Advertisment

ଲତାଙ୍କ କଣ୍ଠରୁ ଶୁଣି ହେଲାନି ଜଗା ଭଜନ

ସରିଥିଲା ଗୀତ ଲେଖା, ପ୍ରସ୍ତୁତ ହୋଇ ସାରିଥିଲା ଟ୍ରାକ୍। ହେଲେ ସମୟ ଦେଲାନି ସାଥ୍। ଅଧୁରା ରହିଗଲା ସ୍ୱପ୍ନ। ଲତାଙ୍କ ସୁମଧୁର କଣ୍ଠରୁ ଜଗା ଜଣାଣ ଶୁଣିବାରୁ ବଞ୍ଚିତ ହେଲେ ଓଡିଆ।

author-image
Pramod Behera
Lata Trend Song

Lata Trend Song

‘ତୋ ସଂଧ୍ୟା ଦର୍ଶନ ଲାଗି ବଳିଛି ମନରେ ଚକାନୟନ’ ଏହି ଗୀତଟିଏ, ଆଉ ପଂକ୍ତିଟିଏ, ଆଜି ସବୁବେଳେ ଗୁଞ୍ଜରିତ ହେଉଛି ଗୀତିକାର ମୋହିତ ଚକ୍ରବର୍ତ୍ତୀଙ୍କ ମନ ଭିତରେ। ଭାବିଲେ ଭାବବିହ୍ୱଳ ହେବାକୁ ପଡୁଛି ତାଙ୍କୁ। ଜୀବଦଶା ମଧ୍ୟରେ ସବୁବେଳେ ବଡ଼ ଅବସୋସ ଅନୁଭବ କରୁଛନ୍ତି ଗୀତର ମୁଖୁଡ଼ାକୁ ବୋଲି। କାରଣ ସ୍ୱରର ସରସ୍ୱତୀ ଲତା ମଙ୍ଗେସ୍‌କର୍‌ ତାଙ୍କର ସେହି ମନ୍ତ୍ରମୁଗ୍ଧ କଣ୍ଠରେ ବୋଲିଥାନ୍ତେ ମୋହିତଙ୍କ ହାତଲେଖା ଏହି ଗୀତକୁ।

Advertisment

କୋଟି ଓଡିଆଙ୍କ ପ୍ରାଣଦେବତାଙ୍କୁ ନିଜ କଣ୍ଠରେ ଉତ୍ସର୍ଗୀକୃତ କରିଥାନ୍ତେ ଏହି ଭାବବିହ୍ୱଳ ଭଜନକୁ। ତା’ ଆଗରୁ କିନ୍ତୁ ଅଫେରା ବାଟଦେଇ ଫେରିଗଲେ ସ୍ୱର ସମ୍ରାଜ୍ଞୀ। ଅଧୁରା ରହିଗଲା ତାଙ୍କର ଏହି ସ୍ୱପ୍ନ। ତାଙ୍କରି ଯାଦୁଗରୀ ସ୍ୱରରେ ଏହି ଭଜନ ଶୁଣିବାରୁ ବଞ୍ଚିତ ହୋଇଗଲେ କୋଟି କୋଟି ଓଡିଆ।

ସେଦିନ ଥିଲା ୨୦୨୦ ମସିହା ଫେବୃୟାରୀ ମାସ। ଲତା ଦିଦିଙ୍କ କଣ୍ଠରେ ଏକ ଭଜନ ସିଡି ପ୍ରସ୍ତୁତ ପାଇଁ ମୁମ୍ବାଇ ଯାଇଥିଲେ ଗୀତିକାର ମୋହିତ ଚକ୍ରବର୍ତ୍ତୀ, ସଂଗୀତ ନିର୍ଦ୍ଦେଶକ ଦେବୀତୋଷ ଆଚାର୍ଯ୍ୟ ପ୍ରମୁଖ। ଏଥିପାଇଁ ପ୍ରଥମେ ଲତାଜୀଙ୍କ ପାଳିତ ପୁତ୍ର ମୌରେସ୍ ପାଇଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଦେବୀତୋଷ ମୋଟ ୮ଟି ଗୀତକୁ ଧରି ମୁମ୍ବାଇସ୍ଥିତ ଲତାଙ୍କ ଘରକୁ ଯାଇଥିଲେ। ସେଠି ଲତାଜୀ ଦେବୀତୋଷଙ୍କୁ କହିଥିଲେ ଗୋଟିଏ ଗୀତ ନିଶ୍ଚୟ ଗାଇବେ, ତା’ ପୁଣି ଷ୍ଟୁଡ଼ିଓକୁ ଯାଇ।

Advertisment

ସେହି ଗୀତ ଥିଲା ମୋହିତ ଚକ୍ରବର୍ତ୍ତିଙ୍କ ରଚିତ ‘ତୋ ସଂଧ୍ୟା ଦର୍ଶନ ଲାଗି ବଳିଛି ମନରେ ଚକାନୟନ’। ଏହାପରେ, ଟ୍ରାକ ପ୍ରସ୍ତୁତ କରି ମୁମ୍ବାଇ ଯାଇଥିଲେ ସମସ୍ତେ। କିନ୍ତୁ ଦୁର୍ଭାଗ୍ୟ, ସେହି ସମୟରେ ଲତା ଦିଦିଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା। ପରେ କରୋନା ଯୋଗୁ ଲକଡାଉନ୍, ସଟ୍‌ଡାଉନ୍ ଜାରି ରହିଲା। ଫଳରେ ରେକର୍ଡିଂ ଆଉ ସମ୍ଭବ ହେଲାନି। ତାଙ୍କ ସ୍ୱରରେ ମହାପ୍ରଭୁଙ୍କ ଭଜନ ଶୁଣିବାର ସମସ୍ତଙ୍କ ଇଛା ଆଉ ଆବେଗ ବି ପାଣିରେ ମିଳାଇଗଲା। କିନ୍ତୁ ୨ଟି ଓଡିଆ ଫିଲ୍ମ ଗୀତ ‘ସେଇ ଚୁନା ଚୁନା ତାରା ଫୁଲେ’ ଓ ‘ଆଜି ମୁଁ ଶ୍ରାବଣୀ’ ସବୁଦିନ ପାଇଁ ଅମର ହୋଇଗଲା।

ଆଜି ସେହି କିମ୍ବଦନ୍ତୀ କୋକିଳ କଣ୍ଠୀ କଣ୍ଠଶିଳ୍ପୀ ଅତୀତ ଆଉ ଅମର ହୋଇ ରହିଗଲେ। ତାଙ୍କୁ ଆଜି ଝୁରୁଛନ୍ତି ପ୍ରତ୍ୟେକଟି ଓଡିଆ, ଝୁରୁଛି ସାରା ଦେଶ ଆଉ ବିଶ୍ୱ। ସ୍ୱର୍ଗତ ଲତା ମଙ୍ଗେସ୍‌କର୍‌ଙ୍କ ଅନ୍ତିମ ସତ୍କାର ପରେ ଚିତାଭସ୍ମକୁ ସଂଗ୍ରହ କରିଛନ୍ତି ପରିବାର। ମୁମ୍ବାଇ ଶିବାଜୀ ପାର୍କରୁ ଲତାଙ୍କ ଚିତାଭସ୍ମକୁ ତାଙ୍କ ନାତି ଆଦିତ୍ୟନାଥ ମଙ୍ଗେସ୍‌କର୍‌ ନେଇଛନ୍ତି। ହରିଦ୍ୱାର ଯାଇ ଗଙ୍ଗାରେ ବିସର୍ଜିତ କରିବେ ବୋଲି ସୂଚନା ମିଳିଛି। ସେପଟେ ଲୋକସଭା ଓ ରାଜ୍ୟସଭାରେ ଲତାଙ୍କୁ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏପରିକି ଉଭୟ ଗୃହକୁ ଘଣ୍ଟାଏ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।

ରିପୋର୍ଟ: କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଅତୁଲ୍ୟ ବାଉତ

Odisha News
Advertisment
Advertisment