/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637340066.jpg)
Karthika Purnima
ଭୁବନେଶ୍ୱର: “ଅକା ମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧରମ ମୋର” କହି ଡଙ୍ଗା ଭସାଇଲେ ଲୋକେ । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଅନନ୍ୟ ସ୍ମୃତିକୁ ମନେ ପକାଇ ଆଜି ପବିତ୍ର ଜଳାଶୟରେ ଡଙ୍ଗା ଭସାଯାଇଛି । ତେବେ ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାର ଉତ୍ସାହକୁ କିଛି ଫିକା ପକାଇ ଦେଇଛି କରୋନା କଟକଣା । ରାଜଧାନୀର ବିନ୍ଦୁସାଗର ତୀର୍ଥ ପୁଷ୍କରିଣୀର ପ୍ରଶାସନର ବାରଣ ଆଉ ପୋଲିସର ଉପସ୍ଥିତି ପାଇଁ ସକାଳୁ ଡଙ୍ଗା ଭସାଭିଡ଼ ଦେଖିବାକୁ ମିଳିନଥିଲା । କିନ୍ତୁ ସିନ୍ଦୁରା ଫାଟିବା ପରେ କିଛି ରାଜଧାନୀ ବାସିନ୍ଦା କଟକଣାକୁ ଫୁ କରି କଦଳୀ ପଟୁକା ଡଙ୍ଗା ଧରି ବିନ୍ଦୁସାଗର କୂଳରେ ପହଞ୍ଚିଥିଲେ । ସେହିଭଳି ପରମ୍ପରାର ସହର କଟକରେ ମଧ୍ୟ ଏଥର ସମ୍ପୂର୍ଣ୍ଣ ନିରସ ଥିଲା ଡଙ୍ଗାଭସା ଉତ୍ସବ । ଶୁନଶାନ ଥିଲା ମହାନଦୀର ଗଡ଼ଗଡ଼ଇା ଘାଟ, ଖାଁ ଖାଁ ଲାଗୁଥିଲା ବାଲିଯାତ୍ରା ପଡିଆ । ଗଞ୍ଜାମର ଗୋପାଳପୁର ବେଳାଭୂମୀରେ ପ୍ରଶାସନର କଟକଣା ପାଇଁ ଡଙ୍ଗାଭସା ପରମ୍ପରା ପାଳନରୁ ବଞ୍ଚିତ ହୋଇଥିଲେ ଲୋକେ ।
ସେପଟେ କଡ଼ା କଟକଣା ସତ୍ତ୍ୱେ ପୁରୀ ବେଳାଭୂମିରେ କିନ୍ତୁ କମି ନଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ବଡ଼ି ଭୋରରୁ ଧୂପ, ଦୀପ ଓ ନୈବଦ୍ୟ ସହ ଡଙ୍ଗା ଭସାଇବାକୁ ମହୋଦଧୀ କୂଳରେ ହାଜର ହୋଇସାରିଥିଲେ ହଜାର ହଜାର ସଂଖ୍ୟାରେ ଲୋକେ । ସମ୍ବଲପୁରରେ ବିଭିନ୍ନ ଘାଟରେ ବି ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବାଲେଶ୍ୱରେ ବିଭିନ୍ନ ପୁଷ୍କରିଣୀ ଓ ଜଳାଶୟରେ ଲୋକେ କଟକଣା ଭିତରେ ଡଙ୍ଗାଭସା ଉତ୍ସବ ପାଳନ କରିଥିବାର ଦେଖିବାକୁ ମିଳିଛି । ତେବେ ଜିଲ୍ଲାର ସୋର ମାଣିତ୍ରୀ ଗାଁରେ ଆୟୋଜିତ ହୋଇଥିଲା ନିଆରା ଉତ୍ସବ । ଏଠାରେ ୧୬୦ ଫୁଟ ଲମ୍ବର ଡଙ୍ଗା ଭସା ଉତ୍ସବ ଦେଖିବାକୁ ସାମିଲ ହୋଇଥିଲେ ହଜାର ହଜାର ଲୋକେ । ସେହିଭଳି ଉତ୍କଳର ଗୌରବମୟ ଇତିହାସକୁ ମନେ ପକାଇ ପାରାଦୀପରେ ହୋଇଥିଲା ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ । ୭ ସାଧବଙ୍କୁ ସୁସଜ୍ଜିତ ବୋଇତରେ ମେଲାଣି ଦେଇଥିଲେ ୭ ସାଧବଣୀ ।
ଏପଟେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସୁନା ବେଶରେ ସଜେଇ ହୋଇଛନ୍ତି ଶ୍ରୀଜୀଉ । ହେଲେ ମହାପ୍ରଭୁଙ୍କ ଏ ଦୁର୍ଲଭ ରାଜରାଜେଶ୍ୱର ବେଶକୁ ଦର୍ଶନର ସୁଯୋଗ ପାଇଁ ନାହାନ୍ତି ଅଗଣିତ ଭକ୍ତ। କରୋନା କଟକଣା ପାଇଁ ଶ୍ରୀମନ୍ଦିର ଆଜି ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ ଥିବାରୁ ପତିତପାବନଙ୍କୁ ଦର୍ଶନ କରି ଭକ୍ତି ତୃଷ୍ଣା ମେଣ୍ଟାଇଛି ଶ୍ରଦ୍ଧାଳୁ । ଏଣେ ମାସ ସାରା ବ୍ରତ ପାଳନ କରି ପୂର୍ଣ୍ଣମୀ ଦିନ ନିଜ ପ୍ରାଣପ୍ରିୟଙ୍କୁ ଦେବତାଙ୍କୁ ଦର୍ଶନରୁ ବଞ୍ଚିତ ହୋଇଥିଲେ । ବହୁ ସଂଖ୍ୟାରେ ହବିଷ୍ୟାଳି ଦୂରାଦୂରାନ୍ତରୁ ଦୌଡ଼ ଆସିଥିବା ଭକ୍ତଟିଏ ଅରୁଣ ସ୍ତମ୍ଭ ନିକଟରେ କେବଳ ଦୀପଟିଏ ଜାଳି ଲୋତକ ଭରା ନୟନରେ ଫେରି ଯାଉଥିଲା । ଆଉ କିଛି ଭକ୍ତ ଲୁହା ବ୍ୟାରିକେଡ୍ ସେପଟେ ଥାଇ ବି କଣ୍ଠ ଫଟାଇ ଜଣାଇଥିଲେ ଭକ୍ତି ନୈବେଦ୍ୟ ।
କରୋନା ମହାମାରୀ ପାଇଁ ଗଲା ଦୁଇ ବର୍ଷ ଧରି ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଫଳରେ କଟକ, ପାରାଦୀପ କିମ୍ବା ରାଜଧାନୀରେ ବାଲିଯାତ୍ରା ଉତ୍ସବ ଆୟୋଜନ ହୋଇପାରୁନଥିବାରୁ ନିରସ ଓ ନିରାଡ଼ମ୍ବର ହୋଇପଡ଼ିଛି ରଙ୍ଗାରଙ୍ଗ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)