବକଙ୍କ ଜରିଆରେ ବହୁ ସଂଖ୍ୟାରେ ସମବେତ ହୋଇ କୁଣ୍ଡର ଜଳ ନିଲାମ ଡାକିବା ବିଧି ଗଡ଼ି ଆସୁଛି ଏବଂ ଏହି ଲୋକଚଳଣି ତଥା ହିନ୍ଦୁ ବିଶ୍ଵାସ, ଏପର୍ଯ୍ୟନ୍ତ ମଧ୍ୟ ଶୃଙ୍ଖଳା ତଥା ନିଷ୍ଠାର ସହିତ ପାଳନ ହୋଇ ଆସୁଛି।

ପ୍ରଭୁ ରାମଙ୍କ ଦ୍ୱାରା ପୂଜା

କୁହାଯାଏ ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ, କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜାର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ।

ପ୍ରତ୍ୟେକ ବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି।

ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାଳିତ ହୁଏ।

Lord Lingaraj Temple Rukuna Rath Yatra Lord Lingaraj Rukuna Rath Rath Jatra Ashokastami
Advertisment
Advertisment