ବଲିଉଡ୍ର ନମ୍ବର ୱାନ୍ ହିରୋ ଗୋବିନ୍ଦା ସବୁବେଳେ ବିଳମ୍ବ ହେତୁ ଅନେକ ଟାହି ଟାପରାର ଶିକାର ହୁଅନ୍ତି। କିନ୍ତୁ ନିକଟରେ କୌଣସି ଏକ କାର୍ଯ୍ୟକ୍ରମରେ କେବଳ ଠିକ୍ ସମୟ ନୁହେଁ ବରଂ ସମୟର ୪୫ ମିନିଟ୍ ପୂର୍ବରୁ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। କାହାକୁ ବି ବିଶ୍ୱାସ ହେଉ ନଥିଲା ଯେ ଗୋବିନ୍ଦା ଏତେ ଶିଘ୍ର ପହଞ୍ଚିଯିବେ।
କାର୍ଯ୍ୟକ୍ରମର ଆୟୋଜକମାନେ ଯେତେବେଳେ ଜାଣିଲେ ଯେ ଗୋବିନ୍ଦା ପହଞ୍ଚି ସାରିଛନ୍ତି ସେମାନେ ସେଠି ପହଞ୍ଚିଗଲେ। ସେତେବେଳେ ଗୋବିନ୍ଦା ତାଙ୍କ କାର୍ରେ ବସି ସମୟ କାଟୁଥିଲେ। ‘ରୋଗୀ ଖୁସି ତ ଡାକ୍ତର ଖୁସି’ ନାମରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଗୋବିନ୍ଦାଙ୍କ ଉପସ୍ଥିତି କେବଳ ହସିବା ପାଇଁ ଜୀବନର ସବୁଠାରୁ ବଡ ଆବଶ୍ୟକତାକୁ ନେଇ ଥିଲା।
ଏହି କାର୍ଯ୍ୟକ୍ରମରେ ଗୋବିନ୍ଦା ଲୋକଙ୍କୁ କହିଥିଲେ ଯେ “ଖୁସି ହେବା ଦ୍ୱାରା ଅଧେ ରୋଗ ଦୂର ହୋଇଯାଏ। ସେ କହିଥିଲେ ଯେ “ସୁସ୍ଥ ରହିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ହସିବା। ମୁଁ ବହୁତ ହସେ। ମୁଁ ଏତେ ହସେ ଯେ ଲୋକମାନେ ମୋ ହସକୁ ଦେଖି ମୁଁ କେତେ ହସୁଛି ବୋଲି କୁହନ୍ତି। ଜୀବନରେ ବହୁତ ହସିବା ଉଚିତ। ଖୁସିରେ ତ ଲୋକମାନେ ହସନ୍ତି କିନ୍ତୁ ଦୁଃଖ ବେଳେ ବି ଜଣେ ଅଧିକ ହସିବା ଉଚିତ। ଏହା ଦ୍ୱାରା ଦୁଃଖ ଦୂର ହୋଇଯାଏ।”
ଏହି ଅବସରରେ ଗୋବିନ୍ଦା ତାଙ୍କ ସହ ଜଡିତ ପିଲାଦିନର ଏକ ଘଟଣା କହିଥିଲେ। ପିଲାଦିନେ ହୋଇଥିବା ତାଙ୍କର ଏକ ଗୁରୁତର ରୋଗ ବିଷୟରେ ସେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ “ଯେତେବେଳେ ମତେ ୭ ବର୍ଷ ହୋଇଥିଲା ମୁଁ ବହୁତ ଅସୁସ୍ଥ ଥିଲି, ମୁଁ ମୋର ସବୁ ଦାନ୍ତ ହରାଇଥିଲି। ସବୁ କେଶ ଝଡିଗଲା। ଚିକିତ୍ସା ସମୟରେ, ଶରୀରର ଏପରି କୌଣସି ଅଂଶ ବାକି ନଥିଲା ଯେଉଁଠାରେ ଇଞ୍ଜେକ୍ସନ ଦିଆଯାଇ ନାହିଁ। ଡାକ୍ତର ଭାବୁଥିଲେ, ଆଉ କେଉଁ ଜାଗାରେ ଇଞ୍ଜେକ୍ସନ ଦେବେ ବୋଲି।
