• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଚୈତ୍ର ମାସ ଲାଗି ଏବେ ସବୁଠି ଚାଲିଛି ଦଣ୍ଡଯାତ୍ରା । ଆସ୍ଥା ଓ ବିଶ୍ୱାସ ଲାଗି ଦେବୀଙ୍କ ପାଖରେ ଦଣ୍ଡୁଆଙ୍କର ଲାଗିଛି ଭିଡ଼ । ହେଲେ ଜଣେ କୁନି ଦଣ୍ଡୁଆଙ୍କୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ନିଜ ମାଆକୁ ନିଜ ପାଖକୁ ଫେରାଇବା ଆଣିବା ଲାଗି ମାନସିକ କରି ଦଣ୍ଡ ଯାତ୍ରାରେ ସାମିଲ ହୋଇଛନ୍ତି କୁନି ଭକ୍ତ ।

ମାତ୍ର ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ଗୋଟିଏ ହାତରେ ପିଞ୍ଛମୁଠା ତ ଅନ୍ୟହାତରେ ବାନା ବାଡ଼ି ଧରିଛନ୍ତି  । ହଳଦିଆ ବସ୍ତ୍ର ପିନ୍ଧି କାନ୍ଧରେ ପଇତା ପକାଇ ଖାଲି ପାଦରେ ଦଣ୍ଡୁଆଙ୍କ ଗହଣରେ ରହି ଗାଁ କୁ ଗାଁ ବୁଲୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା । ଗଞ୍ଜାମ ବେଲଗୁଣ୍ଠା ବ୍ଲକ ବେଣାକୁନ୍ଦା ଗାଁର ଠାକୁର ପ୍ରସାଦ ଅଧିକାରୀ ଯେଉଁ ପ୍ରୟାସ କରିଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପାରିବାରିକ କଳହ କାରଣରୁ ୬ ମାସ ହେଲା ଠାକୁର ପ୍ରସାଦଙ୍କ ମାଆ ଶାଶୂଘର ଆଉ ପୁଅକୁ ଛାଡି ନିଜ ବାପା ଘରକୁ ଚାଲି ଯାଇଛନ୍ତି । ମାଆ ଚାଲିଯିବା ପରେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଠାକୁରପ୍ରସାଦ । ତେଣୁ ମାଆଙ୍କୁ ଫେରାଇ ଆଣିବା ଲାଗି ଏମିତି ଦଣ୍ଡୁଆ ସାଜିଛନ୍ତି ଏଇ କୁନି ପୁଅ । କିଛି ଦିନ ପୂର୍ବରୁ ମାଆ ଦକ୍ଷିଣକାଳୀଙ୍କ ଦଣ୍ଡରେ ସାମିଲ ହେବା ତାଙ୍କୁ ସ୍ବପ୍ନାଦେଶ ହେବା ପରେ ଯେତେ ଦୁଃଖ କଷ୍ଟ ଆସିଲେ ବି ଦଣ୍ଡ ଯାତ୍ରାରେ ନିଜକୁ ସାମିଲ କରିଥିବା କହିଛନ୍ତି ଏଇ କୁନି ଦଣ୍ଡୁଆ ।

ମିଳିଥିବା ସୂଚନା ଅନୁସାରେ, ସ୍ତ୍ରୀ ଛାଡ଼ିକି ଯିବା ପରେ ମାଆ କାଳୀଙ୍କ ପାଖରେ ମାନସିକ ରଖି ଦଣ୍ଡଯାତ୍ରାରେ ସାମିଲ ହୋଇଥିଲେ ଠାକୁର ପ୍ରସାଦଙ୍କ ବାପା ନିଗମ ପ୍ରସାଦ । ଆଉ ବାପାଙ୍କ ଏମିତି ପ୍ରୟାସରେ ନିଜକୁ ସାମିଲ କରିବାକୁ ଇଚ୍ଛା କରିଥିଲେ ପୁଅ । ଖାଲି ଇଚ୍ଛା କରିଥିଲେ ତାହା ନୁହେଁ ବରଂ ଦଣ୍ଡ ଯାତ୍ରାରେ ସାମିଲ ବି ହେଲେ ।

ତେବେ ପ୍ରଥମଥର ୧୦ ବର୍ଷର ପୁଅକୁ ଦଣ୍ଡଯାତ୍ରାରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ କୁନି ପୁଅ କାହିଁକି ଦଣ୍ଡଯାତ୍ରାରେ ସାମିଲ ହୋଇଛନ୍ତି ଜାଣିବା ପରେ ମାଆ ତାଙ୍କ ପାଖକୁ ତୁରନ୍ତ ଫେରି ଆସନ୍ତୁ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ସାଥୀ ଦଣ୍ଡୁଆମାନେ । ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକ କଳା ଭିତରେ ଦଣ୍ଡ ଯାତ୍ରା ହେଉଛି ଅନ୍ୟତମ । ଖାସ୍‌ କରି ଭଞ୍ଜନଗର ଗାଲେରୀ ଗାଁରେ ଥିବା ମାଆ ଦକ୍ଷିଣ କାଳୀଙ୍କ ଦଣ୍ଡ ବେଶ୍ ପ୍ରସିଦ୍ଧ । ୧୩ ଦିନ ଧରି ଚାଲିଥିବା ଏହି ଦଣ୍ଡଯାତ୍ରାରେ ଅନେକ ସାମିଲ ହୁଅନ୍ତି । ଆଉ ଏହି ଦଣ୍ଡରେ ଏଥର ନୂଆକରି ସାମିଲ ହୋଇଛନ୍ତି ଠାକୁର ପ୍ରସାଦ ।

 

  • Reported by:
  • Rajesh Kumar Panda