ଶାହାରୁଖ-ଅମିତାଭ-ଅଜୟଙ୍କ ବିରୋଧରେ କୋର୍ଟରେ ମାମଲା

ବଡ଼ ବଡ଼ ସେଲିବ୍ରିଟି ଓ ନେତା ମନ୍ତ୍ରୀ ଏବଂ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କ ବିରୋଧରେ ପିଟିସନ୍‌ ଦାଖଲ କରିବାରେ ଏହି ସାମଜସେବୀ ରେସ୍‌ର ସବୁଠୁ ଆଗରେ ।

Bollywood

ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଅଜୟ ଦେବଗନଙ୍କ ନାଁରେ ମାମଲା ରୁଜୁ । ବିହାର ମୁଜାଫରପୁର କୋର୍ଟରେ ଦାୟର ହୋଇଛି ମାମଲା । ସ୍ଥାନୀୟ ଆଞ୍ଚଳର ଜଣେ ସମାଜସେବୀ ଏହି ମାମଲା ଦାୟର କରିଛନ୍ତି । ତମନ୍ନା ହାଶମୀ ନାମକ ଏହି ସମାଜସେବୀ କୋର୍ଟରେ ସେମାନଙ୍କ ବିରୋଧରେ ପିଟିସନ୍‌ ଦାଖଲ କରିଛନ୍ତି ।

ବଡ଼ ବଡ଼ ସେଲିବ୍ରିଟି ଓ ନେତା ମନ୍ତ୍ରୀ ଏବଂ ଲୋକପ୍ରିୟ ବ୍ୟକ୍ତି ବିଶେଷଙ୍କ ବିରୋଧରେ ପିଟିସନ୍‌ ଦାଖଲ କରିବାରେ ଏହି ସାମଜସେବୀ ରେସ୍‌ର ସବୁଠୁ ଆଗରେ । ଅନେକ ସମୟରେ ଏଭଳି ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁରେ ମାମଲା ଦାୟର କରି ସେ ଚର୍ଚ୍ଚାକୁ ଆସିଛନ୍ତି । 

ତେବେ ବିହାର ମୁଜାଫରଫୁର କୋର୍ଟରେ ଏବେ ସେ ଅଭିଯୋଗ କରିଛନ୍ତି ଯେ, ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ଅଜୟ ଦେବଗନ୍‌ଙ୍କ ଭଳି ପ୍ରସିଦ୍ଧ କଳାକାରମାନେ ଗୁଟ୍‌ଖା ଏବଂ ତମାଖୁର ବିଜ୍ଞାପନ କରୁଛନ୍ତି । ଏଭଳି ମାଦକ ଦ୍ରବ୍ୟ ଖାଇବା ପାଇଁ ସମାଜକୁ ପ୍ରୋତ୍ସାହିତ କରୁଛନ୍ତି । ଲୋକପ୍ରିୟ ଅଭିନେତା ଗୁଟ୍‌ଖା ତମାଖୁ ଭଳି ଦ୍ରବ୍ୟର ବିଜ୍ଞାପନ କଲେ ସାଧାରଣ ଲୋକ ଏଥିପ୍ରତି ଆକୃଷ୍ଟ ହୋଇ ଅଧିକରୁ ଅଧିକ ବ୍ୟବହାର କରୁଛନ୍ତି । ଯାହାକି ସମାଜ ପାଇଁ କ୍ଷତିକାରକ । ଏହି ପିଟସନ୍‌ରେ ରଣବୀର ସିଂହଙ୍କ ନାଁ ମଧ୍ୟ ସେ ସାମିଲ କରିଛନ୍ତି ।

କୋର୍ଟଙ୍କ ନିକଟରେ ସେ ନିବେଦନ କରିଛନ୍ତି ଯେ, ଅଭିଯୋଗକୁ ଭିତ୍ତିକରି ଆଇନ୍‌ ଅନୁଯାୟୀ ପୋଲିସ ଏହି ବଡ଼ ବଡ଼ ସେଲିବ୍ରିଟିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ସେମାନଙ୍କ ବିରୋଧରେ ପୋଲିସ ଆଇନ୍‌ ଅନୁଯାୟୀ ଦଫା ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିଟିସନ୍‌ରେ କୁହାଯାଇଛି । ତେବେ ଶୁକ୍ରବାର ଅପରାହ୍ନ ସୁଦ୍ଧା କୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି ।