ସନାତନ ଧର୍ମରେ ଶ୍ରାବଣ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହା ଭଗବାନ ଶିବଙ୍କ ମାସ ଭାବରେ ବିବେଚନା କରାଯାଏ। ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି। ଏହି ମାସରେ ଲୋକମାନେ ପୂର୍ଣ୍ଣ ଭକ୍ତି ସହିତ ଶିବଙ୍କୁ ପୂଜା କରନ୍ତି। ବର୍ତ୍ତମାନ ଏହା ବୋଲବମ ମାସ ଭାବରେ ମଧ୍ୟ ଲୋକପ୍ରିୟ ହେବାରେ ଲାଗିଛି। ଶିବ ଭକ୍ତମାନେ ପାଣି ଭାର ନେଇ ଦୀର୍ଘ ପଥ ଖାଲି ପାଦରେ ଚାଲି ଦେଶର ବିଭିନ୍ନ ଶୈବପୀଠରେ ଜଳାଭିଷେକ କରନ୍ତି।
ଏହି ମାସରେ ଶିବଙ୍କ ବିଭିନ୍ନ ସ୍ୱରୂପକୁ ପୂଜା କରାଯାଏ। ଶିବଙ୍କ ଅନେକ ରୂପ ମଧ୍ୟରେ ଗୋଟିଏ ହେଉଛି ଶ୍ମଶାନ ଦେବତା। ଶିବ ଗୃହସ୍ଥ ହୋଇଥିଲେ ମଧ୍ୟ ଶ୍ମଶାନରେ ରୁହନ୍ତି। ସେ ସଂସାରୀ ହୋଇଥିଲେ ବି ଶ୍ମଶାନରେ କାହିଁକି ରୁହନ୍ତି? ସେ ଏହା ଦ୍ୱାରା ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଅଧିକ ପଢ଼ନ୍ତୁ: ଆପଣ ପ୍ରଥମ ଥର ପାଇଁ ବୋଲ୍ବମ୍ ଯାତ୍ରା କରୁଛନ୍ତି କି; ଜାଣନ୍ତୁ ଏହାର ନିୟମ
Also Read
ଭଗବାନ ଶିବଙ୍କୁ ସନାତନ ଧର୍ମର ସବୁଠାରୁ ରହସ୍ୟମୟ ଦେବତା ଭାବରେ ବିବେଚନା କରାଯାଏ। ତାଙ୍କ ପୋଷାକ ଅନ୍ୟ ଦେବତାମାନଙ୍କ ଠାରୁ ଭିନ୍ନ। ଶିବ ପୁରାଣଙ୍କ ଅନୁଯାୟୀ ଭଗବାନ ଶିବଙ୍କ ପରିବାରରେ ମାତା ପାର୍ବତୀ, ଭଗବାନ ଗଣେଶ, କାର୍ତ୍ତିକେୟ ଏବଂ ନନ୍ଦୀ ଅନ୍ତର୍ଭୁକ୍ତ।
ଗୃହସ୍ଥ ହୋଇଥିଲେ ମଧ୍ୟ ତାଙ୍କର ରୂପ ସମ୍ପୂର୍ଣ୍ଣ ବିପରୀତ। ସେ ତାଙ୍କ ପରିବାର ସହିତ କୈଳାସରେ ରହୁଥିବାରୁ ତାଙ୍କୁ କୈଳାସପତି ମଧ୍ୟ କୁହାଯାଏ। ସେହିପରି ଶ୍ମଶାନରେ ଏକାକୀ ବାସ କରୁଥିବାରୁ ତାଙ୍କୁ ଶ୍ମଶାନ ଦେବତା ମଧ୍ୟ କୁହାଯାଏ। ସେ ମୂଲ୍ୟବାନ ବସ୍ତ୍ର ପରିବର୍ତ୍ତେ ଭସ୍ମ ଧାରଣ କରନ୍ତି।
ଶ୍ମଶାନରେ ବାସ କରିବାର କାରଣ:
ଶିବଜୀଙ୍କୁ ସାଧାରଣତଃ ପରିବାରର ଦେବତା ବୋଲି କୁହାଯାଏ। ସେଥିପାଇଁ ଅଧିକାଂଶ ଗୃହସ୍ଥ ଲୋକେ ଶିବ ପରିବାରର ମୂର୍ତ୍ତି କିମ୍ବା ଚିତ୍ରକୁ ସେମାନଙ୍କ ପୂଜା ସ୍ଥାନରେ ରଖନ୍ତି। ସେ ସାଂସାରିକ ହୋଇ ମଧ୍ୟ ଶ୍ମଶାନରେ ରହିବାର କାରଣ ହେଉଛି ସମଗ୍ର ସଂସାର ବା ପରିବାର ହେଉଛି ମୋହ-ମାୟାର ପ୍ରତୀକ। ଅନ୍ୟପକ୍ଷରେ ଶ୍ମଶାନ ହେଉଛି ବୈରାଗ୍ୟ(ତ୍ୟାଗ)ର ପ୍ରତୀକ ବୋଲି କୁହାଯାଏ। ଏ ଧାଁଧପଡ ଜୀବନ ଭିତରେ ଶ୍ମଶାନ ହେଉଛି ଅନ୍ତିମ ଲକ୍ଷ। ଏଭଳି ଚିନ୍ତାକୁ ସନାତନ ଧର୍ମରେ କ୍ଷଣିକ ବୈରାଗ୍ୟ ବୋଲି କୁହାଯାଏ।
