Advertisment

Uttam Mohanty: 'ଅଭିମାନ'ରୁ ଆରମ୍ଭ କରି 'ବିଦ୍ୟାରାଣ'ରେ ଶେଷ ସ୍ବାକ୍ଷର, ମହାନାୟକଙ୍କୁ ଝୁରୁଛନ୍ତି ସିନେପ୍ରେମୀ

ସେ ଥିଲେ ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର୍। ସେ ଥିଲେ, ଫିଲ୍ମ ସୁପର୍ ଡୁପର୍ ହିଟ୍... ହଲ୍ ହାଉସଫୁଲ୍। ତାଙ୍କ ଚରିତ୍ର ନୁହେଁ... ତାଙ୍କ ନାଁ ହିଁ ଥିଲା ସିନେମାର ନାୟକ। ସେ ଉତ୍ତମ ମହାନ୍ତି...ଓଲିଉଡ୍ ଜଗତର ଅନ୍ୟତମ ମହାନାୟକ।

ଅଦ୍ୟତନ ହୋଇଛି
uttam mohanty

uttam mohanty

Advertisment

ଅଭିମାନରୁ ଆରମ୍ଭ କରି ବିଦ୍ୟାରାଣରେ ଅଭିନୟର ଶେଷ ସ୍ବାକ୍ଷର ଯାଏଁ ୧୩୫ରୁ ଅଧିକ ସିନେମାରେ ଯାଦୁ ଦେଖାଇଥିଲେ ଏଭରଗ୍ରୀନ୍ ଉତ୍ତମ ମହାନ୍ତି। ରୋମାନ୍ସ ହେଉ କି ଆକ୍ସନ, ଡାଏଲଗ୍ ହେଉ କି ଡାନ୍ସ । ଖାଲି ଓଡ଼ିଆ ନୁହେଁ, ବେଙ୍ଗଲି ଓ ହିନ୍ଦୀ ଫିଲ୍ମରେ ବି କମାଲ୍ କରିଥିଲେ ଉତ୍ତମ ମହାନ୍ତି। ରୁପେଲି ପରଦାର ଏହି ମହାନାୟକଙ୍କୁ ଝୁରୁଛନ୍ତି ସିନେପ୍ରେମୀ।

Advertisment

ଅଧିକ ପଢନ୍ତୁ: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା

ସେ ଥିଲେ ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର୍। ସେ ଥିଲେ, ଫିଲ୍ମ ସୁପର୍ ଡୁପର୍ ହିଟ୍... ହଲ୍ ହାଉସଫୁଲ୍। ତାଙ୍କ ଚରିତ୍ର ନୁହେଁ... ତାଙ୍କ ନାଁ ହିଁ ଥିଲା ସିନେମାର ନାୟକ। ସେ ଉତ୍ତମ ମହାନ୍ତି...ଓଲିଉଡ୍ ଜଗତର ଅନ୍ୟତମ ମହାନାୟକ। ୮୦ ଦଶକ ଯଦି ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ହୁଏ, ସିଏ ଥିଲେ ତାର ସୁନାପୁଅ, ସୁନା ମିରିଗ। ଯିଏ ଆଗାମୀ ୪ ଦଶନ୍ଧି ଧରି ସମ୍ମୋହିତ କରି ରଖିଥିଲେ ଓଡ଼ିଶାର ଅଗଣିତ ସିନେପ୍ରେମୀଙ୍କୁ। ରୋମାନ୍ସ କଲେ ସିଟି ବାଜୁଥିଲା, ସେ କାନ୍ଦିଲେ ଦର୍ଶକଙ୍କ ଆଖି ଭିଜୁଥିଲା, ଡାଇଲଗ୍ କହିଲେ ହଲ୍ କରତାଳିରେ ଫାଟି ପଡ଼ୁଥିଲା, ଆକ୍ସନ ସିନରେ ସିଟି ବାଜୁଥିଲା। ତାଙ୍କ ଚାହାଣି ତରୁଣୀଙ୍କ ଛାତିରେ ବାଜୁଥିଲା, ତାଙ୍କ ହସ ଝିଅଙ୍କ ମନ ଚୋରି କରୁଥିଲା। ରୋମାଣ୍ଟିକ ହିରୋରୁ ବନି ଯାଇଥିଲେ ସିନେପ୍ରେମୀଙ୍କ ମନ ସହରର ଏକମାତ୍ର ରୋମିଓ।

