Dola Jatra 2024: ଫଗୁ ଦଶମୀରୁ ଦୋଳଯାତ୍ରାର ଉତ୍ସାହରେ ଝୁମିଉଠେ ଓଡ଼ିଶାର ପୁରପଲ୍ଲୀ, ବାଣ୍ଟେ ସ୍ନେହ-ପ୍ରେମ

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୁଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍ଭାବ ଓ ପାରମ୍ପରିକ ଭାବକୁ ବିସ୍ତାର କରେ।

ଗ୍ରାମ ଗ୍ରାମ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟେ ଦୋଳଯାତ୍ରା

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୁଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ଭାବକୁ ବିସ୍ତାର କରେ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।

ଓଡ଼ିଶାରେ ଆହୁରି କେତେକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ପଞ୍ଚଦୋଳ ଯାତ୍ରା ପାଳନ ହୁଏ। ଫାଲଗୁନ ମାସର ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ଏହା ପାଞ୍ଚଦିନ ପର୍ଯ୍ୟନ୍ତ ଚାଲେ। ଆଉ କେତେକ ସ୍ଥାନରେ ପୂର୍ଣ୍ଣିମା ଦିନକୁ ପର୍ବର ଶେଷ ଦିବସ ରୂପେ ରଜଦୋଳ ନାମରେ ନାମିତ ହୋଇ ଏହି ଯାତ୍ରା ଶେଷହୁଏ। ଆଉ କେତେକ ସ୍ଥାନରେ ୭ଦିନ ଓ ୧୦ଦିନ ଧରି ଦୋଳଯାତ୍ରା ଆୟୋଜିତ ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି।

ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ଶୁକ୍ଳ ଦଶମୀ ଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ। ଏହି ପର୍ବରେ ଏହି ଦିନଠାରୁ ମୁଖ୍ୟ ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଅବିର ଅର୍ପଣ କରାଯାଏ। ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରାୟ ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ।

ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ। ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ। ଦୋଳପୂର୍ଣ୍ଣମୀ ଦିନ ସାଧାରଣତଃ ଠାକୁରମାନଙ୍କୁ ଏକ ମଣ୍ଡପ ଉପରକୁ ନିଆଯାଏ। ସେହି ମଣ୍ଡପକୁ ଦୋଳ ମଣ୍ଡପ କୁହାଯାଏ। ଏଠାରେ ପୂଜାର୍ଚ୍ଚନା କରାଯିବା ସହ ଠାକୁରମାନେ ଦୋଳି ଖେଳନ୍ତି ଓ ସେଠାରେ ଅବିର ଅର୍ପଣ କରାଯାଇଥାଏ।

ସାରା ଓଡ଼ିଶାର ପୁରପଲ୍ଲୀ ଫଗୁ ଦଶମୀଠାରୁ ଦୋଳଯାତ୍ରାର ଉତ୍ସାହରେ ଝୁମିଉଠେ। ଗାଁ ଗାଁରେ ରାଧାକୃଷ୍ଣ ମନ୍ଦିରରେ ହେଉ କି ଶ୍ରୀଜଗନ୍ନାଥ ମନ୍ଦିରରେ ଚଳନ୍ତି ପ୍ରତିମାକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା ଆରମ୍ଭ କରାଯାଏ।

ବର୍ତ୍ତମାନ ଏହା ଏପରି ଏକ ସାମୂହିକ ଉତ୍ସବରେ ପରିଣତ ହୋଇଛି ଯେ ଖୋର୍ଦ୍ଧା ନିକଟବର୍ତ୍ତୀ କେତେକ ଗ୍ରାମରେ ଯଥା- ଗଡ଼ବାଣି, ମାଣିକଗୋଡାରେ - ଯେଉଁଠାରେ ମୁସଲମାନ ଦଳବେହେରା ରାଜାଙ୍କ ଦ୍ୱାରା ନିଯୁକ୍ତ ହେଇଥିଲେ ବା ହିନ୍ଦୁ ଦଳବେହେରା ପରବର୍ତ୍ତୀ ସମୟରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ - ସେମାନଙ୍କ ଦୁଆରେ ମଧ୍ୟ ଠାକୁର ଭୋଗ ଖାଇଥାନ୍ତି।

ପୌରାଣିକ କଥା:

ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ମଧ୍ୟ ଜଡିତ ରହିଛି। ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ କାହାଣୀ ରହିଥିବା ବେଳେ ଅନ୍ୟପଟେ ହୀରଣାକ୍ଷ ଓ ହୀରଣ୍ୟକସ୍ୟପୁର ଭଉଣୀ ହୋଲିକା ଦହନ କଥା ମଧ୍ୟ ରହିଛି। ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରକୁ ଭଗବାନ ହତ୍ୟା କରି ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା।

ଦୋଳମଣ୍ଡପ:

ଓଡ଼ିଶାରେ ଦୋଳମଣ୍ଡପ କହିଲେ ତୋରଣାକୃତି ଏକ ଉଚ୍ଚ ସଭାମଣ୍ଡପକୁ ବୁଝାଇଥାଏ। ଓଡ଼ିଶାର ପ୍ରାଚୀନତମ ପ୍ରସିଦ୍ଧ ମନ୍ଦିର ମଧ୍ୟରୁ ଭୁବନେଶ୍ୱରରେ ଥିବା ସର୍ବୋତ୍କୃଷ୍ଟ ମୁକ୍ତେଶ୍ୱର ମନ୍ଦିରର ତୋରଣକୁ ଓଡ଼ିଶାର ସମସ୍ତ ଗ୍ରାମ ଆଦିରୂପ ଭାବରେ ସ୍ୱୀକାର କରିଛନ୍ତି।

ତେବେ ଏହି ଭବ୍ୟ ତୋରଣଟିର ପ୍ରତିରୂପ ଦୋଳମଣ୍ଡପରେ ନିର୍ମିତ ହେବାନେଇ ଅବଶ୍ୟ କୌଣସି ଧାର୍ମିକ ବିଧି ବା ନିୟମ ନାହିଁ, ମାତ୍ର ଓଡ଼ିଶା ସ୍ଥାପତ୍ୟର ଏହି ଅନନ୍ୟ ନିଦର୍ଶନ ଗ୍ରାମେ ଗ୍ରାମେ ଲୋକପ୍ରିୟ ହୋଇପାରିଛି।