ସେତେବେଳେ ମୁଁ ଧିରେ ଧିରେ କଥା ହେଉଥିଲି। ୧୩ ବର୍ଷ ବୟସ ପର୍ଯ୍ୟନ୍ତ ଏମିତି ରହିଲା। ମୁଁ ଡାକ୍ତରଙ୍କୁ ପଚାରିଲି, ଡାକ୍ତର ବାବୁ, ତୁମେ ଭାବୁଛ କି ମୁଁ ବଞ୍ଚିବି? ସେ କହିଥିଲେ, ଆରେ ଗୋବିନ୍ଦା, ତୁ ତ ଷ୍ଟାର ହେବୁ, ଦୁନିଆ ତତେ ଦେଖିବ। ବୋଧହୁଏ ସରସ୍ୱତୀ ତାଙ୍କ ଜିଭରେ ବସିଥିଲେ।
ଏହି କାର୍ଯ୍ୟକ୍ରମରେ ଗୋବିନ୍ଦା ଏପରି ଅନେକ କାହାଣୀ କହିଥିଲେ ଯାହା ବିଷୟରେ ତାଙ୍କ ଘନିଷ୍ଠ ବନ୍ଧୁମାନେ ବୋଧହୁଏ ଏପର୍ଯ୍ୟନ୍ତ ଜାଣି ନ ଥିଲେ। ସେ ଆଉ ଏକ ଚମତ୍କାର କଥାର ମଧ୍ୟ ଖୁଲାସା କରିଥିଲେ। ସେ କହିଥିଲେ ଯେ ଯେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା, ଜଣେ ଫକୀର ଆସି ତାଙ୍କୁ ପାଣି ପିଇବାକୁ ମାଗିଥିଲେ। ସେତେବେଳେ ଉପବାସ ସମୟ ଚାଲୁଥିଲା, ତେଣୁ ତାଙ୍କୁ କେହି ପାଣି ଦେଉ ନଥିଲେ।
ଗୋବିନ୍ଦା କହିଛନ୍ତି ଯେ “ମୁଁ ତାଙ୍କ ପାଇଁ ପାଣି ଓ ଖାଦ୍ୟ ନେଇ ଆସିଲି। ତାଙ୍କ ସ୍ୱର ବହୁତ ମଧୁର ଥିଲା। ମୁଁ ଭାବିଲି ତାଙ୍କ ପାଖରେ ନିଶ୍ଚୟ କିଛି ଜ୍ଞାନ ଅଛି। ଏହା ପରେ, ୧୪ ବର୍ଷରୁ ୨୧ ବର୍ଷ ପର୍ଯ୍ୟନ୍ତ, ମୁଁ ତାଙ୍କୁ କୌଣସି ନା କୋଣସି ରୂପରେ ଭେଟୁଥିଲି।” ଗୋବିନ୍ଦା କୁହନ୍ତି ଯେ ସେ କେବଳ ତାଙ୍କ ମାଆଙ୍କ ଆଶୀର୍ବାଦ ଏବଂ ସାଧୁଙ୍କ ସେବା ଯୋଗୁଁ ସଫଳତା ପାଇଲେ।
ଗୋବିନ୍ଦା ଆହୁରି କହିଛନ୍ତି ଯେ “ପିଲାଦିନେ ପୂଜା ପାଠରେ ମୋର ବିଶ୍ୱାସ ନଥିଲା। ଯେତେବେଳେ ଜଣେ ସାଧୁ ମହାତ୍ମା ଆସିଲେ, ମୁଁ ସକାଳ ୬ଟାରୁ ସାଢେ ୧୧ ଟା ପର୍ଯ୍ୟନ୍ତ ତାଙ୍କ ଗୋଡ ମୋଡି ଦେଉଥିଲି। ସେ ମୋତେ ଅଟକାଉ ନଥିଲେ। ମୁଁ ମଧ୍ୟ ଗୋଡ ମୋଡି ମୋଡି ଥକି ଯାଇଥିଲି, ତେଣୁ ମୋର ପିଲାଳିଆମି ଯୋଗୁଁ ମୁଁ କିଛି ବୁଝି ନ ପାରି ସେଠାରେ ଥିବା ଏକ କେଟଲିରେ ତାଙ୍କୁ ପିଟିଦେଇଥିଲି। ସେ କିନ୍ତୁ କ୍ରୋଧିତ ହେଲେ ନାହିଁ। ଅପରପକ୍ଷେ, ମୋ ମା’ଙ୍କୁ କହିଲେ, ତମର ପୁଅ କାହାକୁ ବିଶ୍ୱାସ କରେ ନାହିଁ।
ଗୋବିନ୍ଦା ଏହି କାର୍ଯ୍ୟକ୍ରମରେ ବହୁ ବିଳମ୍ବ ପର୍ଯ୍ୟନ୍ତ ତାଙ୍କ ଜୀବନ ସହ ଜଡିତ ଅନେକ କଥା କହିଥିଲେ। ପରସ୍ପର ଉପରେ ବିଶ୍ୱାସ ରଖିବା ପାଇଁ ଲୋକମାନଙ୍କୁ ବୁଝେଇଥିଲେ। ସେ ସବୁଠାରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥାଟି କହିଥିଲେ ତାହା ହେଉଛି, ସମୟ ଯାହା ହେଉନା କାହିଁକି, ମୁହଁରେ ହସ ଫୁଟାଇ ରଖନ୍ତୁ।