• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚଳିତ ବର୍ଷ ବେଶ ଜାକଜମକରେ ପାଳନ ହେବ ଶାରଦୀୟ ଦୁର୍ଗା ପୂଜା । କରୋନା ମହମାରୀର କଳା ବାଦଲ ହଟିବା ପରେ ପାର୍ବଣକୁ ସ୍ଵାଭାବିକ ଭାବେ ପାଳନ କରିବା ପାଇଁ ଅନୁମତି ମିଳିଛି । ଜଗତଜନନୀ ମା’ ଦୁର୍ଗାଙ୍କ ପୁଜା ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛି ହଜାର ବର୍ଷର ସହର ତଥା ରୌପ୍ୟ ନଗରୀ କଟକ । ସୁନା ରୂପା ତାରକସୀ କାମ ପାଇଁ ପ୍ରସିଦ୍ଧ କଟକ ସହର । ମା’ଙ୍କ ସାଜସଜ୍ଜା ଓ ଆଭୂଷଣ ପାଇଁ ସୁନା ଓ ଚାନ୍ଦିର ମେଢ଼ ଏବେ ପରମ୍ପରା ପାଲଟିଲାଣି । ମାଆଙ୍କ ମୁକୁଟରୁ ପାଦୁକା ଯାଏଁ ଆଚ୍ଛାଦିତ ହୋଇ ରହୁଛି ସୁନା ଓ ଚାନ୍ଦିର ଗହଣା । ଦୁଇବର୍ଷ ପରେ ପୂଜାକୁ ବେଶ ଆଡ଼ମ୍ବରରେ ପାଳନ କରିବା ପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି ।

ମା’ଙ୍କ ମୂର୍ତ୍ତିକାମଠୁ ତୋରଣ, ମଣ୍ଡପ ସାଜସଜ୍ଜା ପାଇଁ କାରିଗରଙ୍କଠାରୁ ଆରମ୍ଭ କରି କମିଟି କର୍ମକର୍ତ୍ତା ଯାଏଁ ସମସ୍ତେ ଖୁବ୍ ବ୍ୟସ୍ତ । କେଉଁଠି ଏଥର୍ ନୂଆ ଚାନ୍ଦିମେଢ ପ୍ରସ୍ତୂତ ହୋଇଛି ତ ଆଉ କେଉଁଠି ଚାନ୍ଦି ମେଢ ସଫାରେ ଲାଗି ପଡ଼଼ିଛନ୍ତି କର୍ମକର୍ତ୍ତା । ସାରା ଓଡ଼ିଶାରେ କଟକ ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଉଛି ସୁନା ଓ ଚାନ୍ଦି ମେଢ଼ । କାହିଁ କେଉଁ ଆଡ଼ୁ ଲୋକେ ଏହାକୁ ଦେଖିବା ଲାଗି ଭିଡ଼ ଜମାନ୍ତି । କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାନ୍ଦି ଓ ବିଭିନ୍ନ ଆକୃତିର ସୁନାରେ ସଜ୍ଜିତ ହୋଇଛି କଟକର ଅନେକ ପୂଜା ମଣ୍ଡପ ।

ତେବେ ଆସନ୍ତୁ ଜାଣିବା କଟକର କିଛି ପ୍ରମୁଖ ପୂଜା ମଣ୍ଡପର ଚାନ୍ଦି ମେଢ଼ ବିଷୟରେ..

ବାଲୁବଜାର ପୂଜା କମିଟି:

୧୫୦୮ ରେ ଚୈତନ୍ୟଦେବ ନଦିଆଠାରୁ ବାହାରି ବାଟରେ ରହି ରହି ଆସୁଥିଲେ। କଟକ ରହଣି କାଳରେ ସେ ବାଲୁବଜାର ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ । ତେଣୁ ପ୍ରଥମେ ଏଠାରେ ମୃଣ୍ମୟୀ ମୂର୍ତ୍ତି ପୂଜା ହୋଇଥିବାରୁ ଏହି ପୀଠକୁ ବଡ଼ ଭଉଣୀର ଆଖ୍ୟା ମଧ୍ୟ ଦିଆଯାଇଛି । ୨୦୦୨ ରେ ଏଠାରେ ସ୍ଥାନୀୟ ଲୋକ ଏବଂ କିଛି ଅନୁଷ୍ଠାନର ଅନୁଦାନ ବଳରେ ମା’ଙ୍କ ଚାନ୍ଦି ମେଢ଼ ପ୍ରସ୍ତୁତ ହୋଇଥିଲା । ଏହାର ଓଜନ ପ୍ରାୟ ସାଢ଼େ ୩ କ୍ୱିଣ୍ଟାଲରୁ ଅଧିକ ରହିଛି । ଖୁବ୍‌ ସୁନ୍ଦର ତାରକାସୀ କାମର ଝଲକ ଏହି ମେଢ଼ରୁ ଦେଖିବାକୁ ମିଳେ । ମା’ଙ୍କର ମୁକୁଟଠାରୁ ପାଦୁକା ଯାଏଁ ଚାନ୍ଦି ଅଳଙ୍କାରରେ ଆଚ୍ଛାଦିତ ହୋଇଥିବା ବେଳେ ସୁନାର ଚିକ, ମାଣିତ୍ରୀ, ଟିକିଲି, କାନର ଏବଂ ବିସ୍କୁଟ୍‌ ଆକୃତିର ହାର ମଧ୍ୟ ରହିଛି ।

