/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735031909.jpg)
ସେଲୁନରୁ ଆରମ୍ଭ ହୋଇଥିଲା ସଂଗୀତ ସାଧନା
ଆଜ ମୌସମ ବଡ଼ା ବେଇମାନ ହେ, ଅଭି ନା ଯାଓ ଛୋଡ଼କର, କ୍ୟା ହୁଆ ତେରା ୱାଦା, ଲିଖେ ଜୋ ଖତ ତେରେ, ଚୁରା ଲିଆ ହେ ଦିଲ କୋ ପରି ଅନେକ ଚିରସବୁଜ ଗୀତ ଗାଇଥିବା ସ୍ୱରର ସରତାଜ ମହମ୍ମଦ ରଫିଙ୍କୁ କୌଣସି ପ୍ରକାର ପରିଚୟର ଆବଶ୍ୟକତା ନାହିଁ । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ରଫି ସାହେବଙ୍କ ପ୍ରଶଂସକ ଅଛନ୍ତି । ରଫି ନିଜ କଣ୍ଠ ଓ ଗାୟନଶୈଳୀରେ ଥିବା ବିଭିଦତା ନିମନ୍ତେ ପରିଚିତ । ତାଙ୍କ ସ୍ୱରରେ ଭରି ରହିଥିବା ମାଦକତା ପାଇଁ ସମସାମୟିକ ଗାୟକମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମହମ୍ମଦ ରଫିଙ୍କ ସ୍ୱର ପରବର୍ତ୍ତୀ ସମୟରେ ଅନେକ ଗାୟକଙ୍କୁ ପ୍ରେରଣା ଦେଇଥିଲା । ଦୁନିଆରୁ ବିଦାୟ ନେବାର ଅନେକ ଦଶନ୍ଧି ପରେ ମଧ୍ୟ ସେ ଆଜି ବି ସମସ୍ତଙ୍କ ହୃଦୟରେ ଅଛନ୍ତି । ଏଥିପାଇଁ ମହମ୍ମଦ ରଫି ଭାରତର ‘ସେହେନ୍ସାଏ ତରତୁମ’ରୂପରେ ମଧ୍ୟ ଜଣାଶୁଣା।
ଫକୀରମାନଙ୍କ ଠାରୁ ମିଳିଥିଲା ପ୍ରେରଣା
ଆଜି ରଫି ସାହାବଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ୧୯୨୪ ମସିହା ୨୪ ଡିସେମ୍ବରରେ ଜନ୍ମିତ ରଫି ମହମ୍ମଦ ରଫି ୧୯୮୦jl ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହାଜି ଅଲ୍ଲୀ ମହମ୍ମଦ । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଥିଲେ ଦ୍ୱିତୀୟ । ୧୯୩୫ମସିହାରେ ଲାହୋର ଚାଲିଯାଇଥିଲେ ରଫିଙ୍କ ପିତା । ସେଠାରେ ଭାଟି ଗେଟର ନୂର ମହଲ୍ଲାଠାରେ ସେ ଏକ ସେଲୁନ ଚଳାଉଥିଲେ । ପିଲାଦିନେ ରଫି ସାହାବଙ୍କର ପାଠପଢ଼ାରେ ଆଦୌ ମନ ଲାଗୁନଥିଲା । ଦିନ ସାରା ଏଠି ସେଠି ବୁଲି ବୁଲି ସମୟ କଟାଉଥିଲେ । ସେଥିପାଇଁ ରଫିଙ୍କୁ ସେଲୁନରେ ବସାଉ ଦେଉଥିଲେ ପରିବାର ଲୋକ । ଆଉ ସେହି ସେଲୁନରୁ ଆରମ୍ଭ ହୋଇଥିଲା ତାଙ୍କର ସଙ୍ଗୀତ ସାଧନା । ରାସ୍ତାରେ ଗୀତ ଗାଇ ବୁଲୁଥିବା ଫକୀରମାନଙ୍କ ଗୀତ ଶୁଣି ସେ ଗାୟନ ପ୍ରତି ଆକୃଷ୍ଟ ହୋଇପଡ଼ିଲେ । ସେମାନଙ୍କ ଗାୟନ ଶୈଳୀକୁ ଆପଣାଇ ପ୍ରତିଦିନ ଗୀତ ଅଭ୍ୟାସ କରୁଥିଲେ ।
୧୩ ବର୍ଷ ବୟସରେ ଲାଇଭ ଫରଫରମାନ୍ସ
ଥରେ କୁନ୍ଦନ ଲାଲ ସେହଗଲ, ଅଲ ଇଣ୍ଡିଆ ରେଡିଓକୁ ସୋ କରିବାକୁ ଆସିଥିଲେ । ରଫି ଏବଂ ତାଙ୍କ ବଡ଼ ଭାଇ ମଧ୍ୟ ତାଙ୍କ ଗୀତ ଶୁଣିବା ପାଇଁ ସେଠାରେ ପହଞ୍ଚିଥିଲେ । ସେତେବେଳେ ରଫି ସାହାବଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା । ହେଲେ କାର୍ଯ୍ୟକ୍ରମରେ ଲାଇଟ୍ ଚାଲିଯିବାରୁ କୁନ୍ଦନ ଲାଲ ସେହଗଲ ଗୀତ ଗାଇବାକୁ ମନା କରିଦେଇଥିଲେ । ଫଳରେ ଦର୍ଶକ ପାଟିତୁଣ୍ଡ ଆରମ୍ଭ କରିଥିଲେ । କ୍ଷୁବ୍ଧ ଜନତାଙ୍କୁ ଶାନ୍ତ କରାଇବା ପାଇଁ ରଫିଙ୍କୁ ଏକ ଗୀତ ଗାଇବାକୁ ସୁଯୋଗ ଦିଆଯାଉ ବୋଲି ଆୟୋଜକଙ୍କୁ ଅନୁରୋଧ କରିଥିଲେ ତାଙ୍କ ବଡ଼ ଭାଇ । ସେହି ସମୟର ପ୍ରସିଦ୍ଧ ସଂଗୀତକାର ଶ୍ୟାମ ସୁନ୍ଦର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମହମ୍ମଦ ରଫିଙ୍କ ସ୍ୱର ଶୁଣି ସେ ବହୁତ ଖୁସି ହୋଇଥିଲେ ଏବଂ ତାଙ୍କୁ ସେଠାରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ।
୧୯୪୧ ମସିହାରେ ସେ ଶୋଣିୟେ ନୀ, ହିରୀୟେ ନୀ ନାମକ ପ୍ରଥମ ପ୍ରଚ୍ଚଦପଟ୍ଟ ଗୀତ ଗାଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଥିଲେ ଶ୍ୟାମ ସୁନ୍ଦର । ସହଗାୟିକା ଥିଲେ ଜିନତ ବେଗମ । ୧୯୪୪ରେ ମୁକ୍ତିଲାଭ କରିଥିବା ପଞ୍ଜାବୀ ଚଳଚ୍ଚିତ୍ର "ଗୁଲ ବାଲୋଚ"ରେ ଏହି ଗୀତଟି ସ୍ଥାନ ପାଇଥିଲା । ସେହି ବର୍ଷ ତାଙ୍କୁ ଅକାଶବାଣୀ ଲାହୋର ତରଫରୁ ଗୀତ ଗାଇବା ପାଇଁ ମଧ୍ୟ ଆମନ୍ତ୍ରଣ କରାଯାଇଥିଲା । ୧୯୪୫ ମସିହାରେ ସେ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଗାୟୋଁ କି ଗୋରୀରେ କଣ୍ଠଦାନ କରିଥିଲେ । ନିଜର ୪ ଦଶନ୍ଧିବ୍ୟାପି ପ୍ରଚ୍ଚଦପଟ୍ଟ ଗାୟକ ଜୀବନରେ ରଫି ପ୍ରାୟ ସମସ୍ତ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଓ ସହଗାୟକଙ୍କ ସହ ଗୀତ ଗାଇଥିଲେ ।
କୱାଲି, ଦେଶଭକ୍ତିପୂର୍ଣ୍ଣ, ଭଜନ ଅବା ଶାସ୍ତ୍ରୀୟ ସବୁ ପ୍ରକାର ଗୀତ ଗାଉଥିଲେ ମହମ୍ମଦ ରଫି । ସେ ୬ଥର ଫିଲ୍ମଫେୟାର ଓ ଥରେ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ । ୧୯୬୭ ମସିହାରେ ସେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାର ଲାଭ କରିଥିଲେ । ୨୦୦୩ରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ସର୍ବକାଳୀନ ଶ୍ରେଷ୍ଠ ଗାୟକ ସମ୍ମାନ ମିଳିଥିଲା । ୧୦୦୦ରୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ସହିତ ପଞ୍ଜାବୀ, ହିନ୍ଦୀ, ଓଡ଼ିଆ, କୋଙ୍କଣୀ, ଭୋଜପୁରୀ, ବଙ୍ଗଳା, ମରାଠୀ, ସିନ୍ଧୀ, କନ୍ନଡ଼, ଗୁଜରାଟୀ, ତେଲୁଗୁ, ମାଘି, ମୈଥିଳୀ ଓ ଅହମିୟା ଆଦି ଭାଷାରେ ଗୀତ ଗାଇଛନ୍ତି ମହମ୍ମଦ ରଫି । ଭାରତୀୟ ଭାଷା ବ୍ୟତୀତ ସେ ଇଂରାଜୀ, ଫରାସୀ, ଆରବୀ ଆଦି ଗୀତ ମଧ୍ୟ ଗାଇଛନ୍ତି । ମହମ୍ମଦ ରଫି ଅନେକ ଭାରତୀୟ ଭାଷାରେ ମୋଟ ୭,୪୦୫ଟି ଗୀତ ଗାଇଛନ୍ତି । ସେଥି ମଧ୍ୟରୁ ୪,୩୩୪ଟି ଗୀତ ହିନ୍ଦୀ ଭାଷାରେ ଥିଲା।
ବ୍ୟକ୍ତିଗତ ଜୀବନ
ମହମ୍ମଦ ରଫି ଜଣେ ଅତି ନିଷ୍ଠାପର ମୁସଲମାନ ଥିଲେ ଏବଂ ନିଶା ଠାରୁ ଦୂରେଇ ରହିଥିଲେ । ଏତେ ବଡ଼ ଗାୟକ ହେଲେ ସୁଦ୍ଧା ସ୍ୱଭାବରେ ସେ ଲାଜକୁଳା ଥିଲେ । ସ୍ୱାଧୀନତା ସମୟରେ ବିଭାଜନ ପରେ ସେ ଭାରତରେ ରହିବାକୁ ପସନ୍ଦ କରିଥିଲେ । ବେଗମ୍ ବିକଲିସଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ସାତ ସନ୍ତାନ ଥିଲେ - ଚାରି ପୁଅ ଏବଂ ତିନି ଝିଅ ।
୧ ଟଙ୍କାରେ ଗାଇଛନ୍ତି ଗୀତ
ରଫି ସାହେବ ଜଣେ ମହାନ ଗାୟକ ସହିତ ଜଣେ ସହୃଦୟ ବ୍ୟକ୍ତି ଥିଲେ । ସବୁବେଳେ ଖୁସିରେ ରହୁଥିବା ଏ ମଣିଷ ଅନ୍ୟକୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁଥିଲେ । ଅନେକ ଥର ଆଦୌ ଟଙ୍କା ନନେଇ କିମ୍ବା ଅଳ୍ପ ପାରିଶ୍ରମିକରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି । କେତେଥର ତ ସେ ଏକ ଟଙ୍କା ପାରିଶ୍ରମିକ ନେଇ ଗୀତ ଗାଇଛନ୍ତି । ଗାୟନ ପାଇଁ ଅଫର ନେଇ ଆସୁଥିବା ସଙ୍ଗୀତଜ୍ଞଙ୍କୁ କେବେ ପାରିଶ୍ରମିକ ସମ୍ପର୍କରେ ପଚାରୁ ନଥିଲେ, ଯେତିକି ମିଳୁଥିଲା ସେତିକିରେ ଖୁସିଥିଲେ ।
ଲତାଙ୍କ ସହ ବିବାଦ
ସେଥିପାଇଁ ଗୀତର ରୟାଲଟିକୁ ନେଇ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସହ ତାଙ୍କର ବିବାଦ ହୋଇଥିଲା । ସେତେବେଳେ ଲତାଜୀ କହିଥିଲେ, ଗାୟକ ଏବଂ ଗାୟିକାମାନେ ଗୀତଗୁଡ଼ିକର ଆୟର ଏକ ଅଂଶ (ରୟାଲଟି) ପାଇବା ଉଚିତ୍ । ହେଲେ ରଫି ସାହେବ ଏହାର ବିରୋଧ କରିଥିଲେ । ଗୀତଗୁଡ଼ିକ ରେକର୍ଡ ହେବା ପରେ ଏବଂ ଗାୟକମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦିଆଯାଏ । ସେମାନେ ଆଉ ଅଧିକ ଟଙ୍କା ଆଶା କରିବା ଉଚିତ୍ ନୁହେଁ ବୋଲି ରଫି ସାହେବ କହିଥିଲେ । ଏହି ପ୍ରସଙ୍ଗରେ ଦୁଇ ମହାନ କଳାକାରଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଆଉ ସେହିଦିନ ଠାରୁ ଲତା, ରଫିଙ୍କ ସହ ଗୀତ ଗାଇବାକୁ ମନା କରିଦେଇଥିଲେ । ବର୍ଷ ବର୍ଷ ଧରି ଦୁଇ ମହାନ କଳାକାର ଏକାଠି କୌଣସି ଗୀତ ଗାଇନଥିଲେ । ହେଲେ ଅଭିନେତ୍ରୀ ନର୍ଗିସଙ୍କ ଅନୁରୋଧ କ୍ରମେ ଦୁହେଁ ପୁଣି ଏକାଠି ଗୀତ ଗାଇବା ଆରମ୍ଭ କରିଥିଲେ ।
ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ୧୦ ହଜାରରୁ ଅଧିକ ଲୋକ
୩୧ ଜୁଲାଇ ୧୯୮୦ ରେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ ମହମ୍ମଦ ରଫି। ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରରେ ୧୦ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ରଫିଙ୍କ ବିୟୋଗରେ ଭାରତ ସରକାର ଦୁଇ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)