ଅଧିକ ପଢ଼ନ୍ତୁ: ଶିବଙ୍କୁ ପ୍ରସନ୍ନ କରିବା ପାଇଁ କାଉଡିଆମାନେ କାହିଁକି ଦିଅନ୍ତି 'ବୋଲବମ୍' ନାରା
ଶ୍ମଶାନ ଶାନ୍ତିର ପ୍ରତୀକ:
ଭଗବାନ ଶିବ ଶ୍ମଶାନରେ ବାସ କରିବା ସୂଚାଏ ଯେ ପ୍ରତ୍ୟେକ ବ୍ୟକ୍ତି ସଂସାରରେ ରହି ନିଜର ସମସ୍ତ କର୍ତ୍ତବ୍ୟକୁ ପୂରା ନିଷ୍ଠାର ସହିତ ପାଳନ କରିବା ଉଚିତ। ସରଳ ଭାଷାରେ କହିବାକୁ ଗଲେ ଶିବଙ୍କର ଏହି ରୂପ ଶିକ୍ଷା ଦିଏ ଯେ ଜୀବନରେ ସବୁକିଛି କରିବା ବେଳେ ମନ ଏବଂ ଆତ୍ମାରେ ବୈରାଗ୍ୟକୁ ଧାରଣ କରିବା ଉଚିତ। ଏହା ଦ୍ୱାରା ଜୀବନରେ ଶାନ୍ତି ପ୍ରାପ୍ତ ହୁଏ।
ଧାର୍ମିକ ବିଶ୍ୱାସ:
ଶିବ ଶ୍ମଶାନରେ ବାସ କରିବାକୁ ନେଇ ଏକ ଧାର୍ମିକ ବିଶ୍ୱାସ ମଧ୍ୟ ରହିଛି। ସନାତନ ଧର୍ମରେ ଶିବଙ୍କୁ ବ୍ରହ୍ମାଣ୍ଡର ସଂହାରକ ଭାବରେ ବିବେଚନା କରାଯାଏ। ବିଶ୍ୱାସ ଅନୁଯାୟୀ, ଏହି ଜଗତ ସୃଷ୍ଟି ହୁଏ ଏବଂ ନଷ୍ଟ ମଧ୍ୟ ହୁଏ।
ସାଧାରଣତଃ ଶ୍ମଶାନ ହେଉଛି ଜୀବନର ଅନ୍ତିମ ସ୍ଥାନ। ଏଠି ସବୁକିଛି ଭସ୍ମ ହୋଇଥାଏ। ସେଥିପାଇଁ ଶିବଙ୍କ ବାସସ୍ଥାନ ଏପରି ଏକ ସ୍ଥାନ, ଯେଉଁଠାରେ ମାନବ ଶରୀର, ସେହି ଶରୀର ସହିତ ଜଡିତ ସମସ୍ତ ସମ୍ପର୍କ, ପ୍ରତ୍ୟେକ ମୋହ ଏବଂ ସମସ୍ତ ପ୍ରକାରର ବନ୍ଧନ ସମାପ୍ତ ହୁଏ। ଶେଷରେ ଆତ୍ମା ଶିବମୟ ହୋଇଯାଏ। ଏସବୁ କାରଣରୁ ଶିବ ଶ୍ମଶାନରେ ବାସ କରନ୍ତି ବୋଲି ବିଶ୍ୱାସ କରାଯାଏ।
ପାଉଁଶ ବା ଭସ୍ମ ଧାରଣର ବାର୍ତ୍ତା:
ଅଘୋରୀ, ସନ୍ନ୍ୟାସୀ ଏବଂ ଅନେକ ସାଧୁ ସେମାନଙ୍କ ଶରୀରରେ ପାଉଁଶ ବା ଭସ୍ମ ଲଗାନ୍ତି। ବାସ୍ତବରେ ଭସ୍ମ ଆମ ଶରୀରରେ ଥିବା ରୋମମୂଳକୁ ବନ୍ଦ କରିଦିଏ। ଶରୀରରେ ଭସ୍ମ ଲଗାଇଲେ ଗ୍ରୀଷ୍ମରେ ଗରମ ଏବଂ ଶୀତରେ ଥଣ୍ଡା ଅନୁଭବ ହୁଏ ନାହିଁ। ଏହିପରି ଭସ୍ମ ଧାରଣ କରି ଶିବ ମଧ୍ୟ ଏହି ବାର୍ତ୍ତା ଦିଅନ୍ତି ଯେ ସବୁଠାରୁ ଭଲ ଗୁଣ ହେଉଛି ପରିସ୍ଥିତି ଅନୁଯାୟୀ ନିଜକୁ ଗଢିବା।