ସରିଲା ସବୁ ଆଡ଼ମ୍ବର, ଆୟୋଜନ; କାନ୍ଦୁଛି ଭକ୍ତ ପ୍ରାଣ, ଅପେକ୍ଷା ପୁଣି ଗୋଟିଏ ବର୍ଷ

କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ ।

Vijaya Dashami

କେଉଁଠି ଦହିପଖାଳ, ତ କେଉଁଠି ସିନ୍ଦୂର ଖେଳ । କେଉଁଠି ଲାଖବିନ୍ଧା ତ କେଉଁଠି ବାଡ଼ି ଓ ଅସ୍ତ୍ର ପ୍ରଦର୍ଶନ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟା ଦଶମୀରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବିବିଧ ପରମ୍ପରାର ଝଲକ୍ । ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟକୁ ସମସ୍ତେ ଉତ୍ସାହର ସହ ନିଜ ନିଜ ଢଙ୍ଗରେ ପାଳିଥିଲେ ବି, ମନ ଭିତରେ ରହିଥିଲା ମାଆଙ୍କୁ ମେଲାଣି ଦେବାର ଦୁଃଖ ।

ସରି ଆସୁଛି ସବୁ ଆଡ଼ମ୍ବର...ସବୁ ଆୟୋଜନ । ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ, ବିଜୟା ଦଶମୀରେ ମାଙ୍କୁ ମେଲାଣି ଦେବା ଆଗରୁ, ଥରୁଟିଏ ତାଙ୍କ ଦିବ୍ୟ କାନ୍ତିକୁ ଆଖି ପୂରେଇ ଦେଖି ନେଉଛି ଭକ୍ତ । ଆଜି ସକାଳୁ ସକାଳୁ ମାଆଙ୍କ ପଞ୍ଚ ଉପଚାର ପୂଜା ପରେ ରୀତିନୀତି ମୁତାବକ ସଂପନ୍ନ ହୋଇଥିଲା ଅପରାଜିତା ପୂଜା ।

ଆଉ ବିସର୍ଜନ ପୂର୍ବରୁ ପରମ୍ପରାର ସହର କଟକରେ ମାଆଙ୍କ ନିକଟରେ ଲାଗି ହୋଇଥିଲା ଦହି ପଖାଳ ଭୋଗ । ବିଭିନ୍ନ ପୂଜା ମଣ୍ଡପରେ ଏଥିପାଇଁ ବଡ଼ି ଭୋରରୁ ଦହି ପଖାଳ ଓ ଶାଗ ତରକାରୀ ପ୍ରସ୍ତୁତ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରର କିଛି ପୂଜା ମଣ୍ଡପ ବି ଏ ଦହି ପଖାଳ ଭୋଗ ପରମ୍ପରାରୁ ବାଦ୍ ପଡ଼ି ନଥିଲା ।

ଯାଜପୁର, ସମ୍ବଲପୁର, ବାଲେଶ୍ୱର ଓ ରାଉରକେଲାରେ ବଙ୍ଗୀୟ ପରମ୍ପରା ମୁତାବକ ମହିଳାମାନେ ମାଆଙ୍କୁ ସିନ୍ଦୁର ଲାଗି କରିବା ପରେ ପରସ୍ପର ସହ ସିନ୍ଦୁର ଖେଳି ଶୁଭ ମନାସିଥିଲେ । ବଲାଙ୍ଗିର ପାଟଣାଗଡ଼ ରାଜ ପରିବାରରେ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଛି ଲାଖ ବିନ୍ଧା ଉତ୍ସବ । ଅସ୍ତ୍ରଶସ୍ତ୍ର ସହ ଇଷ୍ଟଦେବୀ ଦଶମତୀଙ୍କ ପୂଜାର୍ଚ୍ଚନା ପରେ ରାଜଖମାର ପରିସରରେ ଲାଖବିନ୍ଧାର ଶୁଭାରମ୍ଭ କରିଥିଲେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ର ରାଜା କନକବର୍ଦ୍ଧନ ସିଂହଦେଓ ।

ସେହିପରି ବିଜୟ ଦଶମୀରେ ଇଏ ପାରମ୍ପରିକ ଯୁଦ୍ଧାସ୍ତ୍ର ଓ ବାଡ଼ି ଖେଳର ପ୍ରଦର୍ଶନ । କେନ୍ଦୁଝରର ତେଲକୋଇ ଓ କଟକ ବଡ଼ମ୍ବାରେ ମାଆଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପୂଜା କରିବା ପରେ ସମରକଳାର ପ୍ରଦର୍ଶନ କରିଥିଲେ ପାଇକପୁଅ । ଦଶହରାରେ ଏ ନିଆରା ପରମ୍ପରା ଭଦ୍ରକ ଜିଲ୍ଲା ଧାମନଗର ଅନ୍ତର୍ଗତ ଶ୍ୟାମପୁର ଗାଁର ।

ଏଠି ଅଧିଷ୍ଠାତ୍ରୀ ଦେବୀ ମା ମନ୍ତ୍ରୀବାସିନୀ ପୀଠରେ କାଳିସୀ ଶୋଭାଯାତ୍ରା ସାଙ୍ଗକୁ ମାଆଙ୍କ ପାଖରେ ମାଗୁର ମାଛର ବଳି ସହ ଦିଆଯାଇଛି ଝୁଣା ଆଉ ପଣାର ପ୍ରସାଦ । ସେପଟେ ପବିତ୍ର ବିଜୟାଦଶମୀ ଅବସରରେ ଆଜି ଶ୍ରୀମନ୍ଦିରରେ ତିନିଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଆଜି ବେଶ୍ ଭିଡ଼ ଜମିଥିଲା ।