ଗ୍ରହଣ ପାଇଁ ସଅଳ ସରିଲା କୁଆଁର ପୂନେଇଁ ପୂଜା, ଚନ୍ଦ୍ରକୁ ନଦେଖି ଦିନରେ ଆଞ୍ଜୁଳି ଟେକିଲେ କୁମାରୀ

ଆଗୁଆ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା । ରାତି ୧ଟା ୫ ମିନିଟରୁ ୨ଟା ୨୨ ଯାଏଁ ଗ୍ରହଣ ।

Kumara Purnima

ଚାନ୍ଦ ବସିଲା, ଆଞ୍ଜୁଳି ବି ଟେକା ହେଲା । ତୁଳସୀ ଚଉରା ଆଗରେ ବନ୍ଦାପନା କଲେ କୁମାରୀ । ସୁନ୍ଦର ବର ମନାସି କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ବି କରିଛନ୍ତି । ହେଲେ ଆକାଶରେ ଏଥର ଚାନ୍ଦର ଦେଖାନଥିଲା । କାରଣ ଯେଉଁ ପୂଜା ସନ୍ଧ୍ୟାରେ ହେବା କଥା ତାହା ଦିନରେ ହୋଇଛି । ଗ୍ରହଣ ଲାଗୁଥିବାରୁ ଅପହାହ୍ଣ ୪ଟା ପୂର୍ବରୁ ସରିଛି କୁମାର ପୂର୍ଣ୍ଣମୀ ପୂଜା ।

ସେହିପରି ଦିନର ଆଲୁଅରେ ହିଁ ଉଦଯାପିତ ହୋଇଛି କୁମାରୀଙ୍କ ମାସେ ଧରି ଚାଲିଥିବା ଜହ୍ନି ଓଷା। ମା ବୃନ୍ଦାବତୀଙ୍କ ପାଖରେ ବ୍ରତ ସାରିଛନ୍ତି କୁମାରୀ । କେବଳ ପୂର୍ଣ୍ଣମୀ ପୂଜା କାହିଁକି, ଧନଦାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା ବି ଆରମ୍ଭ ହୋଇଛି ଦିନରେ । ଗ୍ରହଣ ଲାଗୁଥିବାରୁ ସକାଳ ୮ଟାରୁ ଜଳ ଯାତ୍ରା ଆରମ୍ଭ ହୋଇ ଘଟ ସ୍ଥାପନ ହୋଇଥିଲା । ପରେ ମଣ୍ଡପରେ ତୁରନ୍ତ ପୂଜା ଆରମ୍ଭ ହୋଇଥିଲା ।

ତୁଳସୀ କ୍ଷେତ୍ର କେନ୍ଦ୍ରାପଡା ଓ ଅନୁଗୁଳରେ ସକାଳୁ ସକାଳୁ ମନ୍ତ୍ର ଉଚ୍ଚାରଣରେ ଫାଟି ପଡିଥିଲା ପୂଜା ମଣ୍ଡପ । ଗ୍ରହଣ ଲାଗୁଥିବାରୁ ସଅଳ ପୂଜା ପାଇଥିଲେ ମା ଅନ୍ନପୂର୍ଣ୍ଣା । ସେପଟେ ଚନ୍ଦ୍ରଗ୍ରହଣ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି । ପ୍ରଚଣ୍ଡ ଖରାରେ ଚକ୍ରରାଜ ସୁଦର୍ଶନ ଅଙ୍ଗିରା, ଭୃଗୁ ଏବଂ କଣ୍ଡୁ, ତିନି ଆଶ୍ରମ ପରିକ୍ରମା କରି ରତ୍ନ ସିଂହାସନରେ ବିଜେ କରିଛନ୍ତି ।

ରାତି ଗୋଟାଏ ୫ ମିନିଟ୍ ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ରାତି ୧ଟା ୪୪ ମିନିଟ୍ ୦୩ ସେକେଣ୍ଡରେ ମଧ୍ୟାନ୍ତର ହୋଇ ରାତି ୨ଟା ୨୨ ମିନିଟ୍ ୩୮ ସେକେଣ୍ଡରେ ସର୍ବମୋକ୍ଷ ହେବ। ଗ୍ରହଣର ଅବଧି ରହିବ ମୋଟ୍ ୧ ଘଣ୍ଟା ୧୯ ମିନିଟ୍। ତେଣୁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଥିଲା। ଅପରାହ୍ନ ୪ଟା ୫ରୁ ହାଣ୍ଡିଛାଡ଼ କରାଯାଇଥିବା ବେଳେ ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିଛି।

ଗ୍ରହଣ ସର୍ବମୋକ୍ଷ ଅର୍ଥାତ ରାତି ୨ଟା ୨୪ ମିନିଟ୍ ପରେ ସ୍ନାନାଦି କର୍ମ ସାରି ପୁଣି ପୂଜାନୀତି ଓ ରୋଷେଇ କରିହେବ।

ମଧ୍ୟରାତ୍ରିରେ ଭାରତର ପ୍ରାୟ ସମସ୍ତ ସ୍ଥାନରୁ ଚନ୍ଦ୍ରଗ୍ରହଣକୁ ଦେଖି ହେବ। ଭାରତ ସମେତ ଏସିଆ, ଅଷ୍ଟ୍ରେଲିଆ, ୟୁରୋପ, ଆଫ୍ରିକା ଓ ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ।