• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ: ଏପ୍ରିଲରେ ମହାଟକ୍କର । ସାମ୍ନାସାମ୍ନି ହେବେ ଆମୀର ଏବଂ ୟଶ୍ । ବହୁଦିନ ଧରି ଅପେକ୍ଷାରେ ଥିବା ଦର୍ଶକଙ୍କ ପାଇଁ ଖୁସିର ମୁହୂର୍ତ୍ତ । ଏକା ସାଙ୍ଗେ ରିଲିଜ ହେବ ଦୁଇଟି ବଡ ଫିଲ୍ମ । ଏପ୍ରିଲ ୧୪ ରେ ରିଲିଜ ହେବ ୟଶ୍‌ଙ୍କ କେଜିଏଫ୍ ଓ ଆମୀର ଖାନଙ୍କ ଲାଲ୍ ସିଂହ ଚଡ୍ଡା । ପୂର୍ବରୁ କେଜିଏଫ୍ ରିଲିଜ ନେଇ ଦର୍ଶକ ବେଶ ଉତ୍ସାହିତ ଥିବା ବେଳେ ବର୍ତ୍ତମାନ ଆମିରଙ୍କ ଫିଲ୍ମ ରିଲିଜ ତାରିଖ ଘୋଷଣା ପରେ ଦର୍ଶକ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ପୂର୍ବରୁ ଫିଲ୍ମଟି ଖ୍ରୀଷ୍ଟମାସ ୨୦୨୧ରେ ରିଲିଜ ହେବା ନେଇ ଯୋଜନା ରହିଥିଲା । ତେବେ ଏପ୍ରିଲରେ ବକ୍ସ ଅଫିସରେ ବଡ ସଂଘର୍ଷ ହେବ ବୋଲି ଟ୍ୱିଟ କରିଛନ୍ତି ବଲିଉଡର ବାଣିଜ୍ୟ ବିଶ୍ଲେଷକ ତାରନ୍ ଆଦର୍ଶ ।

ନିକଟରେ ଫିଲ୍ମ ଲାଲ ସିଂହ ଚଡ୍ଡାର ପୋଷ୍ଟର ରିଲିଜ ହୋଇଛି । ଏନେଇ ଫିଲ୍ମରେ ଅଭିନୟ କରୁଥିବା ଅଭିନେତ୍ରୀ କରୀନା କପୁର ଓ ଅଭିନେତା ଆମୀର ଖାନ୍ ଦୁହେଁ ଫିଲ୍ମର ପୋଷ୍ଟର ସେୟାର କରିବା ସହ କହିଛନ୍ତି ଯେ “ଆମେ ଏହି ଫିଲ୍ମର ରିଲିଜ ତାରିଖ ଘୋଷଣା ନେଇ ବେଶ ଖୁସି ଅଛୁ, ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରୁଛୁ”।

ଆମିର ଖାନଙ୍କ ଏହି ଫିଲ୍ମ ଲାଲ ସିଂହ ଚଡ୍ଡା ୧୯୯୪ ର କ୍ଲାସିକ୍ ଫରେଷ୍ଟ ଗୁମ୍ପର ରିମେକ୍ ରହିଛି । ଯେଉଁଥିରେ ଟମ୍ ହ୍ୟାଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆଡଭାଇଟ ଚନ୍ଦନ। ଅମୀର ଖାନ, କିରଣ ରାଓ ଏବଂ ଭାୟାକମ୍ ୧୮ ମୋସନ୍ ପିକ୍ଚର୍ସ ଦ୍ୱାରା ଲାଲ ସିଂ ଚାଡ୍ଡା ମିଳିତ ଭାବରେ ପ୍ରସ୍ତୁତ ହୋଇଛି ।

ଲାଲ ସିଂ ଚଡ୍ଡାରେ ଆମୀର ଖାନ ୩ ଇଡିଏଟ୍ସର ସହ-ତାରକା କରୀନା କପୁର, ଅଭିନେତା ନାଗା ଚୈତନ୍ୟ ଏବଂ ମୋନା ସିଂଙ୍କ ସହ ସ୍କ୍ରିନ୍ ସେୟାର୍ କରିଛନ୍ତି । ଏଥିରେ ନାଗା ଚୈତନ୍ୟ ଅଭିନୟ କରିଛନ୍ତି ବୋଲି ପୂର୍ବରୁ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ କହିଥିଲେ । ତେବେ ଏହି ଦୁଇଟି ଫିଲ୍ମକୁ ନେଇ ଦର୍ଶକ ବେଶ ଉତ୍ସାହିତ ଥିବା ବେଳେ କିଏ ବକ୍ସ ଅଫିସରେ ବାଜି ମାରୁଛି, ତାହା ଦେଖିବାକୁ ରହିଲା ।