Advertisment

ଶାହରୁଖ-ଅକ୍ଷୟ-ଅଜୟଙ୍କୁ ଟାର୍ଗେଟ୍ କଲେ ପ୍ରକାଶ ଝା

ସେମାନେ କାହିଁକି ଫିଲ୍ମର ବିଷୟବସ୍ତୁ ପ୍ରତି ଧ୍ୟାନ ଦେବେ? ଗୋଟିଏ ପାନ ମସଲା ବିଜ୍ଞାପନ କରିଦେଲେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିଯାଉଛି। ଏମିତି କହି ଶାହରୁଖ-ଅକ୍ଷୟ-ଅଜୟଙ୍କୁ ଟାର୍ଗେଟ୍ କଲେ ପ୍ରକାଶ ଝା।

author-image
Pramod Behera
ଅଦ୍ୟତନ ହୋଇଛି
Prakash Jha said top actors selling gutkhas for money

Prakash Jha said top actors selling gutkhas for money

ଫିଲ୍ମ ନିର୍ମାତା ତଥା ଅଭିନେତା ପ୍ରକାଶ ଝା ପରୋକ୍ଷରେ ଶାହରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରକାଶ ଝା ଏହି ତିନି କଳାକାରଙ୍କୁ 'ଶ୍ରେଷ୍ଠ ଅଭିନେତା' ଭାବରେ ସମ୍ବୋଧିତ କରି ଟାର୍ଗେଟ୍‌ କରିଛନ୍ତି। ଏକ ସାକ୍ଷାତକାରରେ ପାନ ମସଲା ବ୍ରାଣ୍ଡ୍‌କୁ ସମର୍ଥନ କରୁଥିବାରୁ ଏହି ବଲିଉଡ୍‌ ଅଭିନେତାମାନଙ୍କ ଉପରେ ପ୍ରକାଶ ଝା କଟାକ୍ଷ କରିଛନ୍ତି।

Advertisment

ସେ କହିଛନ୍ତି, "ସେମାନେ କାହିଁକି ତାଙ୍କ ଫିଲ୍ମର ବିଷୟବସ୍ତୁ ପ୍ରତି ଧ୍ୟାନ ଦେବେ? ପାନ ମସଲା ପାଇଁ ଗୋଟିଏ ବିଜ୍ଞାପନ କରିଦେଲେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରେ କୋଟି କୋଟି ଟଙ୍କା ଆସିଯାଉଛି। ମୁଁ ତ ବୁଝିପାରୁନି ନାହିଁ ଏହି ଦିଗ୍‌ଗଜ ଅଭିନେତାମାନେ କ’ଣ କରୁଛନ୍ତି?"

ପ୍ରକାଶ ଝା ଆହୁରି ମଧ୍ୟ କହିଛନ୍ତି, ଇଣ୍ଡଷ୍ଟ୍ରିରେ ଏମିତି ପାଞ୍ଚରୁ ଛଅ ଜଣ କଳାକାର ଅଛନ୍ତି ଯେଉଁମାନେ କେବେବି ମୋ ଫିଲ୍ମରେ କାମ କରିବେ ନାହିଁ, କାରଣ ସେମାନେ ଗୁଟ୍‌ଖା ବିଜ୍ଞାପନରୁ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ଅଛନ୍ତି। ଯେତେବେଳେ ଗୋଟିଏ ଗୁଟଖା ବିଜ୍ଞାପନ ପାଇଁ ସେମାନଙ୍କୁ ୫୦ କୋଟି ଟଙ୍କା ମିଳିଯାଉଛି, ତେବେ ସେମାନେ ମୋ ଫିଲ୍ମରେ କାହିଁକି କାମ କରିବେ? ଅଭିନେତାମାନେ ଗୁଟ୍‌ଖା ବିକ୍ରି କରୁଛନ୍ତି।”

Advertisment

ନିର୍ଦ୍ଦେଶକ ଆହୁରି କହିଛନ୍ତି, “ଏହା ଜନସାଧାରଣଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ। ଆମେ ଲୋକେସନ୍‌ ସ୍କାଉଟିଙ୍ଗ୍ ପାଇଁ ଏକ ବିଦ୍ୟାଳୟକୁ ଯାଇଥିଲୁ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋତେ ପଚାରିଲେ ତୁମେ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ କ’ଣ କରୁଛ? ଆମ ସ୍କୁଲ ପିଲାମାନେ ଗୁଟ୍‌ଖା ଚୋବାଇ ଧରାପଡୁଛନ୍ତି। ଲକ୍ଷ୍ନୌ, ପ୍ରୟାଗରାଜ ଏବଂ ମୋଗଲସରାଇ ଦେଇ ଉତ୍ତର ଦିଗକୁ ଗଲେ, ସେଠାରେ ବହୁତ ବଡ଼ ବଡ ହୋର୍ଡିଂ ଲାଗିଛି ଯେଉଁଠାରେ ଆମର ସମସ୍ତ ବଡ ତାରକା ସବୁପ୍ରକାର ଗୁଟଖା (ତମାଖୁ) ଏବଂ ପାନ ମସାଲା ବିକ୍ରି କରୁଛନ୍ତି।”

ବଏକଟ୍ ଟ୍ରେଣ୍ଡ୍‌ ବିଷୟରେ ଆଲୋଚନା କରି ନିର୍ଦ୍ଦେଶକ କହିଛନ୍ତି, ଯଦି ତୁମ ପାଖରେ କହିବାକୁ ଭଲ କାହାଣୀ ଅଛି ତେବେ କୌଣସି ଟ୍ରେଣ୍ଡ୍‌ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣ ଫିଲ୍ମ ଏବଂ ଟିଭିର କର୍ପୋରେଟ୍ ଦୁନିଆରେ ପ୍ରକୃତ ଚଳଚ୍ଚିତ୍ର ନିର୍ମାଣ କରିପାରିବେ ନାହିଁ। ଏ ସବୁ ଫାଲ୍‌ତୁ ତିଆରି ହେଉଛି। ଯଦି କୌଣସି ଅଭିନେତା ଗୋଟିଏ ବର୍ଷରେ ତିନୋଟି ଫିଲ୍ମ ନିର୍ମାଣ କରନ୍ତି, ସେତେବେଳେ କାହାଣୀ ଉପରେ କାମ କରିବାକୁ ସମୟ ହେବ ନାହିଁ।

ନିକଟରେ ଅକ୍ଷୟ କୁମାର, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କୁ ଏକ ପାନ ମସଲା ବ୍ରାଣ୍ଡ୍‌ ବିଜ୍ଞାପନରେ ଦେଖାଯିବା ପାଇଁ ଟ୍ରୋଲ୍‌ କରାଯାଇଥିଲା। ଅକ୍ଷୟଙ୍କର ଏହି ପୁରୁଣା ଭିଡିଓ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି ଯେଉଁଥିରେ ସେ କହିଥିବା ଶୁଣିବାକୁ ମିଳୁଛି ଯେ ସେ କେବେ ଗୁଟ୍‌ଖା ବିଜ୍ଞାପନ କରିବେ ନାହିଁ।

ଟ୍ରୋଲ୍‌ କରିବା ପରେ ଅଭିନେତା ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗି କହିଛନ୍ତି ଯେ “ମୁଁ ମୋର ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ କ୍ଷମା ମାଗିବାକୁ ଚାହୁଁଛି। ଗତ କିଛି ଦିନ ମଧ୍ୟରେ ଆପଣମାନଙ୍କ ପ୍ରତିକ୍ରିୟା ମୋତେ ବହୁତ ପ୍ରଭାବିତ କରିଛି। ମୁଁ ତମାଖୁକୁ ସମର୍ଥନ କରି ନାହିଁ କି ସମର୍ଥନ କରିବି ନାହିଁ। ମୁଁ ବିମଲ ଇଲାଇ ସହିତ ମୋର ଚୁକ୍ତିନାମାକୁ ଦୃଷ୍ଟିରେ ରଖି ଆପଣମାନଙ୍କ ଭାବନାକୁ ସମ୍ମାନ କରୁଛି। ପୂରା ନମ୍ରତାର ସହିତ ମୁଁ ଏହି ବିଜ୍ଞାପନରୁ ମୋର ନାଁକୁ ପ୍ରତ୍ୟାହାର କରିନେଉଛି।"

Bollywood
Advertisment
Advertisment