Advertisment

ବିଜୟା ଦଶମୀରେ ପ୍ରଫୁଲ୍ଲିତ ଚଉଦିଗ; କେଉଁଠି ଦହିପଖାଳ, କେଉଁଠି ମାଛ ଭୋଗ

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

Flourishing everywhere in Vijaya Dashami

Flourishing everywhere in Vijaya Dashami

Advertisment

ଆଜି ଦଶହରା, ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ଓ ଅସତ୍ୟ ଉପରେ ସତ୍ୟର ବିଜୟ ଦିନ। ଆଜିର ଦିନରେ ଦୁର୍ଗତିନାଶିନୀ ମା’ଦୁର୍ଗା ପ୍ରବଳ ପ୍ରତାପୀ ମହିଷାସୁରକୁ ବଧ କରିଥିଲେ। ଏହି ଦିନ ଅନ୍ୟାୟ ଓ ଅତ୍ୟାଚାରରୁ ମୁକ୍ତ ହୋଇଥିଲା ତିନିପୁର। ଏହାର ପ୍ରତୀକ ଭାବେ ସାରା ଦେଶରେ ପାଳିତ ହେଉଛି ବିଜୟା ଦଶମୀ ଉତ୍ସବ।

Advertisment

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସରେ ଆଜି ମଣ୍ଡପଗୁଡ଼ିକରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ଦଶମୀ ନୀତି ପାଳିତ ହୋଇଛି। ମହାଷଷ୍ଠୀଠାରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜାର ଶେଷ ଦିନରେ ମାଆଙ୍କୁ ଦର୍ଶନ ସହ ଆଶୀର୍ବାଦ ପାଇବାକୁ ସବୁ ମଣ୍ଡପରେ ପ୍ରବଳ ଗହଳି ଲାଗିଛି। ସୁନା, ଚାନ୍ଦି ସାଙ୍ଗକୁ ଆକର୍ଷଣୀୟ ମେଢ଼ ଭିତରେ ମାଆ ଦୁର୍ଗା ସତେ ଯେମିତି ଝଲସୁଥିବା ଦେଖାଯିବା ସହ ଭକ୍ତଙ୍କୁ ଆଶିଷ ପ୍ରଦାନ କରୁଥିବା ଅନୁଭବ ହୋଇଛି।

କରୋନା କଟକଣା ହଟିବା ପରେ ରାଜଧାନୀ ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ରାଉରକେଲା ଓ ବ୍ରହ୍ମପୁର ଆଦି ସହର ସହ ରାଜ୍ୟର ପୁରପଲ୍ଲୀରେ ଚଳିତବର୍ଷ ବେଶ୍ ଧୁମ୍‌ଧାମ୍‌ରେ ପାଳିତ ହୋଇଛି ଦୁର୍ଗାପୂଜା।

Advertisment

ସେହିପରି ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଲାଗି ହୋଇଛି ଭିନ୍ନ ଭିନ୍ନ ପ୍ରକାର ନୈବେଦ୍ୟ। କଟକ ଗୋପାଳପୁର ପୂଜା ମଣ୍ଡପରେ ବିଜୟା ଦଶମୀରେ ମାଆଙ୍କୁ ଲାଗି ହୋଇଛି ଦହି ପଖାଳ। ବିଶ୍ୱାସ ରହିଛି, ମହିଷାସୁରକୁ ବଧ ପରେ ଦୁର୍ଗାଙ୍କ କ୍ରୋଧ ଶାନ୍ତ ଲାଗି ଏହି ଭୋଗ ଲାଗିର ପରମ୍ପରା ରହିଛି। ଶୁଖିଲା ଲଙ୍କା, ଭୁଷଙ୍ଗପତ୍ର ସହ ସୋରିଷ ଛୁଙ୍କରେ ଆମ୍ବକଷିଆ ଅଦା, ଧନିଆ ପତ୍ର ଓ ପୋଦିନା ପତ୍ରରେ ସୁସ୍ୱାଦୁ ଦହି ପଖାଳକୁ ହଜାର ହଜାର ଭକ୍ତ ମଧ୍ୟ ପ୍ରସାଦ ଆକାରରେ ପାଇଛନ୍ତି।

