ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ଏପର୍ଯ୍ୟନ୍ତ 'ଦ କାଶ୍ମୀର ଫାଇଲ୍ସ' ଏବଂ 'ଦ କେରଳ ଷ୍ଟୋରୀ' ଦେଖି ନାହାଁନ୍ତି। ଏହି ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସ୍ରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। କିନ୍ତୁ ଅନେକ ଏହାକୁ ପ୍ରଚାରଧର୍ମୀ ଚଳଚ୍ଚିତ୍ର ବୋଲି କହିଥିଲେ।
ଉଭୟ ଚଳଚ୍ଚିତ୍ର ଏକ ନିର୍ଦ୍ଦିଷ୍ଟ ଧର୍ମର ନକାରାତ୍ମକ ଚିତ୍ରକୁ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଥିଲା। ବିଶାଲ ଭରଦ୍ୱାଜ ଏପର୍ଯ୍ୟନ୍ତ ଏହି ଫିଲ୍ମ ଦେଖି ନଥିବାର କାରଣ କହିଛନ୍ତି। ଏହି ଚଳଚ୍ଚିତ୍ରର କାହାଣୀକୁ ସମ୍ବେଦନଶୀଳ ଭାବେ ନେବାକୁ ସେ ଅନେକ ଚଳଚ୍ଚିତ୍ର ନିର୍ମାତାଙ୍କୁ ପରାମର୍ଶ ଦେଇଛନ୍ତି।
ବିଶାଲ ଭରଦ୍ୱାଜ କହିଛନ୍ତି, “ମୁଁ ‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଦ କେରଳ ଷ୍ଟୋରୀ’ ଦେଖି ନାହିଁ ଏବଂ ମୁଁ ସେଗୁଡିକୁ ଦେଖିବା ଭଳି ମଧ୍ୟ ଅନୁଭବ କରି ନାହିଁ। ମୁଁ ଏହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ ଶୁଣୁଥିବା କଥା ଦ୍ୱାରା ପ୍ରଭାବିତ ହେବାକୁ ଚାହୁଁ ନଥିଲି। ବନ୍ଧୁ ଏବଂ ପରିଚିତମାନେ ମୋତେ କହିଥିଲେ ଯେ ଏହି ଦୁଇଟି ହେଉଛି ପ୍ରଚାରଧର୍ମୀ ଚଳଚ୍ଚିତ୍ର। ତେଣୁ ମୁଁ ଏଥିରୁ ଦୂରେଇ ରହିବାକୁ ଚାହୁଁଥିଲି କାରଣ ମୋ ପାଇଁ ଏହା ଏକ ସମ୍ବେଦନଶୀଳ ବିଷୟ ଅଟେ।”
Also Read
ବିଶାଲ ଭରଦ୍ୱାଜ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଆହୁରି ମଧ୍ୟ କହିଛନ୍ତି, “ଯଦି ଏତେ ନକାରାତ୍ମକତା ଥାଏ ତେବେ ମୁଁ ସେହି ନକାରାତ୍ମକତାରୁ ଦୂରେଇ ରହିବାକୁ ଚାହେଁ, ମତେ ଶାନ୍ତି ହିଁ ପସନ୍ଦ। ସେଥିପାଇଁ ମୁଁ ସେଗୁଡିଙ୍କୁ ଦେଖିବାକୁ ଚାହେଁ ନାହିଁ।" ଏହା ବ୍ୟତୀତ ଏଭଳି ଚଳଚ୍ଚିତ୍ରର ଗମ୍ଭୀରତା ବୁଝିବା ସହିତ ଏହାର ପ୍ରଚାର ପ୍ରସାର ନ କରିବାକୁ ସେ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ବିଶାଲ ଭରଦ୍ୱାଜ କହିଛନ୍ତି ଯେ ବାସ୍ତବ ଜୀବନର ଦୁଃଖଦ ଘଟଣା ଦ୍ୱାରା ଅନୁପ୍ରାଣିତ କାହାଣୀର ସମ୍ବେଦନଶୀଳତାକୁ ବୁଝିବା ସହ ଏହାକୁ ଗୁରୁତର ସହ ନିଆଯିବା ଉଚିତ। ସେ କହିଛନ୍ତି, “ମୁଁ ଚାହୁଁଛି ମୋର ଚଳଚ୍ଚିତ୍ର ନିର୍ମାତା ସମ୍ପ୍ରଦାୟ ଏପରି କାହାଣୀକୁ ସମ୍ବେଦନଶୀଳ ଭାବରେ ଗ୍ରହଣ କରନ୍ତୁ ଏବଂ ଏହାକୁ ପ୍ରଚାରଧର୍ମୀ ଭାବେ ବ୍ୟବହାର କରନ୍ତୁ ନାହିଁ।”
ପ୍ରକାଶଥାଉ ଯେ ‘ଦ କାଶ୍ମୀର ଫାଇଲ୍ସ’ରେ ଅନୁପମ ଖେର, ଦର୍ଶନ କୁମାର, ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲାବୀ ଯୋଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ୧୯୯୦ ଦଶକରେ କାଶ୍ମୀର ପଣ୍ଡିତମାନଙ୍କ ପଳାୟନ ଉପରେ ଆଧାରୁତ ଥିବା। ଏହାର ନିର୍ଦ୍ଦେଶନା ବିବେକ ଅଗ୍ନିହୋତ୍ରୀ ଦେଇଥିଲେ।
ଅନ୍ୟପଟେ ‘ଦ କେରଳ ଷ୍ଟୋରୀ’କୁ ସୁଦୀପ୍ତୋ ସେନ୍ ନିର୍ଦ୍ଦେଶନା ଦେଇଥିଲେ। ଇସ୍ଲାମିକ୍ ଷ୍ଟେଟ୍ କେରଳର ମହିଳାମାନଙ୍କୁ ଧର୍ମ ପରିବର୍ତ୍ତନ କରେଇ କିପରି ସେମାନଙ୍କ ଟିମ୍ରେ ସାମିଲ୍ କରେ ତାହା ଏହି ଚଳଚ୍ଚିତ୍ରରେ ଦେଖାଯାଇଛି।