• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଶସ୍ୟ ଶ୍ୟାମଳା ହୋଇଉଠିଛି ଧରଣୀ ମା । ହୃଦୟ ଭକ୍ତିରେ ଉଦଭାସିତ ହୋଇଯାଉଛି । ଭାରତର ସଂସ୍କୃତି ଇତିହାସରେ ପାର୍ବଣର ଭିନ୍ନ ମର୍ଯ୍ୟାଦା ରହିଛି । ଦୁଇ ବର୍ଷ ପରେ ସାରା ଦେଶରେ ଧୁମଧାମରେ ପାଳନ ହେଉଛି ଦଶହରା(Dussehra) । ମା’ ଜଗତଜନନୀ ମଣ୍ଡପରେ ବିରାଜିତ ହେବା ପରେ ଗାଁଠୁ ସହର ଉତ୍ସବମୁଖର ହୋଇଉଠିଛି । କରୋନା ପରେ ଏବେ  ଦଶହରାର ଧୁମ୍‌ ଜୋରଦାର ଦେଖିବାକୁ ମିଳିଛି । ତେବେ ଏଥର ପୂଜାରେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ମେଲୋଡି ବା ସାଂସ୍କୃତିକ କାର୍ଯ୍ୟକ୍ରମ । ଏହାସହ ରାବଣ ପୋଡି, ଭଷାଣ ଶୋଭାଯାତ୍ରା ପାଇଁ ମଧ୍ୟ ଅନୁମତି ମିଳିଛି । ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମୁଛି । ତେବେ ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ(Cultural programs) ପାଇଁ ବି ପ୍ରସ୍ତୁତି ଜୋରଦାର ହୋଇଛି । ଆସନ୍ତୁ ଜାଣିବା ଭୁବନେଶ୍ୱର ଓ କଟକରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ . . .

କଟକ

ଓଡ଼ିଶାରେ ଦୁର୍ଗାପୂଜା(Durga Puja ) ପରମ୍ପରା ପ୍ରଥମେ କଟକରୁ ଆରମ୍ଭ ହୋଇଥିଲା । ଏଥର କଟକ ମହାନଗରରେ ୧୭୦ରୁ ଅଧିକ ମଣ୍ଡପରେ ଶାରଦୀୟ ଦୁର୍ଗା ପୂଜା ଆୟୋଜନ ହେଉଛି। ୧୦୦ କ୍ୱିଣ୍ଟାଲରୁ ଅଧିକ ଓଜନର ଚାନ୍ଦି, ୫୭ କିଲୋରୁ ଅଧିକ ଓଜନର ସୁନାରେ ସଜେଇ ହୋଇଛି ରୌପ୍ୟନଗରୀ । ଆକର୍ଷଣୀୟ ଗେଟ୍, ଆଲୋକ ସଜ୍ଜା ସାଙ୍ଗକୁ ଚାନ୍ଦି ମେଢରେ ସହରର ରୂପ ଝଟକୁଛି ।

ଛତ୍ରବଜାର

ଛତ୍ରବଜାରରେ ଏଥର ମା’ଙ୍କ ଆବାହନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ସୁଉଚ୍ଚ ତୋରଣରେ ଝଲସୁଛି ମଣ୍ଡପ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଏଠାକାର ସ୍ୱତନ୍ତ୍ରତା ହେଲା ୪୦ ବର୍ଷ ଧରି ଏଠାରେ କଣ୍ଢେଇ ନାଚ ପରିବେଷଣ କରଯାଉଛି । ଏ‍ବର୍ଷ ମଧ୍ୟ କଣ୍ଢେଇ ନାଚ ପାଇଁ ବ୍ୟବସ୍ଥା ହୋଇଛି । ଏହା ବ୍ୟତୀତ ଅଷ୍ଟମୀ, ନବମୀ ଓ ଦଶମୀରେ ମେଲୋଡିର ଆୟୋଜନ କରାଯାଇଛି ।

ଖାନନଗର

ଖାନନଗରପୂଜା କମିଟିରେ ୧୯୫୨ ରେ ପ୍ରଥମେ ପଞ୍ଚମୁଖୀ ମହାଦେବ ପୂଜା ପାଉଥିଲେ । ତେବେ ୧୯୬୨ରେ ମହାଦେବଙ୍କ ପରିବର୍ତ୍ତେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ହେଲା । ସେବେଠୁ ଆଜି ଯାଏଁ ବେଶ୍‌ ଆଡ଼ମ୍ବରରେ ପୂଜା ପାଉଛନ୍ତି ମାଆ ଦୁର୍ଗତିନାସିନୀ । ଏଥର ଖାନ ବଜାରରେ ୫ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମର ଯୋଜନା ରହିଛି । ତେବେ ଏଥର ପୂଜାକୁ ଟିକିଏ ସ୍ୱତନ୍ତ୍ର କରିବା ପାଇଁ ଓଲିଉଡ୍ ସିଙ୍ଗର ହ୍ୟୁମାନ ସାଗରଙ୍କୁ ମେଲୋଡି କାର୍ଯ୍ୟକ୍ରମକୁ ଡକାଯାଇଛି । ଆଜି ଠାରୁ ଆରମ୍ଭ ହୋଇଯାଇଛି ମେଲୋଡି କାର୍ଯ୍ୟକ୍ରମ ।

