ପୀୟୂଷଙ୍କ ବିବାଦ ସମାଧାନ ପରେ ଏବେ ସାମ୍ନାକୁ ଆସି ବିସ୍ଫୋରକ ବୟାନ ଦେଲେ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା । ଆଜି ଓଟିଭିରେ ନିଜର ପ୍ରତିକ୍ରିୟା ରଖି ନରି ପଣ୍ଡା ପୁଣି ଥରେ ତାଙ୍କ ସହ ଘଟିଥିବା ଘଟଣାକୁ ବର୍ଣ୍ଣନା କରିଛନ୍ତି । ନରି କହିଛନ୍ତି 'ମତେ ମାଡ଼ ମରାଗଲା, ଟଙ୍କା ଫେରାଇବା ପରେ ମୁଁ ଅନ୍ୟ କେଉଁ ପାର୍ଟିରେ ରହି ପାରିଥା'ନ୍ତି । କିନ୍ତୁ ମୋ ପାଖରୁ ମୋ ଦାନା ଛଡାଇ ନିଆଗଲା । ସେମାନେ ମୋ ପାଖରୁ କଳାକୁ ଛଡାଇ ନେଲେ । ମୁଁ ନିରୁପାୟ ହୋଇ ଶ୍ରୀ ଜଗନ୍ନାଥଙ୍କ ଉପରେ ଭରସା ରଖିଛି ।'
କିଛି ଦିନ ତଳେ ତୁଳସୀ ମାଲିକ ତାଙ୍କୁ ଡାକି ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ ନରି । ତେବେ ଅନ୍ୟପଟେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ନରି ମିଛ କହୁଛନ୍ତି ବୋଲି କହିଥିଲେ। ତାଙ୍କ ସାଙ୍ଗେ ଏଗ୍ରୀମେଣ୍ଟ କରି ଟଙ୍କା ନେଇ କାମ କରିବିନି ବୋଲି କହୁଛନ୍ତି । ଯାତ୍ରା ମାଲିକମାନଙ୍କୁ ବ୍ଲାକ ମେଲ ଟ୍ରେଣ୍ଡ ଏବେ ଆରମ୍ଭ ହୋଇଯାଇଛି ବୋଲି ତୁଳସୀ ମାଲିକ କହିଥିଲେ । ଷ୍ଟାର କାଷ୍ଟ ସରିଛି, ସେ ଯାତ୍ରା ନକଲେ ୧ କୋଟି ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କହିଥିଲେ ଅନନ୍ତ ।
Also Read
ଅଧିକ ପଢ଼ନ୍ତୁ: ସାଉଥ୍ ଆଗରେ କାମ ଦେଲାନି ସନ୍ନି ଦେଓଲଙ୍କ 'Jaat'; ଭାରି ପଡିଲେ ୫୩ ବର୍ଷର ଏହି ହିରୋ
ନରି ପଣ୍ଡାଙ୍କୁ ମାରିଦେବାକୁ ଧମକ ମିଳିଥିବାରୁ ସେ ବାଲିଚନ୍ଦ୍ରପୁର ନଯାଇ ଅନଲାଇନରେ ଏଫଆଇଆର ରୁଜୁ କରିଥିବା କଥା ତାଙ୍କ ଓକିଲ କହିଥିଲେ । ଏବାଦରେ IG କଟକ, କେନ୍ଦ୍ରାପଡା SP, ଏପରିକି ମୁଖ୍ୟମନ୍ତ୍ରୀ ଓ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିବା କଥା ସେ କହିଥିଲେ ।
ତେବେ ତୁଳସୀ ଗଣନାଟ୍ୟ ମାଲିକ ଏବଂ ହାସ୍ୟ ଅଭିନେତା ନରି ପଣ୍ଡାଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଉପୁଜିବା ପରେ ନରିଙ୍କୁ ବୟକଟ୍ କରିଥିଲା ଯାତ୍ରା ମାଲିକ ସଂଘ । ଭୁବନେଶ୍ବରରେ ୧୩ଟି ଯାତ୍ରା ପାର୍ଟି ମାଲିକ ଏକାଠି ବସି ନରିଙ୍କ ବିରୋଧରେ ନେଇଥିଲେ ନିଷ୍ପତ୍ତି । ଅଶାଳୀନ ମନ୍ତବ୍ୟ ଓ ଅଭିଯୋଗର ଆଧାର ନଥିବା ଦର୍ଶାଇ ସଂଘ ବୟକଟ୍ ନିଷ୍ପତ୍ତି ନେଇଥିଲା । ଅପରପକ୍ଷରେ ନ୍ୟାୟ ପାଇଁ ଲଢ଼େଇ ଜାରି ରହିବ ବୋଲି କହିଥିଲେ ନରି ।
ତେବେ ନରି ପଣ୍ଡାଙ୍କ ବ୍ୟାନକୁ ନେଇ ଯାତ୍ରା ମାଲିକ ସମ୍ପାଦକ ସତ୍ୟ ଜେନା କହିଛନ୍ତି, ଆମେ ମିଟିଂ କରି ନରିଙ୍କ ବିଷୟରେ ନିଷ୍ପତ୍ତି ନେବୁ । ତେବେ ଏଭଳି ପ୍ରତିକ୍ରିୟା ପରେ ନରି କହିଛନ୍ତି 'ଯାହା ନିଷ୍ପତ୍ତି ନିଆଯିବ ମୁଁ ତାକୁ ମାନିନେବି ।'