Advertisment

ଡିସ୍କୋ ମ୍ୟୁଜିକ୍‌ରୁ ଲୋକସଭା ନିର୍ବାଚନ ଲଢେଇ, ବାପିଙ୍କ ଜୀବନ ଯାତ୍ରା

ସ୍ୱଦେହରୁ ଆମ ଗହଣରୁ ବିଦାୟ ନେଇଛନ୍ତି ସଂଗୀତର ବାଦଶାହା ବାପି ଲାହିରି। କିନ୍ତୁ ବଲିଉଡ୍‌କୁ ସେ ଯେଉଁ ଉପହାର ଦେଇଯାଇଛନ୍ତି ତାକୁ କେହି ବି ଭୁଲିପାରିବେ ନାହିଁ। ତାଙ୍କ ଅବଦାନ ନେଇ ସେ ଚିରସ୍ମରଣୀୟ ହୋଇ ରହିବେ। ତେବେ ଆସନ୍ତୁ ନଜର ପକେଇବା ତାଙ୍କ ଜୀବନୀ ଉପରେ।

author-image
Pramod Behera
From disco music to contesting lok sabha elections, the journey of Bappi lahiri

From disco music to contesting lok sabha elections, the journey of Bappi lahiri

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ସଂଗୀତକାର ବାପି ଲାହିରି ବୁଧବାର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ବାପି ଦା ନାମରେ ଜଣାଶୁଣା ଏହି କିମ୍ବଦନ୍ତୀ ସଂଗୀତକାର ବଲିଉଡ୍‌ ଦେଇଯାଇଛନ୍ତି ଅନେକ ସ୍ମରଣୀୟ ଗୀତ। ଏଥିସହିତ ବଙ୍ଗାଳୀ ସିନେମାରେ ମଧ୍ୟ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ୮୦-୯୦ ଦଶକରେ ବଲିଉଡ୍‌କୁ ଡିସ୍କୋ ମ୍ୟୁଜିକ୍ ଦେଇଥିବା 'ଡିସ୍କୋ କିଙ୍ଗ୍‌' ଭାବରେ ଜଣାଶୁଣା ବାପି ଦା, ତାଙ୍କ ସଙ୍ଗୀତ ପାଇଁ ତାଙ୍କ ପ୍ରଶଂସକଙ୍କ ହୃଦୟରେ ଅମର ରହିବେ।

Advertisment

ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ସେ ଏକ ମାସ ଧରି ହସ୍ପିଟାଲରେ ଥିଲେ ଏବଂ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ। ସୋମବାର ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା, ମାତ୍ର ଗୋଟିଏ ଦିନ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ପୁନର୍ବାର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ବାପି ଲାହିରିଙ୍କ ପ୍ରକୃତ ନାମ ଥିଲା ଆଲୋକେଶ ଲାହିରି। ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିବା ଆଲୋକେଶଙ୍କର ପିତାମାତା ଶାସ୍ତ୍ରୀୟ ଗାୟକ ଥିଲେ। ବାପି ଦା କିଶୋର କୁମାରଙ୍କ ସହ ମଧ୍ୟ ଜଡିତ ଥିଲେ। ସଂଗୀତ ପରିବାରରୁ ଆସିଥିବାରୁ ପିଲାଦିନରୁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା। ସଂଗୀତ ପ୍ରତି ତାଙ୍କର ଏତେ ଭଲ ପାଇବା ଥିଲା ଯେ ସେ ପ୍ରାୟ ସମୟରେ ଏହାରି ଭିତରେ ବୁଡିଯାଉଥିଲେ। ଦିନେ ତାଙ୍କ ବାପାମାଆ ତାଙ୍କୁ ଟେବୁଲ ବାଡେଇ ସଂଗୀତ ପରିବେଷଣ କରୁଥିବା ଦେଖିଲେ। ଏହା ପରେ ସେମାନେ ତାଙ୍କୁ ତାଲିମ ଦେଇଥିଲେ।

Advertisment

ସଂଗୀତ ଜୀବନ ଆରମ୍ଭ:

୭୦ ଦଶକର ଶେଷ ଭାଗରେ ବାପି ଲାହିରି ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିଥିଲେ। ୧୯୭୩ ମସିହାରେ ଆସିଥିବା ଚଳଚ୍ଚିତ୍ର ‘ନନ୍ହା ଶିକାରୀ’ ଏବଂ ‘ଚରିତ୍ର’ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମଧ୍ୟରେ ଥିଲା। ଏହା ପରେ, ସେ ୧୯୭୫ରେ ‘ଜଖ୍‌ମୀ’ ଏବଂ ପରବର୍ତ୍ତୀ ବର୍ଷରେ ଆସିଥିବା ‘ଚଲ୍‌ତେ ଚଲ୍‌ତେ’ ପାଇଁ ସଂଗୀତ ଲେଖିଥିଲେ। ବାପି ଦା’ଙ୍କର ସଙ୍ଗୀତ ଏବଂ କିଶୋର କୁମାରଙ୍କ ସ୍ୱର ଏହି ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍‌କୁ ଅମର କରିଦେଇଛି।

ବଲିଉଡ୍‌କୁ ଡିସ୍କୋ ସଂଗୀତ ଭେଟି:

