ଦେଶ ଗଢିବାରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଯେତିକି ଭୂମିକା ରହିଛି, ଜଣେ ଶ୍ରମିକର ମଧ୍ୟ ସେତିକି ଭୂମିକା ରହିବା। ବିନା ଶ୍ରମିକରେ ସବୁ କଳ କବ୍ଜା ଅଚଳ। ସେଥିପାଇଁ କୁହାଯାଏ “ଶ୍ରମିକ ହେଉଛି ପ୍ରତ୍ୟେକ କ୍ଷେତ୍ର ପାଇଁ ଆଶୀର୍ବାଦ”। ଏନେଇ ଶ୍ରମିକମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ‘ଶ୍ରମିକ ଦିବସ’ ପାଳନ କରାଯାଏ। ଏହି ଦିନ ସମାଜର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେହି ପରିଶ୍ରମୀ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ।
ପ୍ରତିବର୍ଷ ମେ ୧ରେ ‘ଆନ୍ତର୍ଜାତୀୟ ଶ୍ରମିକ ଦିବସ’ ପାଳନ କରାଯାଏ। ଏହି ଦିନ ଶ୍ରମିକମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କର ଅଧିକାର ପାଇଁ ସଚେତନତା ସୃଷ୍ଟି କରିବା ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଏହି ଦିନ ଆମକୁ ଶ୍ରମିକମାନଙ୍କ ଅବଦାନ ଏବଂ ବଳିଦାନକୁ ମନେ ରଖିବାର ଏକ ସୁଯୋଗ ପ୍ରଦାନ କରେ। ଏହା ସମଗ୍ର ବିଶ୍ୱର ଶ୍ରମିକମାନଙ୍କୁ ଏକତ୍ର କରେ।
Also Read
ଇତିହାସ:
୧୮୮୯ରେ ପ୍ରଥମ ଥର ପାଇଁ ଶ୍ରମିକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। ୧୮୮୬ ମସିହାରେ ଆମେରିକାର ଶ୍ରମିକମାନେ ୮ ଘଣ୍ଟିଆ କାର୍ଯ୍ୟ ଦିବସ ଦାବି କରିବାକୁ ଧର୍ମଘଟ କରିଥିଲେ। ସେହି ସମୟରେ ଶ୍ରମିକମାନେ କଠିନ ପରିସ୍ଥିତିରେ କାମ କରିବାକୁ ବାଧ୍ୟ ହେଉଥିଲେ। କମ୍ ମଜୁରୀ ପାଇ ମଧ୍ୟ ସେମାନେ ପ୍ରାୟତଃ ଦିନକୁ ୧୫ ଘଣ୍ଟା କାମ କରୁଥିଲେ। ଏଭଳି ପରିସ୍ଥିତିରେ ଶ୍ରମିକମାନେ ସେମାନଙ୍କର ଅଧିକାର ପାଇଁ ଧର୍ମଘଟ କରିଥିଲେ।
ମେ ୪ ରେ, ଚିକାଗୋର ହେୟମାର୍କେଟ୍ ସ୍କୋୟାରରେ ଏକାଠି ହୋଇଥିବା ଶ୍ରମିକ ଭିଡ଼ ଉପରେ ପୋଲିସ ଗୁଳି ଚଳାଇବାରୁ ଅନେକ ଶ୍ରମିକଙ୍କ ଜୀବନ ନଷ୍ଟ ହୋଇଥିଲା ଓ ଶହ ଶହ ଲୋକ ଆହତ ହୋଇଥିଲେ। ଏହି ଦୁଃଖଦ ଘଟଣାର ସ୍ମୃତିରେ୧୮୮୯ ମସିହାରେ ପ୍ୟାରିସରେ ଆୟୋଜିତ ଦ୍ୱିତୀୟ ଅନ୍ତର୍ଜାତୀୟ ସମାଜବାଦୀ କଂଗ୍ରେସ ପ୍ରତିବର୍ଷ ମେ ୧କୁ ‘ଆନ୍ତର୍ଜାତୀୟ ଶ୍ରମିକ ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
ତେବେ ଏହି ଅବସରରେ ଆସନ୍ତୁ ଭାରତର ସମ୍ବିଧାନ ଶ୍ରମିକମାନଙ୍କୁ ପ୍ରଦାନ କରିଥିବା କେତେକ ସୁବିଧା ବିଷୟରେ ଜାଣିନେବା। ଏହି ସୁବିଧାରୁ ବଞ୍ଚିତ ହେଉଥିବା ଯେକୌଣସି ଶ୍ରମିକ ସେହି କମ୍ପାନୀ ବିରୁଧରେ ମଧ୍ୟ ଅଭିଯୋଗ କରିପାରିବ।
କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ଫଣ୍ଡ୍:
ବ୍ୟବସାୟ କିମ୍ବା ସଂସ୍ଥା ଯେଉଁଠି ୨୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ସମସ୍ତ କର୍ମଚାରୀ ନିଶ୍ଚିତ ଭାବରେ EPFOରେ ପଞ୍ଜୀକୃତ ହେବେ। EPFO ଆକାଉଣ୍ଟରେ କର୍ମଚାରୀଙ୍କ ଅବଦାନ ହେଉଛି ତାଙ୍କର ମାସିକ ବେତନର ୧୨% ଏବଂ DA ର ରିହାତି ଯାହା PF ଆକାଉଣ୍ଟରେ ଜମା ହୋଇଥାଏ।
ବେତନ ଅଧିନିୟମ:
ପ୍ରତ୍ୟେକ କମ୍ପାନୀ ପ୍ରତ୍ୟେକ ମାସ ୭ ତାରିଖ ସୁଦ୍ଧା ନିଜ କର୍ମଚାରୀଙ୍କୁ ବେତନ କିମ୍ବା ମଜୁରୀ ଦେବାକୁ ବାଧ୍ୟ। ଏହି ନିୟମ କର୍ମଚାରୀଙ୍କ ବେତନ ଉପରେ ରିହାତି ଏବଂ ଅଣ-ରିହାତି ଉପରେ ମଧ୍ୟ ବିଚାର କରିଥାଏ।
ମାତୃତ୍ୱ ସୁବିଧା:
ମହିଳା କର୍ମଚାରୀଙ୍କ ପାଇଁ ବେତନ ପ୍ରାପ୍ତ ମାତୃତ୍ୱ ଛୁଟିର ଅବଧି ୨୬ ସପ୍ତାହ। ମହିଳା କର୍ମଚାରୀ, ଯେଉଁମାନଙ୍କର ୨ରୁ ଅଧିକ ସନ୍ତାନ ଥିବେ ସେମାନେ ୧୨ ସପ୍ତାହ ବେତନ ପ୍ରାପ୍ତ ମାତୃତ୍ୱ ଛୁଟି ପାଇବେ।
ଶିଳ୍ପ ବିବାଦ:
ନିଯୁକ୍ତିଦାତା ଏବଂ ଶ୍ରମିକମାନଙ୍କୁ ନେଇ ଏକ କାର୍ଯ୍ୟ କମିଟି ଗଠନ ପାଇଁ ଏହି ନିୟମ ପ୍ରଦାନ କରାଯାଇଛି ଯାହା ଦ୍ୱାରା ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରହିବ। ଏହି ଆଇନର ମୁଖ୍ୟ ଲକ୍ଷ ହେଉଛି ଯେକୌସି ଶିଳ୍ପ ପ୍ରତିଷ୍ଠାନରେ କୌଣସି ଶିଳ୍ପ ବିବାଦର ସମାଧାନ।
କର୍ମଚାରୀଙ୍କ ରାଜ୍ୟ ବୀମା:
ଏହି ନିୟମ ଅନୁସାରେ ପାରିବାରିକ ଚିକିତ୍ସା ବୀମା ଏବଂ ଦୁର୍ଘଟଣା ବୀମା ଅନ୍ତର୍ଭୁକ୍ତ। ଜଣେ କର୍ମଚାରୀଙ୍କ ବେତନରୁ ସର୍ବନିମ୍ନ ରିହାତି; ମୋଟ ୪% ବେତନ ESIରେ କଟାଯାଇଥାଏ।