ସେହିପରି ଭୁବନେଶ୍ୱର ଷ୍ଟେସନ ବଜାର ପୂଜା କମିଟି ପକ୍ଷରୁ ମଧ୍ୟ ମାଆଙ୍କୁ ଲାଗି ହୋଇଛି ସୁଅଆଦିଆ ଦହି ପଖାଳ ଭୋଗ। ସେପଟେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ଏଣ୍ଡର ଗାଁରେ ମାଆ ଦୁର୍ଗାଙ୍କ ପାଖରେ ନୈବେଦ୍ୟ ଆକାରରେ ଲାଗି ହେଉଛି ଅନ୍ନ ଓ ଡାଲି ସହ ମାଛ ତରକାରୀ।

Advertisment

ତେଣେ ଶାରଦୀୟ ଦୁର୍ଗାପୂଜାର ଶେଷ ଦିନରେ ବଙ୍ଗୀୟ ସଂପ୍ରଦାୟର ଭକ୍ତମାନେ ବିଧି ମୁତାବକ ମଣ୍ଡପରେ ଖେଳିଛନ୍ତି ସିନ୍ଦୂର ଖେଳ। ଯାଜପୁର ଜିଲ୍ଲା ବ୍ୟାସନଗରର ନହକା ପୂଜା ମଣ୍ଡପରେ ସିନ୍ଦୂର ଖେଳ ମାଧ୍ୟମରେ ମା’ଙ୍କୁ ବିଦାୟ ଦିଆଯାଉଥିବା ଦେଖାଯାଇଛି। ବାପଘରକୁ ଝିଅ ବିଦାବେଳେ ଯେଉଁଭଳି ଢଙ୍ଗରେ ଅଳତା ସିନ୍ଦୂର ଲଗାଇ ବିଦାୟ ଦିଆଯାଏ, ସେମିତି ଧରାପୃଷ୍ଠରୁ ମା’ଦୁର୍ଗା ବିଦାୟ ନେବା ବେଳେ ଏମିତି କଲେ ମହିଳାମାନେ ସୌଭାଗ୍ୟ ବତୀ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

ସେମିତି ରାଉରକେଲାର ସର୍ବ ପୁରାତନ ଷ୍ଟେସନ ବଜାର ଦୁର୍ଗାମଣ୍ଡପରେ ବି ମହିଳା ଭକ୍ତମାନେ ପ୍ରଥମେ ମାଆଙ୍କୁ ସିନ୍ଦୂର ଲାଗି କରିବା ପରେ ନିଜ ନିଜ ମଧ୍ୟରେ ସିନ୍ଦୁର ଲଗାଇ ମାଆଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି।

ଏହାବ୍ୟତୀତ ଆଜି ଦଶହରା ଅବସରରେ ଲୋକେ ଗାଡ଼ି ପୂଜା କରିବାକୁ ପୂଜାମଣ୍ଡପ ଓ ଦେବୀପୀଠରେ ଭିଡ଼ ଲଗାଇଥିବାବେଳେ, କେତେକ ସ୍ଥାନରେ ଅସ୍ତ୍ର ପୂଜା ମଧ୍ୟ କରିଛନ୍ତି। ତେଣେ ବିଜୟାଦଶମୀ ସହ ଶେଷ ହେବ ଶାରଦୀୟ ଦୁର୍ଗୋତ୍ସବ ତା’ପରେ ମାଆଙ୍କୁ ଦିଆଯିବ ମେଲାଣି। ଆସନ୍ତାକାଲି ବିଭିନ୍ନ ସ୍ଥାନରେ ଧୁମ୍‌ଧାମ୍ ଚାଲିବ ଭଷାଣୀ ପର୍ବ।

Bijoya Dashami Durga Puja 2022 Dussehra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