• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଲିଉ଼ଡ ଷ୍ଟାର ବାବୁସାନ୍ ମହାନ୍ତିଙ୍କ ବ୍ୟକ୍ତିଗତ ସମସ୍ୟାକୁ ନେଇ ତାଙ୍କ ପରିବାର ଯେତିକି ବ୍ୟସ୍ତ ଓ ବିବ୍ରତ, ତାଠୁ ଅଧିକ ଚିନ୍ତାରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ । କାରଣ ବିବାଦ ପରେ ବାବୁସାନଙ୍କ ଭଳି ପ୍ରଚଣ୍ଡ ପ୍ରତିଭାଭାନ୍ ଅଭିନେତାଙ୍କ ଆଗାମୀ ପଦକ୍ଷେପ କଣ ହେବ, ତାକୁ ନେଇ ଆଶା, ଆଶଙ୍କା? ତାଙ୍କ ଭଳି ହିଟ୍ ନାୟକଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକ ଯିବେ କୁଆଡ଼େ?

ଓଡ଼ିଆ ଫିଲ୍ମ ଜଗତକୁ ଗଲା କିଛି ବର୍ଷ ଧରି ସାହାରା ହୋଇ ଆସୁଥିବା ବାବୁସାନଙ୍କ ବିନା ଇଣ୍ଡଷ୍ଟ୍ରୀ ଆଗକୁ ଯିବ କେମିତି ? ଏମିତି ଏକାଧିକ ପ୍ରଶ୍ନ ଏବେ ଓଡ଼ିଆ ଦର୍ଶକ ଓ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଥିବା ବେଳେ ସେପଟେ ବାବୁସାନ୍ ଏସବୁକୁ ଭୁଲି ତାଙ୍କ ଦକ୍ଷ ଅଭିନୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ବହୁ କଳାକାର, ନିର୍ଦ୍ଦେଶକ ଓ ସିନେ ସମୀକ୍ଷକ ।

ସତରେ କଣ ଆଉ କୌଣସି ହିରୋଇନଙ୍କ ସହ ଫିଲ୍ମ କରିବେନି ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତି ? ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ତାଙ୍କ ପାରିବାରିକ ଜୀବନରେ ଉଠିଥିବା ଝଡ଼ ପାଇଁ ଇଣ୍ଡଷ୍ଟ୍ରୀଠୁ ଦୂରେଇ ଯିବେ କି ଓଲିଉ଼ଡ଼ ସୁପର ଷ୍ଟାର ବାବୁସାନ ? ନିଜ ବ୍ୟକ୍ତିଗତ ସମସ୍ୟା ଓ ପାରିବାରିକ ବିବାଦ ପାଇଁ ଗଲା କିଛି ଦିନ ଧରି ଚର୍ଚ୍ଚାରେ ଥିବା ଇଣ୍ଡଷ୍ଟ୍ରୀର ହିଟ୍ କଳାକାର ବାବୁସାନଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ, କଳ୍ପନା ଜଳ୍ପନା ।

 

କାରଣ ଓଡ଼ିଆ ସିନେମା ଜଗତର ଅନ୍ୟତମ ଲୋକପ୍ରିୟ ନାୟକ ଅନୁଭବ ମହାନ୍ତି ରାଜନୀତିରେ ପ୍ରବେଶ, ଆଉ ପରେ ପାରିବାରିକ ବିବାଦରେ ଫସିବା ପୂର୍ବରୁ ବାବୁସାନ ହିଁ ଥିଲେ ଦର୍ଶକଙ୍କ ପ୍ରଥମ ପସନ୍ଦ । ୨୦୦୯ରେ ରୂପେଲି ପରଦାରେ ପଦାର୍ପଣ ପରଠୁ ପ୍ରତିବର୍ଷ ଲଗାତର ହିଟ୍ ଦେଇ ଅସମ୍ଭବ ଲୋକପ୍ରିୟତା ହାତେଇଛନ୍ତି ବାବୁସାନ । ତେଣୁ ତାଙ୍କ ଉପରେ ଅନେକ ପ୍ରଯୋଜକଙ୍କ ଭରଷା ଓ ନିର୍ଦ୍ଦେଶକଙ୍କ ଆଶା ।

ଏଭଳି ସ୍ଥିତିରେ ବାବୁସାନ୍ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ଆବଶ୍ୟକତା ବୋଲି ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମତ । କାରଣ ମାତ୍ର ୧୨ ବର୍ଷ ଅଭିନୟ କ୍ୟାରିୟର ଭିତରେ ବାବୁସାନ୍ ଓଡ଼ିଆ ସିନେମାକୁ ଯେଉଁ ସ୍ଥାନରେ ପହଞ୍ଚାଇଛନ୍ତି, ଆଗାମୀ ଦିନରେ ଏ ଶିଳ୍ପ ତାଙ୍କଠୁ ଆହୁରି ଅନେକ କିଛି ଆଶା କରେ ବୋଲି କହିଛନ୍ତି ବରିଷ୍ଠ କଳାକାର ମନୋଜ ମିଶ୍ର ।

ଗତ କିଛି ବର୍ଷ ଭିତରେ ଓଡ଼ିଆ ସିନେମା ଜଗତକୁ ସାମ୍ନା କରିବାକୁ ପଡ଼ିଛି ଅନେକ ଘାତ ପ୍ରତିଘାତ । ଘଟଣା ଓ ଦୁର୍ଘଟଣାରେ ଓଲିଉଡ୍ ବିଜୟ ମହାନ୍ତି, ଅଜିତ ଦାସ, ମିହିର ଦାସ, ରାଇମୋହନ ପରିଡା, ମୀନକେତନ, ସଲିଲଙ୍କ ଭଳି ବହୁ ଖାତନାମା କଳାକାରଙ୍କୁ ହରାଇଛି । ଏ ଭିତରେ ମହାମାରୀ କରୋନା ବି ଉଭୟ କଳା ଓ କଳାକାରଙ୍କ ଉପରେ ଦାଉ ସାଧିବାରୁ ପଛକୁ ଫେରିଛି ।

ସିନେମା ଶିଳ୍ପ ଗୋଟିଏ ପଟେ ସିନେମା ହଲର ସଂଖ୍ୟା ସଙ୍କୁଚିତ ହେଉଥିବା ବେଳେ ଅନ୍ୟପଟେ ବିଭିନ୍ନ କାରଣରୁ ଦର୍ଶକଙ୍କ ପାଇଁ ନୂଆ ସିନେମା ଆସୁନି । ଏଭଳି ସ୍ଥିତିରେ ବାବୁସାନଙ୍କ ଭଳି କଳାକାରଙ୍କ ପାଇଁ ଇଣ୍ଡଷ୍ଟ୍ରୀ ନିଶ୍ୱାସ ମାରୁଥିଲା । କିନ୍ତୁ ତାଙ୍କ ଜୀବନରେ ଏଭଳି ଘଟଣା ତାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇବାକୁ ଯାଉଥିବା ଏବଂ ଏ ଘଟଣା ଇଣ୍ଡଷ୍ଟ୍ରି ପାଇଁ ବଡ଼ ବିପଦ ସାଜିପାରେ ବୋଲି କୁହାଯାଉଛି । ତେଣୁ ଏକ ପ୍ରତିଷ୍ଠିତ କାଳାକାର ପରିବାରରୁ ଆସି ନିଜ କଳାର ପ୍ରଚଣ୍ଡ ପ୍ରତିଭା ପ୍ରଦର୍ଶନ କରିସାରିଥିବା ବାବୁସାନଙ୍କୁ ବୃତ୍ତିଗତ ଜୀବନ ଆଦୌ ପ୍ରଭାବିତ ହେବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ନିର୍ଦ୍ଦେଶକ ଓ ସୀନେ ସମୀକ୍ଷକ ତାପସ ସରଘରିଆ ।

ନିକଟରେ ବାବୁସାନଙ୍କ ବିଦ୍ୟାରାଣ ଓ ପ୍ରେମମ୍ ପରେ ଆଗକୁ ଆସୁଛି ଫିଲ୍ମ ଦମନ୍ । ଏହି ଫିଲ୍ମକୁ ନେଇ ବାବୁସାନ୍ ବହୁ ଆଶାବାଦୀ । ତେବେ ୟା ପରେ ଓଲିଉଡର ଲଭର ବୟଙ୍କୁ ପୁଣି କେଉଁ ନୂଆ ଅବତାରରେ ଦେଖିବାକୁ ମିଳିବ, ତାକୁ ଦର୍ଶକଙ୍କ ଅପେକ୍ଷା ।

ରିପୋର୍ଟର- ପ୍ରଭାତ ବିଶୋୟୀ, ସୌମ୍ୟ ରଞ୍ଜନ ସାହୁ