• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଦୂରଦର୍ଶନର ପ୍ରସିଦ୍ଧ ସିରିଏଲ 'ରାମାୟଣ' ତିଆରି କରି ଚିରଦିନ ପାଇଁ ପ୍ରସିଦ୍ଧ ରାମାନନ୍ଦ ସାଗର ଆଜି ଆମ ମଧ୍ୟରେ ନ ଥାଇପାରନ୍ତି କିନ୍ତୁ ତାଙ୍କର ଆଲୋଚନା ଆଜି ମଧ୍ୟ ଜାରି ରହିଛି। ନିକଟରେ ରିଲିଜ୍ ହୋଇଥିବା ‘ଆଦିପୁରୁଷ’କୁ ନେଇ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ ରାମାନନ୍ଦ ସାଗର ଏବେ ପୁଣି ମନେପଡିଛନ୍ତି।

'ରାମାୟଣ' ତିଆରି କରିଥିବା ଏହି ରାମାନନ୍ଦ ସାଗର କିଏ? ସେ କିପରି ସଂଘର୍ଷ କରି ଏହି ସ୍ଥାନକୁ ଯାଇପାରିଲେ। ତାଙ୍କର ପ୍ରକୃତ ନା’ କ’ଣ? ଆସନ୍ତୁ ଏ ବିଷୟରେ ନଜର ପକେଇ ନେବା।

କେମିତି ହେଲେ ରାମାନନ୍ଦ ସାଗର:

ରାମାନନ୍ଦ ସାଗର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେ ଜଣେ ଲେଖକ, ସାମ୍ବାଦିକ, ସ୍କ୍ରିପ୍ଟ ରାଇଟର୍, ସଂଳାପ ଲେଖକ, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ। ୨୯ ଡିସେମ୍ବର ୧୯୧୭ରେ ବ୍ରିଟିଶ ଭାରତର ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ରାମାନନ୍ଦ ସାଗରଙ୍କ ପ୍ରକୃତ ନାମ ଥିଲା ଚନ୍ଦ୍ରମୌଲି ଚୋପ୍ରା। କୁହାଯାଏ ଯେ ରାମାନନ୍ଦ ସାଗରଙ୍କୁ ତାଙ୍କ ଆଇମା’ ପାଳିଥିଲେ ଏବଂ ସେ ତାଙ୍କୁ ଚନ୍ଦ୍ରମୌଲିରୁ ରାମାନନ୍ଦ ସାଗରରେ ପରିବର୍ତ୍ତନ କରିଦେଇଥିଲେ।

ଲାଳନ ପାଳନ:

ରାମାନନ୍ଦ ସାଗରଙ୍କ ବାପା ଡି.ଏନ୍ ଚୋପ୍ରା ଦୁଇଥର ବିବାହ କରିଥିଲେ। ରାମାନନ୍ଦ ସାଗର ଡି.ଏନ୍ ଚୋପ୍ରାଙ୍କ ପ୍ରଥମ ପତ୍ନୀଙ୍କଠାରୁ ଜନ୍ମ ହୋଇଥିଲେ। ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ରାମାନନ୍ଦଙ୍କୁ ତାଙ୍କ ଆଇମା’ ନେଇ ଲାଳନ ପାଳନ କରିଥିଲେ। ସେ ତାଙ୍କର ନା’କୁ ବଦଳେଇ ନୂଆ ନା’ ଦେଇଥିଲେ।

ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଡି.ଏନ୍ ଚୋପ୍ରା ଶାନ୍ତି ଦେବୀ ଚୋପ୍ରାଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହରୁ ବିଧୁ ବିନୋଦ ଚୋପ୍ରା ଜନ୍ମ ହୋଇଥିଲେ। ତେଣୁ ରାମାନନ୍ଦ ସାଗର ଏବଂ ଭାଇ ବିଧୁ ବିନୋଦ ଚୋପ୍ରା ସାବତ ଭାଇ ଅଟନ୍ତି। ରାମାନନ୍ଦ ସାଗର ତାଙ୍କ ସାନଭାଇକୁ ବହୁତ ଭଲ ପାଉଥିଲେ, ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା।

ଜୀବନ ସଂଘର୍ଷ:

୧୬ ବର୍ଷ ବୟସରେ, ତାଙ୍କର ଗଦ୍ୟ କବିତା ଶ୍ରୀନଗରର ପ୍ରତାପ କଲେଜ ପତ୍ରିକାରେ ପ୍ରକାଶିତ ହେବା ପାଇଁ ମନୋନୀତ ହୋଇଥିଲା। ଯୁବକ ରାମାନନ୍ଦ ଯୌତୁକ ବିରୋଧି ଥିଲେ। ଏହି କାରଣରୁ ତାଙ୍କୁ ଘରୁ ବିଦାକରି ଦିଆଯାଇଥିଲା।

ଏଇଠୁ ଆରମ୍ଭ ହୋଇଥିଲା ତାଙ୍କର ଜୀବନର ସଂଘର୍ଷ। ସେ ପାଠ ପଢା ଜାରି ରଖିବା ପାଇଁ ଟ୍ରକ୍ କ୍ଲିନର୍ ଏବଂ ପିଅନ୍ ଭାବରେ କାମ କରିଥିଲେ। ଏହା ସହିତ ସାବୁନ ବିକ୍ରେତା ଭାବେ ଏବଂ ସୁନା ଦୋକାନରେ ମଧ୍ୟ କାମ କରୁଥିଲେ। ସେ ଦିନରେ କାମ କରି ରାତିରେ ପାଠ ପଢୁଥିଲେ। ମେଧାବୀ କାରଣରୁ ପଞ୍ଜାବ ବିଶ୍ୱବିଦ୍ୟାଳୟ (ପାକିସ୍ତାନ) ରୁ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା ଏବଂ ପାରସ୍ୟ ଭାଷାରେ ଦକ୍ଷତା ପାଇଁ ସେ ମୁଂଶୀ ଫାଜଲ ଆଖ୍ୟା ପାଇଥିଲେ। ପରେ ସେ ଜଣେ ସାମ୍ବାଦିକ ଭାବେ କାମ କରିଥିଲେ, ଏଥି ସହିତ ତାଙ୍କର ଲେଖା ମଧ୍ୟ ଜାରି ରଖିଥିଲେ।

ଭାରତ ବିଭାଜନ ସମୟରେ ସେ ୧୯୪୭ ମସିହାରେ ଭାରତ ଆସିଥିଲେ। ସେହି ସମୟରେ ତାଙ୍କ ପାଖରେ ମାତ୍ର ପାଞ୍ଚ ଅଣା ଥିଲା। ଭାରତରେ ସେ ଫିଲ୍ମ ସେକ୍ଟରରେ ଯୋଗ ଦେଇଥିଲେ ଏବଂ ୧୯୫୦ରେ ନିଜର ଏକ ପ୍ରଡକ୍ସନ୍ କମ୍ପାନୀ ସାଗର ଆର୍ଟ ଗଠନ କରିଥିଲେ, ଯାହାର ପ୍ରଥମ ଚଳଚ୍ଚିତ୍ର ‘ମେହମାନ୍’ ଥିଲା।

୧୯୮୫ ମସିହାରେ, ସେ ଛୋଟ ପରଦାରେ ପ୍ରବେଶ କରିଥିଲେ। ତାଙ୍କ ଦ୍ୱାରା ନିର୍ମିତ ସବୁଠାରୁ ଲୋକପ୍ରିୟ ସିରିଏଲ ‘ରାମାୟଣ’ ଲୋକମାନଙ୍କ ହୃଦୟରେ ଏକ ଆଦର୍ଶ ବ୍ୟକ୍ତି ଭାବରେ ତାଙ୍କର ପ୍ରତିଛବି ସୃଷ୍ଟି କରିଥିଲା। ଲୋକମାନେ ରାମାନନ୍ଦ ସାଗରଙ୍କୁ ମହାକବି ତୁଲସୀ ଦାସର ଅବତାର ବୋଲି ଭାବିବା ଆରମ୍ଭ କରିଥିଲେ।

ବିଧୁ ବିନୋଦ ଚୋପ୍ରାଙ୍କ ଭାଇ:

ଯଦିଓ ରାମାନନ୍ଦ ସାଗର ରାମାୟଣ ପାଇଁ ବହୁତ ପ୍ରସିଦ୍ଧ, କିନ୍ତୁ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଆଉ ଏକ କଥା ହେଉଛି ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ସହ ତାଙ୍କର ଗଭୀର ସମ୍ପର୍କ ଅଛି। ଦୁହେଁ ସାବତ ଭାଇ। ବହୁତ କମ୍ ଲୋକ ଜାଣନ୍ତି ଯେ ଉଭୟଙ୍କ ମଧ୍ୟରେ ପ୍ରାୟ ୩୫ ବର୍ଷର ବ୍ୟବଧାନ ଅଛି।