• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କାଚକେନ୍ଦୁ ପରି ପାଣି...ହଜାର ହଜାର ଶ୍ରଦ୍ଧାଳୁ ଆସି ପକାଉଛନ୍ତି ବୁଡ଼ । କାରଣ ସେଇଠି ଗାଧୋଇଲେ ମୂଳେ ପୂଣ୍ୟ ଫଳ । ସେଇଥି ଲାଗି ତ ଭକ୍ତଙ୍କର ଲାଗି ରହିଛି ପ୍ରବଳ ଗହଳି । ବିଶେଷ କରି ବୈଶାଖ ମାସରେ ଆୟୋଜନ ହୁଏ ଗଙ୍ଗାଦେବୀଙ୍କ ଜନ୍ମଉତ୍ସବ..ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୁଏ ଆଧ୍ୟାତ୍ମିକ ପରିବେଶ ।

ଲୋକ ବିଶ୍ୱାସ ଅଛି, ତ୍ରେତୟା ଯୁଗରେ ପିତୃ ସତ୍ୟ ପାଳନ ପାଇଁ ଶ୍ରୀରାମ, ଲକ୍ଷ୍ମଣ ଓ ଦେବୀ ସୀତା ବନବାସ କରିଥିଲେ । ଆଉ ସେହି ବନବାସ ସମୟରେ ଘଂଚ ବନରେ ବୁଲୁଥିବା ବେଳେ ଦେବୀ ସୀତାଙ୍କୁ ପ୍ରବଳ ଶୋଷ ଲାଗଥିଲା । ରାମ ଓ ଲକ୍ଷ୍ମଣ ଘଂଚ ଜଙ୍ଗଳରେ ପାଣି ଖୋଜିଲେ । ହେଲେ କୌଣସି ସ୍ଥାନରେ ପାଣି ମିଳିଲା ନାହିଁ । ତେଣୁ ମର୍ଯ୍ୟାଦା ପୁରୁଷ ରାମଙ୍କ ଆଦେଶରେ ଲକ୍ଷ୍ମଣ ପାତାଳକୁ ଶର ମାରି ଗଙ୍ଗାଙ୍କୁ ଆଣିଥିଲେ । ଆଉ ଗଙ୍ଗା ସୃଷ୍ଟି ହେବା ପରେ ସେଇଥିରୁ ପାଣି ପିଇ ନିଜ ଶୋଷ ମେଣ୍ଟାଇ ଥିଲେ ଦେବୀ ସୀତା ।

ସେଦିନ ଥିଲା ବୈଶାଖ ପୂର୍ଣ୍ଣିମା...ବଣରେ ବୁଲିବୁଲି ଶୋଷ ହେବାରୁ ପାତାଳ ଗଙ୍ଗାରୁ ପାଣି ପିଇଥିଲେ ମାଆ ସୀତା । ତେଣୁ ବିଶ୍ୱାସ ରହିଛି ବୈଶାଖ ମାସର ପୂର୍ଣ୍ଣିମାରେ ହିଁ ପାତାଳରୁ ଗଙ୍ଗା ମାଆଙ୍କ ଆବିର୍ଭାବ ହୋଇଥିଲା । ତେଣୁ ଏହି ପୁଣ୍ୟ ଦିନରେ ବୁଡ ପକାଇବାକୁ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । କାରଣ ବିଶ୍ବାସ ରହିଛି ଏଇଠି ବୁଡ ପକାଇଲେ ଚର୍ମ ରୋଗ ହୁଏ ନାହିଁ ।

ପାତାଳଗଙ୍ଗା ତୀର୍ଥସ୍ଥଳୀ ନୂଆପଡା ଜିଲ୍ଲା ବୋଡେନ ବ୍ଲକରେ ରହିଛି । ଏଠାରେ କେଉଁ ଅନାଦି କାଳରୁ ଗଙ୍ଗାଙ୍କୁ ପୂଜା କରାଯାଉଥିବା ବେଳେ ଶ୍ରୀ ଜଗନ୍ନାଥ,ମହାଦେବ,ଦେବୀ ଦୁର୍ଗା, ରାଧକୃଷ୍ଣ ଆଦି ଅନେକ ଦେବାଦେବୀଙ୍କୁ ଆରାଧନା କରାଯାଏ । ୧୨ ମାସରେ ୧୩ ପର୍ବ ପାଳନ ହେଉଥିବା ବେଳେ ବୈଶାଖ ପୂର୍ଣ୍ଣିମାରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାନ୍ତି । ଖାଲି ଜିଲ୍ଲା କି ରାଜ୍ୟ ନୁହେଁ ବରଂ ପଡୋଶୀ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଧାଳୁ ଆସି ବୁଡ ପକାଇବା ସହିତ ମାଆଙ୍କ ପାଖରେ ଅନେକ କିଛି ମନାସିଥାଆନ୍ତି ।

ଆମେ ସମସ୍ତେ ଜାଣନ୍ତି ଗଙ୍ଗା ନଦୀ ହିମାଳୟରୁ ଆର୍ବିଭାବ ହୋଇ ସମୁଦ୍ରରେ ମିଶିଛି । କିନ୍ତୁ କୁହାଯାଏ, ନୂଆପଡାରେ ଗଙ୍ଗା ପାତାଳରୁ ଆର୍ବିଭାବ ହୋଇଛନ୍ତି । ଯେଉଁଥି ଲାଗି ଏହି ସ୍ଥାନର ସ୍ୱତନ୍ତ୍ରତା ରହିଛି ।

 

  • Reported by:
  • MAYADHAR SARAF