/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637484029.jpg)
Delhi Sikh Gurdwara management committee lodged FIR against Kangana Ranaut for controversial stateme
କଙ୍ଗନା ରାଣାୱତ ନିଜ ଖାମଖିଆଲି ମତ ନେଇ ସବୁବେଳେ ବିବାଦରେ ଥାଆନ୍ତି। ଏନେଇ ତାଙ୍କୁ ବଲିଉଡ୍ର ‘ପଙ୍ଗା କ୍ୱିନ୍’ ମଧ୍ୟ କୁହାଯାଏ। ନିକଟରେ ତିନି କେନ୍ଦ୍ରୀୟ କୃଷି ଆଇନକୁ ରଦ୍ଦ କରିବା ଘୋଷଣା ପରେ କଙ୍ଗନାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ବିବାଦ ଖେଳି ଯାଇଛି। ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପ୍ରବନ୍ଧକ ସମିତି, କଂଗ୍ରେସର ଯୁବ ୱିଙ୍ଗ୍ ର ରାଷ୍ଟ୍ରୀୟ ସଚିବ ଅମରୀଶ ରଞ୍ଜନ ପାଣ୍ଡେ ଓ ସଂଗଠନର ବିଧି ପ୍ରକୋଷ୍ଠର ସହ ସଂଯୋଜକ ଅମ୍ବୁଜ ଦୀକ୍ଷିତ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଅଧ୍ୟକ୍ଷ ମନଜିନ୍ଦର ସିଂହ ସିରସା ଶିଖ୍ଙ୍କ ଉପରେ ଅପମାନଜନକ ମତ ଦେଇଥିବା ନେଇ କଙ୍ଗନାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି। ସେ କହିଛନ୍ତି ଯେ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ସେ ଟ୍ୱିଟ୍ କରି କହିଛନ୍ତି ଯେ “କଙ୍ଗନାକୁ ମାନସିକ ରୋଗ ଡାକ୍ତରଖାନାକୁ ପଠାଯାଉ ନଚେତ ଜେଲ୍ ପଠାଯାଉ।”
ସମିତି କହିଛି ଯେ ନିକଟରେ ସୋସିଆଲ୍ ମିଡିଆରେ ନିଜ ପୋଷ୍ଟରେ କଙ୍ଗନା ଜାଣିଶୁଣି ଚାଷୀଙ୍କ ପ୍ରଦର୍ଶନକୁ ଖଲିସ୍ତାନୀ ଆନ୍ଦୋଳନ ବୋଲି କହିଛନ୍ତି। ବୟାନରେ କୁହାଯାଇଛି ଯେ ଅଭିନେତ୍ରୀ ଶିଖ୍ ସମୁଦାୟ ବିରୋଧରେ ଆପତ୍ତିଜକନ ଓ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି।
ଶିଖ୍ ସମୁଦାୟଙ୍କ ଭାବନାକୁ ଆହତ କରିବା ନେଇ ଜାଣିଶୁଣି ଏଭଳି ପୋଷ୍ଟ୍ କରାଯାଇଛି ଏବଂ ଅପରାଧିକ ଉଦ୍ଦେଶ୍ୟରେ ଏହାକୁ ପୋଷ୍ଟ୍ କରାଯାଇଛି। ଏନେଇ ଆମେ ପ୍ରାଥମିକତା ଆଧାରରେ ଏହି ଅଭିଯୋଗ ଉପରେ ତର୍ଜମା କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛୁ।
କଂଗ୍ରେସ ଯୁବ ୱିଙ୍ଗ୍ ରାଷ୍ଟ୍ରୀୟ ସଚିବ ଅମରୀଶ ରଞ୍ଜନ ପାଣ୍ଡେ ଅଭିଯୋଗ କରି କହିଛନ୍ତି ଯେ କଙ୍ଗନା ଜଣେ ଲୋକପ୍ରିୟ ଅଭିନେତ୍ରୀ ଓ ତାଙ୍କର ଇନ୍ଷ୍ଟାଗ୍ରାମରେ ୭୮ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ଏନେଇ ସେ ଜାଣିଶୁଣି ଦେଇଥିବା ରାଜଦ୍ରୋହାତ୍ମକ ପୋଷ୍ଟରେ ଭାରତୀୟ ଗଣରାଜ୍ୟ ପ୍ରତି ଘୃଣା, ଅବମାନନା ଓ ଶତ୍ରୁତା ତିଆରି କରିବାରେ କ୍ଷମତା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ଆଇନ ପ୍ରତ୍ୟାହାର କରିବା ଘୋଷଣା ପରେ କଙ୍ଗନା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରି ସୋସିଆଲ୍ ମିଡିଆରେ ଲେଖିଥିଲେ ଯେ “ଯଦି ରାସ୍ତା ଉପରେ ଲୋକେ ଆଇନ ତିଆରି କରିବା ଆରମ୍ଭ କରିଦେଇଛନ୍ତି ଏବଂ ନିର୍ବାଚିତ ସରକାର ଏହାକୁ ସଂସଦରେ କାର୍ଯ୍ୟା ନ କରେ, ତେବେ ତାହା ଜିହାଦୀ ରାଷ୍ଟ୍ର ହେବ। ସେମାନଙ୍କୁ ଶୁଭେଛା ଯେଉଁମାନେ ଏହାକୁ ପସନ୍ଦ କରିଛନ୍ତି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)