Balu Bazar Puja ComitteeBalu Bazar Puja Comittee

ଚୌଧୁରୀବଜାର ପୂଜା କମିଟି:

୧୮୭୨ ରେ ଏହି ପୂଜା ମଣ୍ତପରେ ମାଆ ଦୁର୍ଗା ପୂଜା ପାଇ ଆସୁଛନ୍ତି । ଏହି ପୂଜା କମିଟି କଟକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କାରଣ କଟକରେ ଏବେ ଚାନ୍ଦି ସୁନା ମେଢ଼ର ପରମ୍ପରା ଚାଲିଥିବା ବେଳେ ଏହାର ଶୁଭାରମ୍ଭ କରିଥିଲେ ଚୌଧୁରୀ ବଜାର ପୂଜା କମିଟି । ୧୯୫୬ ରେ ହରେକୃଷ୍ଣ ମହତାବ ଏହି ମଣ୍ତପରେ ଚାନ୍ଦି ମେଢ଼ର ଉଦଘାଟନ କରିଥିଲେ । ପ୍ରଥମେ ଏହି ମେଢ଼ର ଓଜନ ୨.୫ କ୍ୱିଣ୍ଟାଲ ରହିଥିଲା । କିନ୍ତୁ ବିଗତ କିଛି ବର୍ଷରେ ଏହି ପୂଜା ମଣ୍ତପରେ ଚାନ୍ଦି ସମେତ ୩୫ କିଲୋ ସୁନାର ଅଳଙ୍କାରରେ ମା’ଙ୍କୁ ଆଭୂଷଣ କରାଯାଇଛି । ସୁନାର ଚମ୍ପା ହାର, ୯ଟି ମୟୁର କଲି, ବାଜୁ, ଖଡ଼ୁ ଏବଂ ପାର୍ଶ୍ୱ ଦେବାଦେବୀଙ୍କ ମୁଣ୍ତରେ ସୁନା ମୁକୁଟ ଆଦି ଅଳଙ୍କାରରେ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ପ୍ରତିବର୍ଷ ଏହି ପୂଜାକମିଟି ସୁନାର ଅଳଙ୍କାର ବୃଦ୍ଧି କରୁଛନ୍ତି ।

Choudhry Bazar Puja ComitteeChoudhry Bazar Puja Comittee

କଲେଜଛକ ପୂଜା କମିଟି:

ଏଥର ଦଶହରାରେ ମୁଖ୍ୟ ଆକର୍ଷଣ ରହିବ କଲେଜଛକ ପୂଜା କମିଟିର ନୂଆ ଚାନ୍ଦି ମେଢ । ପ୍ରାୟ ୩ କ୍ୱିଣ୍ଟାଲର ଚାନ୍ଦି ମେଢ ତିଆରି କରିଛନ୍ତି ୧୫ ରୁ ଉର୍ଦ୍ଧ କାରିଗର । ଦିନରାତି ଏକ କରି ୨ ବର୍ଷର କୋଭିଡ କଟକଣା ଭିତରେ ମାଆଙ୍କ ପାଇଁ ତିଆରି ହୋଇଛି ସୁନ୍ଦର ମେଢ। ଏହାକୁ ତିଆରି କରୁଛନ୍ତି ଶେଖ ବଜାରର ଚାନ୍ଦି କାରିଗର ବିଶ୍ୱନାଥ ଦେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାକୁ ତିଆରି କରୁଛନ୍ତି ୧୫ ରୁ ଉର୍ଦ୍ଧ କାରିଗର । ଏଥିପାଇଁ ଖର୍ଚ୍ଚ ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା । ବିଗତ ୨ ହେବ ପୁଜା କମିଟି ପକ୍ଷରୁ ଏଥିପାଇଁ ଚାଲିଥିଲା ଯୋଜନା । ମେଢର ମୁଖ୍ୟ ଆକର୍ଷଣ ରହିଛି ମୟୂର,ହଂସ ,କଳସ । ପୂର୍ବରୁ ୨୬ ଟି ମଣ୍ଡପରେ ଚାନ୍ଦି ମେଢ ଥିବାବେଳେ ଏଥର ଚାନ୍ଦିମେଢ ସଂଖ୍ୟା ୨୭ ରେ ପହଞ୍ଚିବ ।

College Chhak Puja ComitteeCollege Chhak Puja Comittee

ଖାନନଗର ପୂଜା କମିଟି:

୧୯୫୨ ରେ ଏହି ପୂଜା କମିଟିରେ ପ୍ରଥମେ ପଞ୍ଚମୁଖୀ ମହାଦେବ ପୂଜା ପାଉଥିଲେ । ତେବେ ୧୯୬୨ରେ ମହାଦେବଙ୍କ ପରିବର୍ତ୍ତେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ହେଲା । ସେବେଠୁ ଆଜି ଯାଏଁ ବେଶ୍‌ ଆଡ଼ମ୍ବରରେ ପୂଜା ପାଉଛନ୍ତି ମାଆ ଦୁର୍ଗତିନାସିନୀ । ୨୦୧୧ରେ ସ୍ଥାନୀୟ ବାସିନ୍ଦାଙ୍କ ଅନୁଦାନରେ ଏଠାରେ ୪ କ୍ୱିଣ୍ଟାଲର ଚାନ୍ଦି ମେଢ଼ ତିଆରି ହୋଇଥିଲା । ଏହା ବ୍ୟତୀତ ୨୦୧୮ରେ ମା’ଙ୍କ ୩ କେଜିର ସୁନା ମୁକୁଟ ମଧ୍ୟ ତିଆରି ହୋଇଛି । ଏହି କମିଟିର ମୁଖ୍ୟ ଆକର୍ଷଣ ରହିଥାଏ ସୁଉଚ୍ଛ ତୋରଣ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଭୁ ଶ୍ରୀଅମରନାଥଙ୍କ ଗୁମ୍ଫାର ପ୍ରତିଛବି ପ୍ରସୁତ ହେଉଛି ।

Khannagar Puja CommitteeKhannagar Puja Committee

ଅଲିଶା ବଜାର ପୂଜା କମିଟି:

କଟକର କେତେକ ପ୍ରମୁଖ ପୂଜା ମଣ୍ତପ ମଧ୍ୟରୁ ଅଲିଶା ବଜାର ପୂଜା କମିଟି ଅନ୍ୟତମ । ୧୯୧୫ ରେ ପ୍ରଥମେ ଏକ ଚାଳଘରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ୨୦୦୦ ମସିହାରେ କମିଟିର ସଦସ୍ୟ ଏବଂ ପ୍ରତି ଘରୁ କିଛିକିଛି ଅନୁଦାନ ବଳରେ ସାଢ଼େ ୪ କ୍ୱିଣ୍ଟାଲ ଓଜନର ଚାନ୍ଦି ମେଢ଼ ତିଆରି ହୋଇଥିଲା । ଅନ୍ୟ ଚାନ୍ଦି ମେଢ଼ ତୁଳନାରେ ଅଲିଶା ବଜାର ପୂଜା କମିଟିର ଚାନ୍ଦି ମେଢ଼ର ସ୍ୱତନ୍ତ୍ରତା ରହିଛି । ମେଢ଼ ମଧ୍ୟରେ LED ଆଲୋକ ଦ୍ୱାରା ମେଢ଼କୁ ଆଲୋକିତ କରାଯାଇଛି । ୨୦୦୦ ରେ ଦିଲ୍ଲାର ପ୍ରଗତୀ ମଇଦାନରେ ଆୟୋଜିତ ଏକ ପ୍ରଦର୍ଶନୀ ମେଳାରେ ଅଲିଶା ବଜାର ପୂଜା କମିଟିର ଚାନ୍ଦି ମେଢ଼ ପ୍ରଥମ ପୁରସ୍କାର ମଧ୍ୟ ପାଇଥିଲା । ଚାନ୍ଦି ଅଳଙ୍କାର ବ୍ୟତିତ ସୁନାର ୩ଟି ଚିକ, ମଣିପୁରୀ ହାର, ଗଣ୍ଠିମାଳି, ସିନ୍ଥି, ଓ କାନର ଅଳଙ୍କାରରେ ମା’ଙ୍କୁ ସଜ୍ଜିତ କରାଯାଇଛି ।

Alisha Bazar Puja CommiteeAlisha Bazar Puja Commitee

ଏହାଛଡ଼ା କଟକର ଆହୁରି ୨୨ଟି ପୂଜା ମଣ୍ତପରେ ମା’ଙ୍କୁ ସୁନା ଚାନ୍ଦି ଅଳଙ୍କାରରେ ସୁସଜ୍ଜିତ କରାଯାଇଛି । ମା’ଙ୍କ ମୂର୍ତ୍ତିକାମଠୁ ତୋରଣ, ମଣ୍ଡପ ସାଜସଜ୍ଜା ପାଇଁ କାରିଗରଙ୍କଠାରୁ ଆରମ୍ଭ କରି କମିଟି କର୍ମକର୍ତ୍ତା ଯାଏଁ ସମସ୍ତେ ଖୁବ୍ ବ୍ୟସ୍ତ । କେଉଁଠି ଏଥର୍ ନୂଆ ଚାନ୍ଦିମେଢ ପ୍ରସ୍ତୂତ ହୋଇଛି ତ ଆଉ କେଉଁଠି ଚାନ୍ଦି ମେଢ ସଫାରେ ଲାଗି ପଡ଼ିଛନ୍ତି କର୍ମକର୍ତ୍ତା ।