କଲେଜ୍‌ ଛକ

ଏଥର ଦଶହରାରେ ମୁଖ୍ୟ ଆକର୍ଷଣ ରହିବ କଲେଜ ଛକ ପୂଜା କମିଟିର ନୂଆ ଚାନ୍ଦି ମେଢ । ପ୍ରାୟ ୩ କ୍ୱିଣ୍ଟାଲର ଚାନ୍ଦି ମେଢ ତିଆରି ହୋଇଛି । ଆସନ୍ତା କାଲି ଠାରୁ ଏଠାରେ ସାଂସ୍କୃତି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ଅଷ୍ଟମୀରେ ଏଠାରେ ମଧ୍ୟ ହ୍ୟୁମାନ୍‌ ସାଗର ଗୀତ ଗାଇ ଲୋକଙ୍କ ମନୋରଞ୍ଜନ କରିବେ । ଏଥିପାଇଁ ଲୋକେ ଖୁବ୍‌ ଉତ୍ସାହିତ ଅଛନ୍ତି ।

ଆଲିଶା ବଜାର

୧୯୧୫ ରେ ପ୍ରଥମେ ଏକ ଚାଳଘରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ୨୦୦୦ ମସିହାରେ କମିଟିର ସଦସ୍ୟ ଏବଂ ପ୍ରତି ଘରୁ କିଛିକିଛି ଅନୁଦାନ ବଳରେ ସାଢ଼େ ୪ କ୍ୱିଣ୍ଟାଲ ଓଜନର ଚାନ୍ଦି ମେଢ଼ ତିଆରି ହୋଇଥିଲା । ଅନ୍ୟ ଚାନ୍ଦି ମେଢ଼ ତୁଳନାରେ ଅଲିଶା ବଜାର ପୂଜା କମିଟିର ଚାନ୍ଦି ମେଢ଼ର ସ୍ୱତନ୍ତ୍ରତା ରହିଛି । ପ୍ରଥମେ ୧୯୧୫ ମସିହାରେ ଏକ ଚାଳଘରେ ଆରମ୍ଭ ହୋଇଥିଲା ମା’ଙ୍କ ପୂଜା । ଏଠି ମା’ଙ୍କ ପୂଜା ବୈଷ୍ଣବ ରୀତିନୀତି ଅନୁସାରେ ହୋଇଥାଏ ଦଶହରା ପାଇଁ ଏଠାରେ ୨ ଦିନ ସାଂକୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

 ଭୁବନେଶ୍ୱର

ଭୁବନେଶ୍ୱରରେ ବିଜୟା‌ ଦଶମୀ ଅବସରରେ ମା’ ଦୁର୍ଗାଙ୍କ ପୂଜା ବହୁ ପ୍ରାଚୀନ । ପ୍ରାକ୍‌ ସ୍ୱାଧୀନତା କାଳରୁ ଅର୍ଥାତ୍ ରାଜଧାନୀ ପ୍ରତିଷ୍ଠା ହେବାର ବହୁ ପୂର୍ବରୁ ପୁରୁଣା ଭୁବନେଶ୍ୱରରେ ବିଭିନ୍ନ ସାହିରେ ଦୁର୍ଗାପୂଜା ହୋଇଆସୁଛି । ରାଜଧାନୀର ଦୁର୍ଗାପୂଜା ଇତିହାସ କୁହେ ଯେ ୧୯୩୬ ମସିହାରେ ରାମକୃଷ୍ଣ ମଠ ପ୍ରଥମେ ଏହି ପୂଜା ଆରମ୍ଭ କରିଥିଲା । ମଠର ବଙ୍ଗୀୟ ଅନ୍ତେବାସୀମାନେ ଦୁର୍ଗାପୂଜା କରିଥିଲେ। ସେମାନଙ୍କୁ ଦେଖି ପୁରୁଣା ଭୁବନେଶ୍ୱରର କିଛି ସିନ୍ଦମାନେ ଭାଗବତ ଟୁଙ୍ଗୀରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା ଆରମ୍ଭ କରିଥିଲେ ।

ଷ୍ଟେସନ ବଜାର

ଏଠାରେ ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା  । ଚଳିତ ବର୍ଷ ୬୭ବର୍ଷରେ ପଦାର୍ପଣ କରିଛି ପୂଜା ।  ଏଥର ଷ୍ଟେସନ ବଜାରରେ ଚାନ୍ଦି ମେଢ଼ରେ ଝଟକୁଛନ୍ତି ମା’ । ଷଷ୍ଠୀ ତିଥି ଠାରୁ ଦଶମୀ ଯାଏ କଟକ ଓ ଭୁବନେଶ୍ୱରର ବିଭିନ୍ନ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାସହ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଏଥର ପାଞ୍ଚ ଦିନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସହିଦ ନଗର