୧୯୫୮ ଡିସେମ୍ବର ୨୩ରେ ବାରିପଦାରେ ଜନ୍ମ ନିଅନ୍ତି ଉତ୍ତମ ମହାନ୍ତି। ଘରର ସାନ ପୁଅ, ଡଉଲଡାଉଲ ଚେହେରାକୁ ହିପ୍ପି ହେୟାରଷ୍ଟାଇଲ୍। କଲେଜ ବେଳୁ ଅଭିନୟ ପ୍ରତି ଆଗ୍ରହ ଥିଲେ ବି, ବାରିପଦାର ବାବୁସାହେବଙ୍କୁ ରୂପେଲି ପରଦାରେ କମାଲ୍ ଦେଖାଇବାର ସୁଯୋଗ ମିଳେ ୧୯୭୭ ମସିହାରେ। ସାଧୁ ମେହେରଙ୍କ ଅଭିମାନ ଚଳଚ୍ଚିତ୍ରରେ ଡେବ୍ୟୁ ସହ, ଓଲିଉଡକୁ ମିଳିଯାଇଥିଲା ପ୍ରଥମ ଚକୋଲେଟ୍ ହିରୋ। ଆଉ ଉତ୍ତମ ବି ପଛକୁ ଫେରି ଚାହିଁ ନାହାନ୍ତି ନିଜ ସିନେ କ୍ୟାରିୟରରେ। ପୁଅ, ଭାଇ ଓ ସ୍ବାମୀ ଚରିତ୍ରଠୁ ରାମାୟଣର ରାମ, ପୁଣି କେତେବେଳେ ଭକ୍ତ ସାଲବେଗର ମୁଖ୍ୟ ଚରିତ୍ର। ସବୁ ଚରିତ୍ରରେ ନିଖୁଣ ଅଭିନୟ କରିଥିବା ଉତ୍ତମଙ୍କ ପ୍ରଥମ ବ୍ଲକବଷ୍ଟର ମୁଭି ଥିଲା ଦଣ୍ଡା ବାଳୁଙ୍ଗା, ଯାହାକି ଲଗାତାର ୨୬ ସପ୍ତାହ ଚାଲି ରେକର୍ଡ ସୃଷ୍ଟି କରିଥିଲା ।

