Advertisment

ଫ୍ଲପ୍ ହେଉଛି ହିନ୍ଦୀ ଫିଲ୍ମ; ହିନ୍ଦୀ ରାଜ୍ୟରେ ଦକ୍ଷିଣୀ ଫିଲ୍ମ ହିଟ୍

ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମ ଫ୍ଲପ୍ ହେଉଥିବା ବେଳେ ହିନ୍ଦୀ ଭାଷା ରାଜ୍ୟରେ କାୟାବିସ୍ତାର କରି ଚାଲିଛି ଦକ୍ଷିଣ ଭାରତୀୟ ଫିଲ୍ମ। ଲୋକମାନେ ଏହାକୁ ବେଶ ପସନ୍ଦ କରି ଚାଲିଛନ୍ତି। କ’ଣ ରହିଛି ଏହା ପଛର କାରଣ?

author-image
Otv Khabar Bureau
ଅଦ୍ୟତନ ହୋଇଛି
Hindi film Flop; Southern film hit in Hindi state

Hindi film Flop; Southern film hit in Hindi state

ଆଗାମୀ ଦିନରେ ବଲିଉଡ ଫିଲ୍ମ ବା ହିନ୍ଦୀ ଫିଲ୍ମର ଅବସ୍ଥା କ’ଣ ହେବ ? ଚାଲିବ ତ ହିନ୍ଦୀ ଫିଲ୍ମ ? ଦର୍ଶକ ସିନେମା ଘରକୁ ଯିବେ ତ ? ଏପରି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି। କାରଣ, ବର୍ତ୍ତମାନର ସ୍ଥିତି ବଲିଉଡ୍ ପାଇଁ ସେତେଟା ଶୁଭଙ୍କର ଭଳି ଲାଗୁନି। ଗୋଟେ ପରେ ଗୋଟେ ଫିଲ୍ମ ଫ୍ଲପ୍‌ ହେବା ଆଉ ଆଞ୍ଚଳିକ ଫିଲ୍ମ ରେକର୍ଡ କରିବା ଘଟଣାକୁ ନୂଆ ଦିଶା ଦେବା ଭଳି ଅନୁମାନ କରାଯାଉଛି।

Advertisment

ଦୀର୍ଘ ଦିନର କରୋନା କଟକଣା ପରେ ସିନେମା ହଲ୍ ଖୋଲିଥିଲା। ବହୁ ଦିନ ଧରି ରିଲିଜ୍ ହୋଇ ପାରି ନ ଥିବା ହିନ୍ଦୀ ଫିଲ୍ମ ପରଦାକୁ ଆସିଥିଲା। ହେଲେ ସେସବୁ ଦର୍ଶକଙ୍କୁ ପସନ୍ଦ ଆସିନି। ପରିସ୍ଥିତି ଏପରି ହେଲା କି ଫିଲ୍ମରେ ବଡ଼ ଷ୍ଟାର୍‌କାଷ୍ଟ୍‌ ଥାଇ ବି ସେସବୁ ଚାଲି ପାରିଲାନି। ବାଧ୍ୟହୋଇ ପ୍ରଯୋଜନା ସଂସ୍ଥା ସିନେମାକୁ ଓଟିଟିରେ ରିଲିଜ୍ କରାଇଥିଲେ।

ଅପରପକ୍ଷେ ତେଲୁଗୁ, ତାମିଲ ଫିଲ୍ମ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରିଚାଲିଛି। ହିନ୍ଦୀ ଭାଷାଭାଷୀ ରାଜ୍ୟରେ ତେଲୁଗୁ ଫିଲ୍ମ ‘ପୁଷ୍ପା’ ହେଉଛି ସଦ୍ୟତମ ଉଦାହରଣ। କାରଣ ‘ପୁଷ୍ପା’କୁ ନର୍ଥ ଇଣ୍ଡିଆରେ ଜବରଦସ୍ତ ରେସ୍‌ପନ୍ସ ମିଳିଛି। ହିନ୍ଦୀରେ ରିଲିଜ୍ ହୋଇଥିବା ଏହି ସିନେମା ୮୦ କୋଟିରୁ ଅଧିକ ଆଦାୟ କରିସାରିଲାଣି। ପୂରା ଦେଶରେ ୨୦୦ କୋଟିରୁ ଅଧିକ ବ୍ୟବସାୟ କଲାଣି ‘ପୁଷ୍ପା’।

Advertisment

ଠିକ ଏହି ସମୟରେ ରିଲିଜ୍ ହୋଇଥିବା ‘୮୩’ର ବ୍ୟବସାୟ ଫିକା ପଡ଼ିଛି। ୨୦୦ କୋଟିରେ ନିର୍ମିତ ଫିଲ୍ମ ମାତ୍ର ୫୦ କୋଟି ଆଦାୟ କରିପାରିଛି। ରଣବୀର, ଦୀପିକାଙ୍କ ଯୋଡ଼ି, କପିଲ ଦେବ ଏବଂ ବିଶ୍ୱ ବିଜୟୀ ଭାରତୀୟ କ୍ରିକେଟ୍‌ ଟିମ୍ ଏକାଠି ପ୍ରମୋଶନ କରିବା ସତ୍ତ୍ୱେ ଏହା ଥିଏଟରରେ ଚାଲି ପାରିଲାନି।

ଅନ୍ୟପଟେ ଉତ୍ତର ଭାରତରେ ‘ପୁଷ୍ପା’ର ପ୍ରମୋଶନ ନାହିଁ କହିଲେ ଚଳେ। ଲୋକେ ଆପେ ଆପେ ଟ୍ରେଲର୍‌ ଦେଖି ସିନେମା ପାଇଁ ମନ ବଳାଇଛନ୍ତି। ଯାହା ଦର୍ଶକଙ୍କୁ ରୁଚିର ବଡ଼ ଉଦାହରଣ। ଯଦି ‘ପୁଷ୍ପା’ ସମ୍ମୁଖରେ ‘୮୩’ ଫିକା ପଡ଼ିଛି ତାହେଲେ ଅନ୍ୟ ଫିଲ୍ମର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ।

ତେବେ ହିନ୍ଦୀ ଫିଲ୍ମ ନ ଚାଲିବା ପଛରେ ଅନେକ କାରଣ ରହିଛି। ଯେପରିକି ଭଲ କାହାଣୀ, ସଙ୍ଗୀତ ଆଉ ଭରପୁର ମସଲା। ଯାହା ଦର୍ଶକଙ୍କୁ ପସନ୍ଦ ସେସବୁ ଖୁନ୍ଦିଖୁନ୍ଦି ରହିଛି ସାଉଥ୍ ଏବଂ ଅନ୍ୟ ଆଞ୍ଚଳିକ ସିନେମାରେ। ହିନ୍ଦୀ ଫିଲ୍ମରେ ଅନେକ ସହରୀ କାହାଣୀ ରହିଥିବା ବେଳେ ତାହା ନିମ୍ନ ସ୍ତର ଯାଏଁ ପହଞ୍ଚି ପାରୁନି। ବଲିଉଡ୍ ଅଭିନେତା, ଅଭିନେତ୍ରୀଙ୍କ ଅପେକ୍ଷା ଦକ୍ଷିଣ ଭାରତୀୟ ଷ୍ଟାର୍‌ ଅଧିକ ଦକ୍ଷ ଓ ଫ୍ୟାନ୍‌ଙ୍କ ପ୍ରତି ବ୍ୟବହାର ବି ଏକ ବଡ଼ କାରଣ। ଯଦି, ସମୟ ଥାଉ ଥାଉ ଏସବୁକୁ ସୁଧୁରା ନ ଯାଏ ତେବେ ଦିନ ଆସିବ ହିନ୍ଦୀ ସିନେମା ଆଞ୍ଚଳିକ ଫିଲ୍ମ ଭାବେ ପରିଗଣିତ ହେବ।

(ପ୍ରସନ୍ନଜିତ ରାୟ) 

Bollywood
Advertisment
Advertisment