ପାର୍ବଣରେ ଝଲସିବ ସହିଦ ନଗର ଦୁର୍ଗାପୂଜା ମଣ୍ଡପ । ଉତ୍ସବକୁ ମନୋମୁଗ୍ଧକର କରିବା ପାଇଁ ପ୍ରସ୍ତୁତି ସରିଛି । ରୁଷ୍‌ର ସେଣ୍ଟ ପିଟର୍ସବଗ୍ ସହରର ଷ୍ଟେଟ୍ ହରମିଟେଜ୍ ସଂଗ୍ରହାଳୟରେ ଆବିର୍ଭାବ ହୋଇଛନ୍ତି ମା’ ଜଗତ୍‌ଜନନୀ ।  ୮୫ ଫୁଟ୍ ଉଚ୍ଚ ଓ ୧୫୦ ଫୁଟ୍‌ ଚଉଡ଼ାରେ ନିର୍ମିତ ହୋଇଛି ଆଖିଝଲସା ତୋରଣ । ଦଶମୀ ସନ୍ଧ୍ୟାରେ ୪୦ ଫୁଟ ଉଚ୍ଚର ରାବଣ ପୋଡ଼ି ସାଙ୍ଗକୁ ଆତସବାଜୀ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବେ ସୂଚନା ମିଳିଛି ।  ଏହାବ୍ୟତୀତ ମୀନା ବଜାର ଓ ବିଭିନ୍ନ ଦୋଳିର ବ୍ୟବସ୍ଥା ହୋଇଛି ।

ନୟାପଲ୍ଲୀ

ନୟାପଲ୍ଲୀ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ପୂଜା ମହୋତ୍ସବ ୩୫ବର୍ଷରେ ପହଞ୍ଚିଛି। ଚଳିତବର୍ଷ ପୂଜା ତୋରଣର ଥିମ୍ ‘ମାତୃଭକ୍ତି’ ରହିଛି। ପୂର୍ବ ବର୍ଷଗୁଡ଼ିକ ଭଳି ରାମଲୀଳା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୨ବର୍ଷ ଧରି ମୀନା ବଜାର ଆୟୋଜିତ ହେଉନଥିବାରୁ ବ୍ୟବସାୟୀମାନେ ନିରାଶ ହୋଇଥିଲେ । ତେବେ ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟି ରଖି ବ୍ୟବସାୟୀମାନେ ବେଶ୍ ଲାଭବାନ ହୋଇପାରିବେ ବୋଲି ଆଶା ରଖିଛନ୍ତି ।

ରସୁଲଗଡ଼

ପ୍ରତିବର୍ଷ ଆକର୍ଷଣୀୟ ‌ତୋରଣ ଓ ମଣ୍ଡପ ପାଇଁ ଚର୍ଚ୍ଚାରେ ରହିଆସୁଥିବା ରସୁଲଗଡ଼ ଦୁର୍ଗାପୂଜା‌ ଏବର୍ଷ ବି ଚମକ ଦେଖାଇବ । ମା’ ବାରଭୁଜାଙ୍କ ପୂଜା ପାଇଁ ଦିଲ୍ଲୀ ‘ଅକ୍ଷରଧାମ’ ମନ୍ଦିରର ଅବିକଳ ନକଲ ନିର୍ମାଣ କରାଯାଇଛି  । ତେବେ ଏଥର ପାଞ୍ଚ ଦିନଯାକ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଷଷ୍ଠୀ ତିଥିରୁ ମେଲୋଡି ନାଇଟ୍ ଆରମ୍ଭ ହୋଇଯାଇଛି । ତା’ ପର ଦିନ ମାନଙ୍କରେ ନାଚ, ଗୀତ ଭଳି କାର୍ଯ୍ୟକ୍ରମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଚଳିତବର୍ଷ ଭସାଣ ଉତ୍ସବ ଅବସରରେ ଡିଜେ ସାଉଣ୍ଡ ସହ ସମ୍ବଲପୁରୀ ବାଜାର ତାଳେତାଳେ ଶୋଭାଯାତ୍ରା ରାଜଧାନୀ ଦାଣ୍ଡ ଦୁଲୁକାଇବ। ସେହିଭଳି ପୁରୀ ଯୋଡ଼ିଶଙ୍ଖ, ଘଣ୍ଟ, ବିଲେଇ ନାଚ, କଣ୍ଢେଇ ନାଚ ଓ ପାଇକ ଆଖଡ଼ା ଭଳି ଲୋକନୃତ୍ୟ ଲୋକଙ୍କୁ ଆକୃଷ୍ଟ କରିବ ।