Advertisment

୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ଫିଲ୍ମ ନୟା ଜହର୍ ସମେତ ପ୍ରାୟ ୧୩୫ଟି ଫିଲ୍ମ ଏବଂ ସାରା ଆକାଶ ଭଳି କିଛି ଧାରାବାହିକରେ ମଧ୍ୟ ନିଜ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ଉତ୍ତମ। ଲମ୍ବା କ୍ୟାରିୟରରେ ଅନେକ ନାୟିକାଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିଥିଲେ ବି, ଦର୍ଶକଙ୍କୁ ସବୁଠୁ ବେଶି ପସନ୍ଦ ଆସିଥିଲା ଅପରାଜିତାଙ୍କ ସହ ଉତ୍ତମଙ୍କ ଯୋଡ଼ି। ଅସ୍ତରାଗରୁ ଆରମ୍ଭ ହୋଇ ପୂଜା ଚନ୍ଦନ, ଜାଇଫୁଲ, ଉଦଣ୍ଡି ସୀତା, ଲକ୍ଷ୍ମଣ ରେଖା, ମାଆ ପରି କିଏ ହେବ, ଶଙ୍ଖା ସିନ୍ଦୁର, ତୁଣ୍ଡ ବାଇଦ ଓ ଜଗା ହାତରେ ପଘା ଆଦି ୫୦ରୁ ଅଧିକ ଫିଲ୍ମରେ ଦର୍ଶକ ପସନ୍ଦ କରିଥିବା ଉତ୍ତମ-ଅପରାଜିତାଙ୍କ ରିଲ୍ ଯୋଡ଼ି, ରିୟଲ୍ ପତି-ପତ୍ନୀ ବନିଥିଲେ ୧୯୮୭ ମସିହାରେ। ସୁନା ଚଢ଼େଇରେ ବଲିଉଡ୍ ବିୟୁଟି ଅର୍ଚ୍ଚନା ଜୋଗଲେକର ଏବଂ ପରଦେଶୀ ଚଢ଼େଇରେ ବିଦେଶିନୀ ଆର୍ମିଣ୍ଟାଙ୍କ ସହ ଉତ୍ତମଙ୍କ କେମିଷ୍ଟ୍ରିକୁ ବି ଭରପୁର ଭଲପାଇବା ଦେଇଥିଲେ ଦର୍ଶକ।

ସିନେ ପରଦାରେ ନିଖୁଣ ଅଭିନୟ ପାଇଁ ସର୍ବୋତ୍ତମ ଉତ୍ତମଙ୍କୁ ମିଳିଛି ଅଗଣିତ ସମ୍ମାନ ଓ ସ୍ବୀକୃତି। ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା ଓ ସୁନା ଚଢ଼େଇ ଆଦି ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି କିମ୍ବଦନ୍ତୀ ଅଭିନେତାଙ୍କୁ ୧୯୯୯ରେ ଓଡ଼ିଆ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ ରାଜ୍ୟ ସରକାର। ଜୀବନ ବ୍ୟାପି ସାଧନା ପାଇଁ ତାଙ୍କୁ ୨୦୧୫ରେ ସମ୍ମାନିତ କରିଥିଲା ତରଙ୍ଗ ପରିବାର। ଅଭିନେତାରୁ ରାଜନେତା ବନିବାର ଆଶା ନେଇ ୨୦୧୭ରେ ବିଜେଡିରେ ଯୋଗ ଦେଇଥିଲେ ଉତ୍ତମ। ଏହା ପୂର୍ବରୁ ସେ ଉତ୍କଳ କଂଗ୍ରେସର ଛାତ୍ରଶାଖା ସାଧାରଣ ସଂପାଦକ ଥିଲେ। ତେବେ ରାଜନୀତିରେ ସଫଳତା ସାଉଁଟି ପାରିନଥିଲେ ବି, ଶେଷ ପର୍ଯ୍ୟନ୍ତ ସିନେ ଜଗତରେ ସକ୍ରିୟ ଥିଲେ ଉତ୍ତମ ମହାନ୍ତି। ୭୭ରେ ଅଭିମାନ କରି ଓଲିଉଡକୁ ଆସିଥିବା ସର୍ବୋତ୍ତମ ଉତ୍ତମ, ୨୦୨୨ରେ ପୁଅ ବାବୁଶାନଙ୍କ ସହ ବିଦ୍ୟାରାଣରେ ଅଭିନୟ କରି ନିଜ ଫ୍ୟାନଙ୍କୁ ଦେଇଥିଲେ ଶେଷ ଭେଟି। ଆଉ ଆଜି ମାତ୍ର 67 ବର୍ଷ ବୟସରେ ଜୀବନ ସିନେମାରେ ଅଭିନୟ ସାରି ଆରପାରିକୁ ଚାଲିଯିବା ପରେ ମନେପଡୁଛି ଉଦଣ୍ଡୀ ସୀତାର ସେଇ ଚିର ଅମର ଗୀତ।

Advertisment

ଅଧିକ ପଢନ୍ତୁ:  ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା

Ollywood Uttam Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