ବଲିଉଡ୍ ହାସ୍ୟ ଅଭିନେତା ତଥା ଖ୍ୟାତନାମା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁକୁ ନେଇ ଉପୁଜିଛି ସନ୍ଦେହ । ଯଦି ବା ସତୀଶଙ୍କର ମୃତ୍ୟୁ ହୃଦଘାତ ଜନିତ ବୋଲି ଡାକ୍ତରୀ ରିପୋର୍ଟ ଆସିଛି, ତଥାପି ବ୍ୟବସାୟିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି କହିଛନ୍ତି ସତୀଶଙ୍କ ଜଣେ ବ୍ୟବସାୟୀ ବନ୍ଧୁଙ୍କ ପତ୍ନୀ । ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ପାର୍ଟି ମନାଇଥିଲେ, ସେଠାକୁ ଯାଇ ପୋଲିସ ତାର ତଦନ୍ତକୁ ଆଗକୁ ବଢାଇଛି । ଏ ଭିତରେ ପୂରା ଘଟଣାରେ ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହିମ ଲିଙ୍କ୍ ମଧ୍ୟ ସାମ୍ନାକୁ ଆସିଛି ।...
ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ହୃଦଘାତରୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ ବି, ଏହାକୁ ନେଇ ବିବାଦ ବଢ଼ିବଢ଼ି ଚାଲିଛି । ହୋଲି ପାର୍ଟିରେ ଡାନ୍ସ କରୁଥିବା ସତୀଶ ହଠାତ୍ କେମିତି ଏତେ ଅସୁସ୍ଥ ହୋଇପଡ଼ିଲେ ସେନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ, ଏହାକୁ ଆହୁରି ଦୃଢ଼ୀଭୂତ କରିଛି ଦିଲ୍ଲୀ ବ୍ୟବସାୟୀ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀଙ୍କ ସଂଗୀନ ଅଭିଯୋଗ । ବ୍ୟବସାୟିକ ଶତ୍ରୁତାରୁ ସତୀଶଙ୍କୁ ତାଙ୍କ ସ୍ବାମୀ ହିଁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିକାଶଙ୍କ ପତ୍ନୀ । ଯେଉଁ ଦିଲ୍ଲୀସ୍ଥିତ ଫାର୍ମ ହାଉସରେ ହୋଲି ପାର୍ଟି କରିବା ପରେ ସତୀଶ ରାତିଅଧରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ସେହି ଫାର୍ମ ହାଉସର ମାଲିକ ହେଉଛନ୍ତି ବିକାଶ ମାଲୁ ।
Also Read
ବିକାଶଙ୍କ ପତ୍ନୀ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ବିକାଶ ଏବଂ ସତୀଶଙ୍କର ବ୍ୟବସାୟିକ ସଂପର୍କ ଥିଲା । ବିକାଶ ସତୀଶଙ୍କଠାରୁ ୧୫ କୋଟି ଟଙ୍କା ଋଣ ନେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ଏନେଇ ଦୁବାଇରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ତେବେ ତାଙ୍କ ସ୍ୱାମୀଙ୍କ ଫାର୍ମହାଉସରେ ସତୀଶଙ୍କ ଦେହାନ୍ତ ପରେ, ସେଠାରୁ କିଛି ଆପତ୍ତିଜନକ ଔଷଧ ମଧ୍ୟ ମିଳିଛି । ତେଣୁ ସତୀଶଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ।...
କେବଳ ଏତିକି ନୁହେଁ, ବିକାଶଙ୍କ ଅଣ୍ଡରୱାଲଡ ଲିଙ୍କର ମଧ୍ୟ ଖୁଲାସା କରିଛନ୍ତି ତାଙ୍କ ପତ୍ନୀ । କହିଛନ୍ତି ବିକାଶଙ୍କ ସହିତ ଅଣ୍ଡରୱାଲଡ ଡନ୍ ଦାଉଦ୍ ଇବ୍ରାହିମର ଲିଙ୍କ୍ ରହିଛି । ବିକାଶ ନିଜେ ତାଙ୍କୁ କହିଥିଲେ ଯେ, ତାଙ୍କ ଘରକୁ ଦାଉଦର ପୁଅ ଅନାସ୍ ଏବଂ ଡାହାଣ ହାତ ମୁସ୍ତାଫା ବାରମ୍ବାର ଆସୁଥିଲେ । ସେମାନଙ୍କର ଫଟୋ ମଧ୍ୟ ତାଙ୍କ ପାଖରେ ଥିବା ଦାବି କରିଛନ୍ତି ବିକାଶ ମାଲୁଙ୍କ ପତ୍ନୀ । ଏପରିକି ବିକାଶଙ୍କ ଦୁବାଇ ପାର୍ଟିକୁ ବି ଦାଉଦର ପୁଅ ଆସିଥିବା ସେ କହିଛନ୍ତି ।...
ଏସବୁର ତନାଘନା ପାଇଁ ବିକାଶଙ୍କ ଦିଲ୍ଲୀ ସ୍ଥିତ ଫାର୍ମହାଉସରେ ପହଞ୍ଚିଥିଲା ଦିଲ୍ଲୀ ପୋଲିସ । ପୋଲିସ ବିକାଶଙ୍କ ଫାର୍ମହାଉସରେ ପହଞ୍ଚି ହୋଲି ପାର୍ଟିରେ ଉପସ୍ଥିତ ଥିବା ଷ୍ଟାଫ୍ ଓ ଗାର୍ଡଙ୍କୁ ପଚରାଉଚରା କରିବା ସହିତ ଏଣ୍ଟ୍ରି ରେଜିଷ୍ଟର୍ ଯାଞ୍ଚ କରିଛି ।
ଦିଲ୍ଲୀ ପୋଲିସର କହିବାନୁଯାୟୀ, ସତୀଶଙ୍କ ଫାର୍ମ ହାଉସର ପ୍ରାୟ ୭ ଘଣ୍ଟାର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି । ଏଥିସହ ଫାର୍ମ ହାଉସରୁ ଜବତ ମେଡିସିନକୁ ପରୀକ୍ଷା ପାଇଁ ପଠାଯାଇଛି । ଏହି ମାମଲାରେ ଏବେ ବି ତଦନ୍ତ ଜାରି ରହିଛି ।
ଅଭିଯୋଗକାରିଣୀ ଅର୍ଥାତ ବିକାଶଙ୍କ ପତ୍ନୀଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ ପୋଲିସ ପ୍ରସ୍ତୁତ ହେଉଛି । ତାଙ୍କୁ ହାଜର ହେବାକୁ ସମନ ଜାରି ହୋଇଥିବା ବେଳେ, ବିକାଶଙ୍କ ପତ୍ନୀ ତଦନ୍ତକାରୀ ଅଫିସର୍ ବଦଳାଇବାକୁ ଦାବି କରିଛନ୍ତି ।...
ଅନ୍ୟପକ୍ଷରେ ବ୍ୟବସାୟୀ ବିକାଶ ମାଲୁ କହିଛନ୍ତି, ମୋ ନାଁକୁ ଖରାପ ଉଦ୍ଦେଶ୍ୟରେ ନିଆଯାଇଛି । ଯଦି ମୁଁ କିଛି ଭୁଲ କରିଛି, ତେବେ ମୁଁ ସବୁକିଛି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ। ମୋର କେବଳ ସତିଶ କୌଶିକଙ୍କ ସହ ପାରିବାରିକ ସଂପର୍କ ଥିଲା । ତାଙ୍କ ସହ କୌଣସି ବ୍ୟବସାୟିକ ସଂପର୍କ ନଥିଲା । ଯିଏ ଏନେଇ ଅଭିଯୋଗ ଉଠାଉଛନ୍ତି, ସେ ଏହାକୁ ପ୍ରମାଣ କରି ଦେଖାଇବାର ଅଛି । ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ, ତାଙ୍କ ପତ୍ନୀ ମିଡିଆରେ ହାଇଲାଇଟ୍ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବିକାଶ।