Jatra Artist Piyush Tripathy: ଯାତ୍ରା ସିଂହବାହିନୀ ମାଲିକଙ୍କୁ ପୀୟୂଷ ତ୍ରିପାଠୀଙ୍କ ରୋକଠୋକ୍ ଜବାବ

ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦ ଲକ୍ଷ କେଉଁଠି ଓ କେମିତି ଦେଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୀୟୂଷ।

ଯାତ୍ରା ଷ୍ଟାର୍ ପୀୟୂଷ ତ୍ରିପାଠୀ

କାହିଁକି ବିବାଦରେ ହଟ୍ ଯାତ୍ରା ଷ୍ଟାର୍ ପୀୟୂଷ ତ୍ରିପାଠୀ ? ଯାତ୍ରା ସିଂହବାହିନୀ ମାଲିକଙ୍କଠୁ ଅଗ୍ରୀମ ଟଙ୍କା ନେଇଛନ୍ତି କି ନାହିଁ? ପୀୟୂଷ ନେଇଥିବା ଦାମୀ ଗାଡ଼ି କାହା ନାଁରେ ଅଛି ? ଏମିତି ମାଳ ମାଳ ପ୍ରଶ୍ନକୁ ନେଇ ଓଡ଼ିଶା ଯାତ୍ରା ଜଗତରେ ଯେତିକି ହଇଚଇ ହୋଇଛି, ଲକ୍ଷ ଲକ୍ଷ ଯାତ୍ରାପ୍ରେମୀଙ୍କ ମନକୁ ମଧ୍ୟ କରିଛି ସେତିକି ହଲଚଲ୍। ତା’ସାଙ୍ଗକୁ ସୋସିଆଲ୍ ମିଡିଆରେ ମଧ୍ୟ ଚାଲିଛି ତୁତୁ ମେମେ। ତେବେ ଏସବୁ ତମାମ ପ୍ରଶ୍ନର ଉତ୍ତର ରୋକଠୋକ୍ ଭାବେ ନିଜେ ରଖିଛନ୍ତି ପୀୟୂଷ। ତା’ ପୁଣି ଓଟିଭି ଷ୍ଟୁଡିଓରେ।

ପୀୟୂଷ ମାନିଛନ୍ତି, ଯାତ୍ରା ସିଂହବାହିନୀ ମାଲିକଙ୍କ ସହିତ ଚୁକ୍ତି ହୋଇଥିଲା। ତାଙ୍କଠୁ ଟଙ୍କା ନେଇଥିବା କଥା ସତ, କିନ୍ତୁ ତାଙ୍କ ପାର୍ଟିକୁ ଯିବି ବୋଲି ଜଗନ୍ନାଥଙ୍କ ନାଁରେ ଜମାରୁ ରାଣ ଖାଇନି ବୋଲି ପୀୟୂଷ କହିଛନ୍ତି।

ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦ ଲକ୍ଷ କେଉଁଠି ଓ କେମିତି ଦେଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୀୟୂଷ। ତା’ସହ ଗଲା ୧ ତାରିଖରେ ସେ ୩୨ ଲକ୍ଷ ଟଙ୍କା ଯାତ୍ରା ସିଂହ ବାହିନୀ ଆକାଉଣ୍ଟକୁ ଫେରାଇ ଦେଇଥିବାର ସ୍କ୍ରିନ୍ ସଟ୍‌ ମଧ୍ୟ ଦର୍ଶକଙ୍କୁ ଦେଖାଇଥିଲେ ପୀୟୂଷ।

ଏକ ଦାମୀ ଗାଡ଼ି ପୀୟୂଷ ନେଇଥିବା କଥା ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ ଯାହା କହୁଛନ୍ତି ତାକୁ ଖଣ୍ଡନ କରିବା ସହ ଗାଡ଼ିଟି ମାଲିକଙ୍କ ଭାଇଙ୍କ ନାଁରେ ରହିଛି ବୋଲି କହିଛନ୍ତି ପୀୟୂଷ। ତା’ସହ ବାବା ଜଗଦେଶ୍ୱର ନାଁରେ ଏକ ନୂଆ ଯାତ୍ରା ପାର୍ଟି ଗଢ଼ିବା ପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ଓ ଗାଡ଼ି ଦେଇଥିବା ମାନିଛନ୍ତି। ଏମିତିକି ସେହି ଗାଡ଼ିର କିସ୍ତି ବାବଦ ଟଙ୍କା ମଧ୍ୟ ସେ ଆକାଉଣ୍ଟକୁ ଫେରାଇ ଦେଇଥିବା କହିଛନ୍ତି। ତାଙ୍କ ନାଁରେ ଯେଉଁ ସବୁ ସଂଗୀନ ଅଭିଯୋଗ ସଂଜୀବ ପାଢ଼ୀ ଆଣିଛନ୍ତି ତାହା ଅସହ୍ୟ। ତେଣୁ ତାଙ୍କ ଗାଡ଼ି ସେ ନେଇଯାନ୍ତୁ ଓ ଓଟିଭି ନ୍ୟୁଜ୍ ଷ୍ଟୁଡିଓରେ ଗାଡ଼ି ଚାବି ମଧ୍ୟ କାଢ଼ି ରଖି ଥିଲେ ପୀୟୂଷ।

ଅଧିକ ପଡ଼ନ୍ତୁ: ଏପ୍ରିଲ୍‌ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ, ଚିହିଁକି ଉଠିଲା ବିଜେଡି

ଚୁକ୍ତି କରି କାହିଁକି ଯାତ୍ରା ସିଂହବାହିନୀକୁ ଯିବାକୁ ଅରାଜି ହେଲେ ବୋଲି ପ୍ରଶ୍ନରେ ପୀୟୂଷ କହିଥିଲେ, ସେ ଦସ୍ତଖତ କରିଥିବା ଚୁକ୍ତିପତ୍ର ବ୍ଲାଙ୍କ୍ ଥିଲା। ସେଥିରେ କିଛି ଲେଖା ନଥିଲା। ତା’ସହ ପୁରୀରେ ଜଗନ୍ନାଥ ମନ୍ଦିରରେ ସିଂହବାହିନୀ ଯାତ୍ରା ପାର୍ଟି ମାଲିକ ତାଙ୍କ ପାର୍ଟିକୁ ନଆସିଲେ ଆତ୍ମହତ୍ୟା କରିବେ ବୋଲି କହିବାରୁ ଜଣକ ଜୀବନ ବଂଚାଇବାକୁ ସେତେବେଳେ ସେ କେବଳ ହଁ ଭରିଥିଲେ ବୋଲି ମାନିଛନ୍ତି ପୀୟୂଷ। ଯାତ୍ରାପାର୍ଟି ମାଲିକ ଆତ୍ମହତ୍ୟା କରିବେ ବୋଲି ବାରମ୍ବାର କହି ଡରାଉ ଥିଲେ। ତାର ଅଡ଼ିଓ ଓ କିଛି ହାତଲେଖା ଚିଠି ମଧ୍ୟ ଷ୍ଟୁଡିଓରେ ଦେଖାଇଥିଲେ ପୀୟୂଷ।

ପୀୟୁଷଙ୍କ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ।

ଲକ୍ଷ ଲକ୍ଷ ଟଙ୍କା, ଦାମୀ ଗାଡ଼ି ଓ ଚୁକ୍ତି ଉଲ୍ଲଂଘନ। ଏସବୁ ବିବାଦକୁ ନେଇ କିଏ ଠିକ ? ଯାତ୍ରା ଆଇକନ୍‌ ପୀୟୂଷ ତ୍ରିପାଠୀ ନା ସିଂହବାହିନୀ ଅପେରା ପାର୍ଟି ମାଲିକ ସଂଜୀବ ପାଢ଼ୀ? ପୀୟୂଷ ନିଜ ପକ୍ଷ ରଖି ସାରିଥିବା ବେଳେ ମାଲିକ ସଂଜୀବ ପାଢ଼ୀ ଏହା ଉପରେ ସ୍ପଷ୍ଟୀକରଣ ରଖିଲେ ସବୁ ଘଟଣା ଆହୁରି ସ୍ପଷ୍ଟ ହୋଇପାରିବ।