୧୯୮୨ରେ ଆସିଥିବା ଚଳଚ୍ଚିତ୍ର ‘ଡିସ୍କୋ ଡାନ୍ସର୍’ କେବଳ ଏହାର ସଙ୍ଗୀତ ନେଇ ବକ୍ସ ଅଫିସ୍ ହିଟ୍ ବୋଲି ପ୍ରମାଣିତ ହୋଇଥିଲା। 'ଜିମି ଜିମି ଆଜା', 'ଆଇ ଆମ୍ ଏ ଡିସ୍‌କୋ ଡାନ୍ସର୍' ଏବଂ 'କୋଇ ୟାହାଁ ନାଚେ ନାଚେ' ପରି ବାପି ଦା’ଙ୍କ ଗୀତଗୁଡ଼ିକ ଜଣଙ୍କୁ ନାଚିବାକୁ ବାଧ୍ୟ କରିଥାଏ। ସେହି ବର୍ଷ ବାପି ଲାହିରି ଜୱାନୀ ଜାନେମାନ, ରାତ ବାକି ଏବଂ ପଗ୍‌ ଘୁଙ୍ଗରୁ ଭଳି ଗୀତ ରଚନା କରିଥିଲେ। ଏହି ଗୀତଗୁଡିକ ସେତେବେଳେ ବହୁତ ଲୋକପ୍ରିୟ ହୋଇଥିବା ବେଳେ ଆଜି ବି ଅନେକ ସଂଗୀତ ପ୍ରେମୀ ଗୁଣୁଗୁଣାନ୍ତି।

ଫିଲ୍ମଫେୟାର ପୁରସ୍କାର:

୧୯୮୪ ମସିହାର ଚଳଚ୍ଚିତ୍ର ‘ଶରାବୀ’ ପାଇଁ 'ଦେ ଦେ ପ୍ୟାର୍ ଦେ', 'ଥୋଡି ସି ଜୋ ପି ଲି ହୈ' ଏବଂ 'ଇନ୍ତେହା ହୋ ଗୟୀ' ଭଳି ଗୀତ ଦେଇଥିଲେ ବାପି ଲାହିରି। ଏନେଇ ସେ ଶ୍ରେଷ୍ଠ ସଙ୍ଗୀତ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ। ସେ ୮୦ ଏବଂ ୯୦ ଦଶକରେ ଡ୍ୟାନ୍ସ ଡ୍ୟାନ୍ସ, ସାହେବ, ସୈଲାବ, ଥାନେଡର ସହିତ ଅନ୍ୟାନ୍ୟ ଚଳଚ୍ଚିତ୍ର ସହିତ ଖ୍ୟାତିର ଶୀର୍ଷକୁ ସ୍ପର୍ଶ କରିଥିଲେ।

ଶେଷ ରଚନା:

୨୦୧୧ରେ ଆସିଥିବା ଫିଲ୍ମ 'ଡର୍ଟି ପିକ୍ଚର୍'ରେ ବିଦ୍ୟା ବାଲାନଙ୍କୁ ନେଇ ଚିତ୍ରିତ ହୋଇଥିବା ତାଙ୍କର ଗୀତ 'ଉହ ଲା ଲା' ଜବରସସ୍ତ ହିଟ୍ ହୋଇଥିଲା। ଏହି ଗୀତକୁ ସେ ଶ୍ରେୟା ଘୋଷାଲଙ୍କ ସହ ଗାଇଥିଲେ। ୨୦୧୭ରେ, ତାଙ୍କର ମୂଳ ଗୀତ 'ତମା ତମା'ର ଏକ ରିମିକ୍ସ ସଂସ୍କରଣ ‘ବଦ୍ରିନାଥ କି ଦୁଲହାନିଆ'ରେ ଭର୍ତ୍ତି କରାଯାଇଥିଲା। ଏହାକୁ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଥିଲେ। ବାପି ଲାହିରି ‘ଓଗୋ ବୋଧୁ ଶୁଣ୍ଡୋରୀ ଏବଂ ‘ଗୁରୁ ଦକ୍ଷିଣା’ ଭଳି ଅନେକ ବଙ୍ଗୀୟ ଚଳଚ୍ଚିତ୍ର ପାଇଁ ମଧ୍ୟ ସଙ୍ଗୀତ ରଚନା କରିଛନ୍ତି। 'ବାଗୀ ୩' ର 'ଭଙ୍କସ୍' ଏବଂ 'ଶୁଭ ମଙ୍ଗଲ୍‌ ଜ୍ୟାଦା ସାବଧାନ'ର ‘ଅରେ ପ୍ୟାର୍ କର’ ଲେ' ତାଙ୍କର ଶେଷ ରଚନା ଥିଲା।

ରାଜନୈତିକ ଜୀବନ:

୨୦୧୪ ଜାନୁୟାରୀ ୩୧ ରେ ରାଜନାଥ ସିଂହଙ୍କ ଉପସ୍ଥିତିରେ ବାପି ଦା’ ବିଜେପିରେ ଯୋଗ ଦେଇଥିଲେ। ୨୦୧୪ରେ ଶ୍ରେରମପୁରରୁ ଲୋକସଭା ନିର୍ବାଚନରେ ପ୍ରତିଧ୍ୱନ୍ଦିତା ମଧ୍ୟ କରିଥିଲେ। କିନ୍ତୁ ଏଥିରେ ସେ ବିଜୟ ଲାଭ କରିପାରି ନଥିଲେ। ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସର ପ୍ରାର୍ଥୀ କଲ୍ୟାଣ ବାନାର୍ଜୀଙ୍କ ଠାରୁ ପରାସ୍ତ ହୋଇଥିଲେ।

Bollywood
Advertisment
Advertisment