/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651237316.jpg)
Akshaya Tritiya
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ପବିତ୍ର ଅକ୍ଷୟ ତୃତୀୟା ଚଷା ପୁଅଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ଏହି ଦିନରେ ଅକ୍ଷିମୁଠି ଅନୁକୂଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଖଳାକୁ ଆସେ ଭଲ ଫସଲ । ତେବେ ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ ।
ଅକ୍ଷୟ ତୃତୀୟା ଦିନ ଚଷାପୁଅ ସକାଳୁ ସକାଳୁ ଉଠି ଚାଷ ଜମିରେ ପହଞ୍ଚି ଅକ୍ଷିମୁଠି ଅନୁକୁଳ କରେ । ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା । ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ ଚଷାପୁଅ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ ।
ସେହିଭଳି ଏହି ଦିନ ବଳଦକୁ ଗାଧୋଇ, ତା ମୁଣ୍ଡରେ ସିନ୍ଦୁର ହଳଦୀ ଲଗାଇ ପୂଜାର୍ଚ୍ଚନା କରାଯାଏ । ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ। କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜିବୀତ ରହିଛି ।
ତେବେ ଅକ୍ଷୟ ତୃତୀୟା ଦିନର ଅନେକ ବିଶେଷତ୍ତ୍ୱ ରହିଛି
- ଅକ୍ଷୟ ତୃତୀୟା ଅବସରରେ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଥାଏ ।
- ଏହି ଦିନରେ ପଡ଼େ ପର୍ଶୁରାମ ଓ ଜୟଦେବଙ୍କ ଜୟନ୍ତୀ
- ସେହିପରି ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବତା ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୋଇଥାଏ
- ଅନ୍ୟପଟେ ଏହି ଶୁଭଦିନରେ ବଦ୍ରିନାଥ ଖୋଲିବାର ବିଧି ରହିଛି
- ଅକ୍ଷୟ ତୃତୀୟା ଦିନ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)