ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ପୋଲିସର ପଚରାଉଚରା । ଥାନାକୁ ଡାକି ପଚରା ଉଚରା କରୁଛି ହାଇଦ୍ରାବାଦ ପୋଲିସ । ପୁଷ୍ପା-୨ ସିନେମାର ସ୍କ୍ରିନିଂ ବେଳେ ହାଇଦ୍ରାବାଦ ସଂଧ୍ୟା ଫିଲ୍ମ ହଲ ବାହାରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ମହିଳାଙ୍କ ନାବାଳକ ପୁଅ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି ।
ଏହି ଘଟଣାରେ ଏକ ମାମଲା ରୁଜୁ କରି ପ୍ରଥମେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୋଲିସ । ତେବେ ମାମଲାରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଜେଲରୁ ମୁକୁଳିବା ପରେ ଥାନାରେ ହାଜର ପାଇଁ ସମନ କରିଥିଲା ପୋଲିସ । ଏହି ସମନ ଆଧାରରେ ଚିକାଡପାଲ୍ଲି ଥାନାରେ ହାଜର ହୋଇଛନ୍ତି ପୁଷ୍ପା-୨ ସିନେମାର ଅଭିନେତା ଅଲ୍ଲୁ ଅର୍ଜୁନ ।
ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ହାଇଦ୍ରାବାଦ ପୋଲିସର ଘନଘନ ପଚରା ଉଚରା । ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ ୫୦ଟି ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି । ତେବେ ପ୍ରଶ୍ନ ଗୁଡ଼ିକ ପର୍ଯ୍ୟାୟ କ୍ରମେ ଅଲ୍ଲୁ ଅର୍ଜୁନଙ୍କ ଆଗରେ ରଖୁଛି ପୋଲିସ । ପ୍ରତି ପର୍ଯ୍ୟାୟରେ ଅଲ୍ଲୁ ଅର୍ଜୁନଙ୍କୁ ୧୦ଟି ଲେଖାଏଁ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି ।
Also Read
ନିଜ ଓକିଲ ଅଶୋକ ରେଡ୍ଡୀଙ୍କ ସହ ସେ ଥାନାକୁ ଯାଇଛନ୍ତି । ପୁଷ୍ପା-୨ ସିନେମା ସ୍କ୍ରିନିଂ ଦିନ ହଲ ବାହାରେ ରୋଡ ସୋ' ପାଇଁ ଅନୁମତି ଥିଲା କି ? କେତେ ପରିମାଣର ଲୋକ ଏକାଠି ହେବେ ବୋଲି ଅନୁମତି ପତ୍ରରେ ଦର୍ଶାଯାଇଥିଲା ? ଭିଡ଼ ଦେଖିବା ପରେ ରୋଡ ସୋ' ବନ୍ଦ କରିଥିଲେ ନା ଚାଲୁ ରଖିଥିଲେ ? ଦଳାଚକଟା ପଛରେ ତାଙ୍କରେ କଣ ରହିଛି ଭୂମିକା ?
ଘଟଣା ସ୍ଥଳରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଥିଲା କି ? ଯଦି ସୁରକ୍ଷା ନଥିଲା ତେବେ ଏତେ ବଡ଼ ଭିଡ଼କୁ କାହିଁକି ଏକାଠି ହେବାକୁ ଦିଆଗଲା ? ଭିଡ଼ ଏକାଠି ହେବା ଓ ଦଳାଚକଟା ପାଇଁ କାହିଁକି ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରାଯିବ ନାହିଁ ? ଅଲ୍ଲୁ ଅର୍ଜୁନ ଜାଣି ଶୁଣି ଦଳାଚକଟା ଭଳି ସ୍ଥିତି ସୃଷ୍ଟି କରିଥିଲେ କି ?
ଯଦି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ହୋଇନଥିଲା ସେଠାକୁ ଅଲ୍ଲୁ ଅର୍ଜୁନ ଆସୁଥିଲେ କାହିଁକି ? ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର ପାଇଁ କାହିଁକି ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରାଯିବ ନାହିଁ ? ଏଭଳି ଅନେକ ଜଟିଳ ଓ କଠିନ ପ୍ରଶ୍ନ ହାଇଦ୍ରାବାଦ ପୋଲିସ ଅଲ୍ଲୁ ଅର୍ଜୁନଙ୍କ ସାମ୍ନାରେ ରଖିଥିବା ସୂଚନା ମିଳିଛି ।