ପୂଜାରେ ଗୀତ ଓ ନାଚ ବନ୍ଦ: ପରିବାର ଚଳାଇବା ଚିନ୍ତାରେ କଳାକାର

ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ

ଚିନ୍ତାରେ କଳାକାର

News Summary

ଏଥର ଦୁର୍ଗାପୂଜାରେ ମଧ୍ୟ ଆୟୋଜନ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

ପରିବାର କିଭଳି ପ୍ରତିପୋଷଣ କରିବେ ଚିନ୍ତାରେ ମେଲୋଡି କଳାକାର

କରୋନା ମାଡ଼ରେ ପ୍ରଭାବିତ କଟକର ଅନେକ ମେଲୋଡି କଳାକାର

ଆଗକୁ ଅଳ୍ପ ସଂଖ୍ଯକ ଲୋକରେ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେବାକୁ ଦାବି

କଟକ: ସମସ୍ତଙ୍କ ଅପେକ୍ଷା ରହିଥାଏ କେବେ ଆସିବ ଦଶହରା । କାରଣ ଦଶହରାରେ ମାଆଙ୍କ ମୂର୍ତ୍ତି ତିଆରିଠୁ ଆରମ୍ଭ କରି ସାଜସଜା, ସାଂସ୍କୃତିକ ଆଦି କାର୍ଯ୍ୟକ୍ରମରୁ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ବିଭିନ୍ନ କାରବାରରେ ଜଡିତ ବ୍ୟବସାୟୀ ।

ହେଲେ କରୋନା ପାଇଁ ଦୁଇ ବର୍ଷ ହେଲା ସମସ୍ତେ ହାତବାନ୍ଧି ବସିଛନ୍ତି । ତେବେ କାରୋନା ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ମେଲୋଡି କଳାକାର । ପୂର୍ବବର୍ଷ ଭଳି ଏଥର ମଧ୍ୟ ସରକାରଙ୍କ କଟକଣା ପାଇଁ ମେଲୋଡି କାର୍ଯ୍ୟକ୍ରମରୁ ବଞ୍ଚିତ କଳାକାର । ଫଳରେ କିଭଳି ଚଳାଇବେ ପରିବାର ସେହି ଚିନ୍ତା ଏବେ ସେମାନଙ୍କୁ ଘାରିଛି ।

ଆଉ କିଛି ଦିନ ପରେ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଜଗତଜନନୀ ମାଆ ଦୁର୍ଗା । ହେଲେ ଗତବର୍ଷ ଭଳି ଏଥର ମଧ୍ୟ କାହାରି ମନରେ ସରାଗ ନାହିଁ । ବିଶେଷ କରି ଦୁର୍ଗାପୂଜା ସମୟରେ ମେଲୋଡି କଳାକାରଙ୍କ ଥାଏ ବହୁ ଡିମାଣ୍ଡ । ବିଭିନ୍ନ ପୂଜା ମଣ୍ଡପରେ ମେଲୋଡି କାର୍ଯ୍ୟକ୍ରମରୁ କଳାକାର ରୋଜଗାର କରିଥାଏ । ହେଲେ ମହାମାରୀ କରୋନା ପାଇଁ ଏବର୍ଷ ମଧ୍ୟ ମେଲୋଡି କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଫଳରେ ଚିନ୍ତାରେ କଳାକାର । ଦୀର୍ଘ ମାସ ହେଲା ପଡି ରହି ବାଦ୍ୟଯନ୍ତ୍ର ବି ନଷ୍ଟ ହେବାକୁ ବସିଲାଣି । ବାଦ୍ୟଯନ୍ତ୍ର ସବୁ ଘୋଡାଇ ରଖାଯାଇଥିବା ବେଳେ କିଛି କିଛି ଉଇ ମଧ୍ୟ ଖାଇଗଲାଣି । ମେଲୋଡି କଳାକାର ଏବେ ରୋଜଗାର ହରାଇ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଆଉ କିଛି କଳାକାର ଜୀବିକା ମଧ୍ୟ ବଦଳାଇ ସାରିଲେଣି । ଏଥର ମଧ୍ୟ ପୂଜାରେ ନହେଲା ନାହିଁ, ଆଗକୁ ବାହାଘର, ବ୍ରତଘର ଆଦିରେ କିଛି କିଛି କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି କଳାକାର ।

ଖାସ କରି କଟକରେ ରହୁଥିବା ମେଲୋଡି କଳାକାର ଏବଂ ଲାଇଟ୍ ସାଉଣ୍ଡ କାମ କରି ପେଟ ପୋଷୁ ଥିବା ଲୋକେ ନିରାଶ ହୋଇଛନ୍ତି । ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବା ଆଶା ରଖି ମଧ୍ୟ ନିରାଶ ହୋଇଥିବା କହିଛନ୍ତି କଳାକାର । ତେଣୁ ସୀମିତ ସଂଖ୍ୟାରେ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଅନୁମତି ଦିଆଯାଉ । ନହେଲେ ଆଗକୁ ଆହୁରି ଦୁର୍ଦ୍ଦଶା ମଧ୍ୟକୁ ଠେଲି ହୋଇଯିବେ ବୋଲି କହିଛନ୍ତି କଳାକାର ।