• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁନିଆକୁ ଅଲବିଦା କହିଲେ କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ । ହୃଦଘାତରେ ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ ସ୍ପନ୍ଦନାଙ୍କର ମୃତ୍ୟୁ ହୋଇଛି । ବ୍ୟାଙ୍କକ୍‌ର ଏକ ହସ୍ପିଟାଲରେ ସ୍ପନ୍ଦନା ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିପକାଇଛି । ପରିବାର ଲୋକ ତାଙ୍କ ଅକାଳ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ସ୍ପନ୍ଦନା ଥାଇଲ୍ୟାଣ୍ଡରେ ତାଙ୍କ ପରିବାର ସହିତ ଥିବାବେଳେ ଏହି ଘଟଣା ଘଟିଛି । ବିଜୟ ରାଘବେନ୍ଦ୍ରଙ୍କ ପତ୍ନୀଙ୍କର ରକ୍ତଚାପ କମ୍ ଥିବାରୁ ଏହା ହୃଦଘାତର କାରଣ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆସନ୍ତାକାଲି ତାଙ୍କ ମୃତଦେହ ବାଙ୍ଗାଲୋରରେ ପହଞ୍ଚିବ, ଆଉ ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ବିଜୟ ରାଘବେନ୍ଦ୍ର ଏବଂ ସ୍ପନ୍ଦନା ୨୬ ଅଗଷ୍ଟ ୨୦୦୭ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଅବସରପ୍ରାପ୍ତ ସହକାରୀ ପୋଲିସ କମିଶନର ବିକେ ଶିବରାମଙ୍କ ଝିଅ ହେଲେ ସ୍ପନ୍ଦନା । ବିଜୟ ଓ ସ୍ପନ୍ଦନାଙ୍କର ଏକ ପୁଅ ଅଛି । ୨୦୧୬ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର "ଅପୂର୍ବା"ରେ ସ୍ପନ୍ଦନା ଅତିଥି କଳାକାର ରୂପେ ଅଭିନୟ କରିଥିଲେ ।

ବର୍ତ୍ତମାନ ସମୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ହାର୍ଟ ଆଟାକରେ ଅନେକ କଳାକାର ତଥା ସାଧାରଣ ଲୋକଙ୍କର ପ୍ରାଣ ଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏବେକାର ଜୀବନଶୈଳୀ ଯୋଗୁ ଯୁବପିଢ଼ି ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲଗାତର ଷ୍ଟ୍ରେସ ଯୋଗୁ ବ୍ଲଡ୍ ପ୍ରେସର ଓ ହାର୍ଟ ଆଟାକ୍ ଭଳି ଘଟଣା ଦେଖିବାକୁ ମିଳୁଛି । ଖାଦ୍ୟପେୟ ଠିକ୍ ସହ ରାତିରେ ଭଲରେ ଶୋଇ ପାରିଲେ ନିଶ୍ଚିତ ଭାବେ ହୃଦଘାତ ସମସ୍ୟାକୁ ବହୁମାତ୍ରାରେ କମାଯାଇ ପାରିବ ।