Advertisment

ଆଜି ସରିବ ଚନ୍ଦନେଶ୍ୱରଙ୍କ ଚଡକ ମେଳା; ପାଟ ପର୍ବ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଏହି ପର୍ବରେ ବାବାଙ୍କ ସାନିଧ୍ୟ ଲାଭ କରିବା ପାଇଁ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Chadak Mela may end today

Chadakamela

ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡକ ମେଳାରେ ଆଜି ଶେଷ ଅର୍ଘ୍ୟ ପ୍ରଦାନ କରାଯିବ । ଏଥିସହ ଶେଷ ହେବ ବାବା ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ଚଡକ ମେଳା। ଆଜି ଅନୁଷ୍ଠିତ ହେବ ବାବା ଚନ୍ଦନେଶ୍ବରଙ୍କ ପ୍ରସିଦ୍ଧ ପାଟ ପର୍ବ। ପଇତାଧାରୀ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି।

Advertisment

ଗତକାଲି ଅନୁଷ୍ଠିତ ହୋଇଥିଲା ନୀଳପର୍ବ । ମନ୍ଦିର ବେଢା ଭିତରେ ଥିବା ନୀଳ ପୋଖରୀରେ ଅନୁଷ୍ଠିତ ହୋଇଥିଲା ଏହି ପର୍ବ। ନୀଳ ପୋଖରୀରେ ସ୍ଥାପନ କରାଯାଇଥିବା ଶିବଶକ୍ତିଙ୍କ ପ୍ରତୀକ ସ୍ତମ୍ବିକାଠକୁ ପାଟଭକ୍ତା ଓ ଶ୍ରୀବେକେଡିଙ୍କ ନିର୍ଦ୍ଦେଶରେ ହଜାର ହଜାର ଶ୍ରଦ୍ଧାଳୁ ପୋଖରୀରୁ ଉତ୍ଥାପନ କରିଥିଲେ । ବିଶ୍ବାସ ରହିଛି ନୀଳ ପୋଖରୀରେ ସ୍ତମ୍ବିକାଠକୁ ସ୍ପର୍ଶ କରି ସ୍ନାନ କଲେ ବାବା ଚନ୍ଦନେଶ୍ବରଙ୍କ ଆଶୀର୍ବାଦ ମିଳେ।

ଚୈତ୍ର ମାସରେ ଏହି ପର୍ବ ହେଉଥିବାରୁ ଏହାକୁ ଚଡକ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ । ଏହି ପର୍ବରେ ବାବାଙ୍କ ସାନିଧ୍ୟ ଲାଭ କରିବା ପାଇଁ କେବଳ ବାଲେଶ୍ଵର ଜିଲ୍ଲା ନୁହେଁ ବରଂ ବାହାର ରାଜ୍ୟର ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ଶହ ଶହ ବର୍ଷରୁ ଏଠାରେ ବିରାଜମାନ କରିଛନ୍ତି ବାବା-ଚନ୍ଦନେଶ୍ୱର । ହୁଗୁଳି ଗ୍ରାମରେ ରହିଛି ବାବା ଚନ୍ଦନେଶ୍ୱରଙ୍କ ପୀଠ।

Advertisment

ଏହାକୁ ନେଇ ଏକ ପୌରାଣିକ କାହଣୀ ରହିଛି। ଅନେକ ବର୍ଷ ପୂର୍ବେ ସମୁଦ୍ର ନିକଟବର୍ତ୍ତୀ ଏହି ଅଂଚଳ ଘଞ୍ଚ ଜଙ୍ଗଲପୂର୍ଣ୍ଣ ଥିଲା। ଏହି ଜଙ୍ଗଲରେ ବହୁଥିଲା ଛୋଟ ଝରଣା ଚନ୍ଦନ ଧାରା କିମ୍ବଦନ୍ତୀ ଅନୁସାରେ, ହୁଗୁଳା ଅରଣ୍ୟ ପଶ୍ଚିମରେ ଥିବା ଏକ ଜନପଦଙ୍କ ବୋହୂ ଲକ୍ଷ୍ମୀ ଗୋଟିଏ ଗାଈ ରଖିଥିଲେ। ଗାଈଟି ହୁଗୁଳା ଅରଣ୍ୟରୁ ଫେରି କ୍ଷୀର ଦିଏନି। ଯାହାକୁ ନେଇ ଲକ୍ଷ୍ମୀଙ୍କୁ ନାନା କଥା ଶୁଣିବାକୁ ପଡେ। କାହିଁକି ଗାଈଟି ଏମିତି କ୍ଷୀର ଶୂନ୍ୟ ହୋଇ ଘରକୁ ଫେରୁଛି ଏକଥା ଜାଣିବା ପାଇଁ ଲକ୍ଷ୍ମୀ ଗାଈ ପଛେ ପଛେ ଜଙ୍ଗଲରେ ଯାଇ ପହଞ୍ଚିଲେ ।

ସେଠାରେ ଲକ୍ଷ୍ମୀ ଯାହା ଦେଖିଲା ତାହା ସେ ବିଶ୍ୱାସ କରି ପାରି ନଥିଲେ । ଗାଈର ଚିରରୁ ସ୍ଵତଃ ଝରିପଡୁଛି କ୍ଷୀର, ଆପ୍ୟାୟିତ ହେଉଛନ୍ତି ଆଶୁତୋଷ। ଦେବଜ୍ଞାନ ଅନୁଯାଇ ସ୍ୱପ୍ନାଦେଶ ପାଇବା ପରେ ଅଗଣି ପଣ୍ଡା ନାମକ ଜଣେ ବ୍ରାହ୍ମଣ ଯାଜପୁରରୁ ଆସି ଚନ୍ଦନେଶ୍ୱରଙ୍କ ପୀଠରେ ପହଞ୍ଚି ପୂଜାର ଦାୟିତ୍ୱ ଗ୍ରହଣ କରନ୍ତି। କାଳକ୍ରମେ ବାବାଙ୍କ ନାମ ଚାରିଆଡେ ପ୍ରଚାରିତ ହୁଏ। ଆଜି ଯାଏ ଲକ୍ଷ୍ମୀ ବଂଶର ଜଣେ ପାଟଭକ୍ତ ଭାବରେ ଏବଂ ଅଗଣି ପଣ୍ଡାଙ୍କ ବଂଶଧରମାନେ ସେବାପୂଜାର ଦାୟିତ୍ୱ ତୁଲାଇ ଆସୁଛନ୍ତି ।

Chadak Mela
Advertisment
Advertisment