• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜମୁଛି କଟକର ଐତିହାସିକ ମେଳା । ଦିନ ଗଡ଼ିବା ସହ ମେଳାରେ ବଢ଼ି ବଢ଼ି ଚାଲିଛି ଭିଡ । ପ୍ରତିବର୍ଷ ବାଲିଯାତ୍ରାରେ କିଛି ନୂଆ କରିବା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ । ପୂର୍ବଥର କଟକ-ଇନ୍‌-କଟକରେ ଦର୍ଶକଙ୍କ ବେଶ୍‌ ଭିଡ଼ ଜମିଥିଲା । ଏବର୍ଷ ସେଥିରେ ଗ୍ରାମ୍ୟ ବାତାବରଣର ଛୁଙ୍କ ଦେଇଛି ଜିଲ୍ଲା ପ୍ରଶାସନ । ପ୍ରତିବର୍ଷ ଭଳି ଏବର୍ଷ ବି ପ୍ରମୁଖ ଆକର୍ଷଣ ପାଲଟିଛି ଓଡ଼ିଶାର ପାରମ୍ପରିକ ପିଠାର ସ୍ୱତନ୍ତ୍ର ଷ୍ଟଲ୍ । ଆଉ ଏସବୁ ପିଠାକୁ ପ୍ରସ୍ତୁତ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।

କଟକରେ ଥିବା ମା ମହାଲକ୍ଷ୍ମୀ ମହିଳା ମିଶନ ଶକ୍ତିର ପ୍ରାୟ ୯୦ ଜଣ ମହିଳା ଓଡ଼ିଆଣୀ ଘରର ସେହି ପାରମ୍ପରିକ ପିଠା କାକରା ଠାରୁ ଆରମ୍ଭ କରି ଆରିସା, ମଣ୍ଡା,ଚକୁଳି ଆହୁରି କେତେ କଣ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ପ୍ରାୟ ୧୪୨ରୁ ଉର୍ଦ୍ଧ ପ୍ରକାରର ଏସବୁ ପିଠାର ମଜା ନେଉଛନ୍ତି ଦର୍ଶକ ।

ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ଚଳିତବର୍ଷ ବାଲିଯାତ୍ରା ପଡିଆରେ ଲୋକଙ୍କୁ ମିଳିଛି ଏକ ନିଆରା ଅନୁଭୂତି । ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।

ଟନେଲ୍ ଭିତରେ ସମୁଦ୍ର ତଳର ନିଆରା ଅନୁଭୂତି । ଯୁଆଡେ ଆଖି ବୁଲାଇବେ, ଦେଖିବାକୁ ମିଳିବ ଭଳିକି ଭଳି ଜଳଜୀବ । କଳା, ଧଳା, ନାଲି, ହଳଦିଆ, ଛାପିଛାପିକା ମାଛ ସାଂଗକୁ ଛୋଟ ସାର୍କ, ଜେଲି ଫିସ ଆଉ କେତେ କଣ । କଟକ ବାଲିଯାତ୍ରା ପଡିଆରେ କରାଯାଇଥିବା ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ ୨୦୦ ଫୁଟ ଲମ୍ବ, ୬୦ ଫୁଟ ଚଉଡ଼ା । ଏହି ଟନେଲରେ ରହିଛି ହଜାରରୁ ଅଧିକ ପ୍ରଜାତିର ସାମୁଦ୍ରିକ ମାଛ । ଟନେଲରେ ପଶିଲେ ଆପଣଙ୍କୁ ଲାଗିବ ଯେମିତି ସମୁଦ୍ର ଭିତରେ ଆପଣ ଚାଲି ଚାଲି ଯାଉଛନ୍ତି ।

କେବଳ ଯେ ଏହି ଅଣ୍ଡର ୱାଟର ଟନେଲ ଆକ୍ୱାରିୟମ ଭିତରେ ମାଛ ଅଛନ୍ତି, ତାନୁହେଁ ବରଂ ଫଟୋ ସେସନ୍ ପାଇଁ ବଡ ବଡ ହାତୀ ପ୍ରତିମୂର୍ତ୍ତି ବି ରହିଛି । ଲୋକେ ବୁଲି ବୁଲି ମାଛ ଦେଖିବା ସହ ହାତୀ ପ୍ରତିମୂର୍ତ୍ତି ପାଖରେ ଠିଆ ହୋଇ ଫଟୋ ବି ଉଠାଉଛନ୍ତି ।

ବାଲିଯାତ୍ରାରେ ମିଳିଛି ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଈ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିଛି ବାଲିଯାତ୍ରାରେ। ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହୋଇଛି କଟକ ଇନ୍ କଟକ ପାଭିଲିଅନ୍ ।