• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜି ଯଦି ରାଜୁ ଶ୍ରୀବାସ୍ତବ ବଞ୍ଚି ଥାଆନ୍ତେ, ତେବେ ସେ ଖୁବ୍ ଧୂମ୍‌ଧାମ୍‌ରେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥାନ୍ତେ। ଉତ୍ତରପ୍ରଦେଶର କାନପୁରର ବାସିନ୍ଦା ରାଜୁ ଶ୍ରୀବାସ୍ତବ ୨୫ ଡିସେମ୍ବର ୧୯୬୩ରେ ଜନ୍ମଗ୍ରହଣ କରିଥିଲେ। ରାଜୁ ଚଳିତ ବର୍ଷ ସେପ୍ଟେମ୍ବର ୨୧ରେ ଏ ଦୁନିଆ ଛାଡି ଚାଲିଗଲେ। କୋଟି କୋଟି ମୁହଁରେ ହସ ଦେଇଥିବା ରାଜୁ ଶ୍ରୀବାସ୍ତବ ସେଦିନ ସମସ୍ତଙ୍କୁ କନ୍ଦେଇ ଦେଇଥିଲେ।

ରାଜୁ ଶ୍ରୀବାସ୍ତବ ତାଙ୍କ କ୍ୟାରିୟରର ବିକାଶରେ ଏତେ ବ୍ୟସ୍ତ ଥିଲେ ଯେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ କେବେ ବି ସମୟ ପାଉ ନଥିଲେ। ଆଜି କାନପୁରରେ ତାଙ୍କ ପରିବାର ଗରିବ ଲୋକମାନଙ୍କୁ ରାସନ ଜିନିଷ ଏବଂ କମ୍ବଳ ବାଣ୍ଟି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ସ୍ମୃତିରେ ଉତ୍ତରପ୍ରଦେଶ ସରକାର ଲକ୍ଷ୍ନୌ ଏବଂ କାନପୁରର ଅନେକ ରାସ୍ତାର ନାମକରଣ କରିଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ଜନ୍ମଦିନରେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ଅନେକ କଥା କହିଛନ୍ତି ଯାହା ଜଣଙ୍କୁ ଭାବପ୍ରବଣ କରିଦେବ। ଆସନ୍ତୁ ଜାଣିବା...

୨୦ ଟଙ୍କା ବହୁତ ଥିଲା:

“ମୁଁ ରାଜୁ ଭାଇଙ୍କଠାରୁ ବହୁତ କିଛି ଶିଖିଛି, ସେ ମୋର ଆଦର୍ଶ ଏବଂ ପରାମର୍ଶଦାତା। ତାଙ୍କ ଛତ୍ରଛାୟା ତଳେ ୨୨ ବର୍ଷ ରହି ଅନେକ କିଛି ଶିଖିଛି। ଆଜି ବି ମୁଁ ୧୨-୧୩ ଟି ଦେଶରେ ମୋଟ ୧୮୦୦ଟି ଶୋ କରିସାରିଛି। ଡାକ୍ତରମାନେ କୁହନ୍ତି, ହସ ହେଉଛି ସର୍ବୋତ୍ତମ ଔଷଧ, ମୁଁ କହୁଛି ପ୍ରଥମେ ଲାଫ୍ଟର, ବାକି ସବୁ ଆଫ୍ଟର୍। ଖୋଲାଖୋଲି ହସିବା ହେଉଛି ସବୁଠାରୁ ବଡ ପୂଜା।”

“ରାଜୁ ଭାଇ ୧୯୮୨ ମସିହାରେ ମୁମ୍ବାଇ ଆସିଥିଲେ। ସେ ଯେତେବେଳେ କାନପୁରକୁ ଆସୁଥିଲେ ମୋତେ ୨୦ ଟଙ୍କା ଦେଉଥିଲେ। ସେହି ସମୟରେ ମୁଁ ଭାବୁଥିଲି ଯେ ମୋ ଭାଇ ନିଶ୍ଚୟ ହିରୋ ହୋଇଯାଇଛି ସେଥିପାଇଁ ମତେ ୨୦ ଟଙ୍କା ମିଳୁଛି। ଘରେ ତ ଟଙ୍କାଏ କି ଦୁଇ ଟଙ୍କା ମିଳୁଥିଲା।”

ପ୍ରଥମ ସଫଳତା ପାଇଁ ୩୦୦ ଟଙ୍କା:

“ଦିନେ ରାଜୁ ଭାଇଙ୍କୁ କହିଥିଲି ଯେ ମୁଁ ବି ହସେଇବି। ଭାଇ କହିଲେ କାହିଁକି? ଏଥିରେ ବହୁତ ସଂଘର୍ଷ ଅଛି, ମୁଁ ବହୁତ ସଂଘର୍ଷ କରିଛି। ତୁ ଏହା କରିପାରିବୁନି। ମୁଁ କହିଲି, ମୁଁ ଯଥାସମ୍ଭବ କରିବି। ମତେ ବି ଲୋକମାନଙ୍କୁ ହସାଇବାରେ ମଜ୍ଜା ଆସେ। କାନପୁରର ଏକ ଅର୍କେଷ୍ଟ୍ରାରେ ଆଙ୍କରିଂ କରୁଥିଲି। ମୁଁ ବି ସମସ୍ତଙ୍କୁ ଜୋକ୍ ଶୁଣେଇବି। ତା’ପରେ ଭାଇ ମୋତେ ଏକ ଶୋ ଦେଲେ ଏବଂ ପୁରା ଅର୍କେଷ୍ଟ୍ରା ସହିତ ହାଇଦ୍ରାବାଦ ଯିବାକୁ ଏବଂ ଶୋ’ ଶେଷ ହେବା ପରେ ଫେରି ଆସିବୁ ବୋଲି କହିଲେ।”

“ମୁଁ ସେଠାରେ ମଞ୍ଚରେ ପାଞ୍ଚ ମିନିଟ୍ କମେଡି କରିଥିଲି। ଯେତେବେଳେ ମୁମ୍ବାଇ ଫେରିଥିଲି, ସମସ୍ତେ ଭାଇଙ୍କୁ କହିଥିଲେ ଯେ ଦୀପୁ ଖୁବ୍ ଭଲ କମେଡି କରିଲା ଏବଂ ଲୋକମାନେ ତାକୁ ବହୁତ ଉପଭୋଗ କଲେ। ରାଜୁ ଭାଇ ଖୁସି ହୋଇ ମୋତେ ୩୦୦ ଟଙ୍କା ଦେଇଥିଲେ। ଆଜି ମଧ୍ୟ ସେହି ଟଙ୍କାକୁ ମୁଁ ସୁରକ୍ଷିତ ରଖିଛି। ଏହା ପରେ ମୁଁ ସଂଘର୍ଷ ଆରମ୍ଭ କଲି।”

ଭାଇର ଭଲ ପାଇବା:

“ମୁଁ ମୋ ଭାଇଙ୍କୁ କହିଲି ଯେ ମୋତେ ମଧ୍ୟ ସଂଘର୍ଷ କରିବାକୁ ପଡିବ। ଭାଇ କହିଲେ, ତୋର୍ ସଂଘର୍ଷ କରିବାର ଆବଶ୍ୟକତା କ’ଣ? ତୁ ଆମ ସହିତ ରହ, ନଚେତ୍ କାନପୁରକୁ ଯା’ ଏବଂ କିଛି ବ୍ୟବସାୟ କର। ଯେତେ ଟଙ୍କା ଦରକାର ହେବ ମୋ ଠାରୁ ନେବୁ।”

ଶେଷରେ:

“ରାଜୁ ଭାଇ କେବଳ ଜଣେ କଳାକାର ନଥିଲେ, ବରଂ କୋହୀନୂର ହୀରା, ଏମିତି ଏକ ହୀରା ଯାହା ୧୦-୨୦ ବର୍ଷ ପର୍ଯ୍ୟନ୍ତ ଏହି ପୃଥିବୀରେ ପୁନର୍ବାର ଜନ୍ମ ହେବେ ନାହିଁ। ରାଜୁ ଭାଇ ତୁମେ ଯେଉଁଠାରେ ବି ଥାଅ ଖୁସିରେ ଥାଅ। ଆଜି କାନପୁରରେ ଆମର ପୁରା ପରିବାର ରାଜୁ ଭାୟାଙ୍କ ସ୍ମୃତିରେ କମ୍ବଳ, ଉଷୁମ ପୋଷାକ, ରାସନ ଏବଂ ଫଳ ବାଣ୍ଟି ରାଜୁ ଭାଇଙ୍କ ଜନ୍ମଦିନ ପାଳନ କରୁଛୁ।”