• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

"ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ ,

ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।।"

ଯିଏ ଦୁର୍ଗା-ମାଧବଙ୍କ ନାମ ସ୍ମରଣ କରେ, ତାର ସମସ୍ତ ବିଘ୍ନ ଓ କ୍ଲେସ ଦୂରିଭୁତ ହୁଏ। ପାଠକବନ୍ଧୁ ଆପଣ ଭାବୁଥିବେ, ଆମ ଉତ୍କଳରେ ଦୁର୍ଗା ମାଧବ ଉପାସନାର ଉତ୍ପତ୍ତି କେମିତି ହେଲା। ଏ କଥାଟି ଜାଣିବାକୁ ଆମକୁ ଟିକେ ପଛକୁ ଫେରିବାକୁ ପଡିବ। ଉତ୍କଳର ନାଁ ଦିନେ ଉଡ୍ର ଥିଲା। କେହି କେହି ଏହାକୁ ଓଡ୍ର ମଧ୍ୟ କୁହନ୍ତି। ଯାହା ତନ୍ତ୍ର ଉପାସନା ପାଇଁ ଭାରତ ବର୍ଷରେ ଗୋଟିଏ ପ୍ରାଚୀନ ଭୂଖଣ୍ଡ ବୋଲି ପରିଚିତ ହେଉଥିଲା। ଯାହାର ଅଧିଶ୍ବର ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଏହି କ୍ଷେତ୍ରାଧିଶ୍ବରୀ ଦେବୀ ହେଉଛନ୍ତି ମା’ ବିମଳା।

ଅତଃ ଏହି ଦୁଇ ପ୍ରମୁଖ ଦେବୀ ଓ ଦେବତାଙ୍କ ଉପାସନା ପାଇଁ ଉତ୍କଳରେ ପରବର୍ତ୍ତି ସମୟରେ ଦୁର୍ଗା ମାଧବ ଉପାସନା ଆରମ୍ଭ ହୋଇଛି। ମା’ ଆଉ ମହାପ୍ରଭୁ। ଏକାଠି ଗୋଟିଏ ଉତ୍ସବରେ ଦୁହେଁ ଉପାସିତ ହୁଅନ୍ତି। ଏଣୁ ଏ ଯାତ୍ରାର ନାଁ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା।

ଶରତ ଋତୁରେ ୧୬ ଦିବସୀୟ ଶାରଦୀୟ ଉତ୍ସବର ପ୍ରମୁଖ ଆକର୍ଷଣ ଦୁର୍ଗା ମାଧବ ଉପାସନା।  ଉତ୍କଳୀୟ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଶ୍ରୀ ଜଗନ୍ନାଥଙ୍କୁ ବିଷ୍ଣୁ ଓ ଶିବ ଉଭୟ ଭାବେ ପରିକଳ୍ପନା କରାଯାଇଛି। ବିଷ୍ଣୁ ରୂପେ ସର୍ବଦା ଆରାଧିତ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ଶକ୍ତି ପୂଜା ବା ଷୋଡଶ ଦିନାତ୍ମକ ପୂଜା ସମୟରେ ମା’ ଦୁର୍ଗାଙ୍କର ସହ ପୂଜିତ ହୋଇଥା’ନ୍ତି। ସାରା ଭାରତ ବର୍ଷରେ ଦୁର୍ଗାଙ୍କର ପତି ଭାବେ ଶିବ ଗୃହୀତ ହୋଇଥିବା ବେଳେ ଓଡିଆ ଘରେ ଦୁର୍ଗା ମାଧବ ଉପାସନା ପରମ୍ପରା ଅନନ୍ୟ। ରତ୍ନସିଂହାସନରେ ଆରୁଢ ସପ୍ତାଭରଣ ଦେବତାଙ୍କ ମଧ୍ୟରୁ ମାଧବ ବିଗ୍ରହ ଏହି ଷୋଳପୂଜା ସମୟରେ ମା’ ଦୁର୍ଗାଙ୍କ ସହ ଏକାଠି ଉପାସିତ ହୁଅନ୍ତି। ପ୍ରଥମ ୮ ଦିନ ଦୁର୍ଗା ମାଧବ ବିମଳାଙ୍କ ମନ୍ଦିରରେ ଗୋଟିଏ ଖଟରେ ବସି ଏକତ୍ର ରୁନ୍ଧା ହୋଇ ଉପାସିତ ହେଉଥିବା ବେଳେ ପର ୮ ଦିନ ଗୋଟିଏ ରଥରେ ବିଜେ କରି ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରରେ ଉପାସିତ ହୁଅନ୍ତି। ବୈଷ୍ଣବ ଓ ଶାକ୍ତ ପରମ୍ପରାର ଏହି ମହାନ୍ ପର୍ବ ସାରା ଭାରତରେ ବିରଳ। ଏଣୁ ଶାସ୍ତ୍ର କୁହେ ବିମଳା ଭୈରବୀ, ଯତ୍ର ଜଗନ୍ନାଥସ୍ତୁ ଭୈରବ।

ଖାଲି ସେତିକି ନୁହେଁ´ଶ୍ରୀମନ୍ଦିର ପରିସରରେ ଗୋଟଏ ଦୁର୍ଗା ମାଧବ ମନ୍ଦିର ମଧ୍ୟ ରହିଛି। ମେଘନାଦ ପ୍ରାଚୀରର ଦକ୍ଷିଣ ପଶ୍ଚିମ କୋଣରେ ପ୍ରାଚୀର ଉପରେ ଏକ ଖୁଦ୍ର ମନ୍ଦିର ଅଛି। ଯାହା ଦୁର୍ଗା ମାଧବ ମନ୍ଦିର ନାମରେ ପରିଚିତ । ଏହି ମନ୍ଦିରର ଗର୍ଭ ଗୃହର ମଧ୍ୟ ସ୍ଥଳରେ ପ୍ରସ୍ତର ନିର୍ମିତ ଏକ ସିଂହାସନ ଉପରେ ଦୁର୍ଗା - ମାଧବଙ୍କ ବିଗ୍ରହ ପ୍ରତିଷ୍ଠିତ । ଦେବୀ ଦୁର୍ଗାଙ୍କ ବିଗ୍ରହ ପଥର ଏବଂ ଓଷୁଅରେ ନିର୍ମିତ ହୋଇଥିବା ବେଳେ ମାଧବଙ୍କ ବିଗ୍ରହ ଦାରୁରେ ନିର୍ମିତ। ଦେବୀ ଦୁର୍ଗା ଚତୁର୍ଭୁଜା ବିଶିଷ୍ଟା , ଉପର ଦୁଇ ଭୁଜରେ ଶଙ୍ଖ ଓ ଚକ୍ର ଧାରଣ କରିଥିବା ବେଳେ ନିମ୍ନ ଦୁଇ ଭୁଜରେ ଶୂଳ ଦ୍ୱାରା ମହିଷାସୁରକୁ ବଧ କରୁଛନ୍ତି। ଏହି ସିଂହାସନର ନିମ୍ନ ଭାଗରେ ଗଜପତି ଏବଂ ଶବର ମୂର୍ତ୍ତି ଖୋଦିତ ହୋଇଛି। ଦୈନଦିନ ଦୁର୍ଗା ମାଧବ ଙ୍କ ସେବା ପୂଜା ନିମନ୍ତେ ଶ୍ରୀମନ୍ଦିର କୋଠରୁ ଓଳିଏ ବଲ୍ଲଭ , କୋରା ଓ କାକାରା ଆସିଥାଏ। ଦୈନଦିନ ନୀତି ମଧ୍ୟରେ ଆଳତୀ , ବେଶ , ଭୋଗ , ପହୁଡ଼ ଆଦି ଅନୁଷ୍ଠିତ ହୋଇଥାଏ।

ତଥ୍ୟ ଓ ଆଲେଖ୍ୟ : ମିହିର ପଟ୍ଟନାୟକ