ମନ୍ଦିରା ବେଦୀ ବଲିଉଡ୍ର ସେହି ଅଭିନେତ୍ରୀମାନଙ୍କ ତାଲିକାରେ ଗଣା ହୁଅନ୍ତି ଯିଏ ନିଜର ଫିଟ୍ନେସ୍ ପ୍ରତି ସବୁବେଳେ ଧ୍ୟାନ ଦିଅନ୍ତି। ସେ ଯେ ଖାଲି ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତି ତାହା ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ‘ଫିଟ୍ ଆଣ୍ଡ୍ ଫାଇନ୍’ ରହିବା ନେଇ ଜାଗରଣ କରନ୍ତି। ସେ ତାଙ୍କ ଜୀବନରେ ଅନେକ ଅସୁବିଧା ଦେଇ ଗତି କରିଛନ୍ତି, କିନ୍ତୁ କେବେ ବି ହାରି ନାହାନ୍ତି।
ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର ପ୍ରାୟ ସମସ୍ତେ ଜାଣିଥିବେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଯେଉଁଭଳି ଭାବେ ନିଜକୁ ଓ ନିଜ ପରିବାରକୁ ସମ୍ଭାଳିଲେ, ଏଥିରୁ ଜଣାଯାଏ ଯେ ସେ ମାନସିକ ଭାବେ କେତେ ମଜବୁତ୍। ବର୍ତ୍ତମାନ ସେ ନିଜ ଜୀବନକୁ ସ୍ୱାଭାବିକ କରିବାନେଇ ଚେଷ୍ଟା ଜାରି ରଖିଛନ୍ତି। ବହୁଦିନର ବ୍ୟବଧାନ ପରେ ସେ ବର୍ତ୍ତମାନ ପୁନର୍ବାର ସୋସିଆଲ୍ ମିଡିଆରେ ସକ୍ରିୟ ହୋଇଉଠିଛନ୍ତି। ଏହି ଅବସରରେ ସେ ତାଙ୍କ ଫିଟ୍ନେସ୍କୁ ନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି।
Also Read
ଏହି ଭିଡିଓରେ ଅଭିନେତ୍ରୀ ମନ୍ଦିରା ବେଦୀ ବ୍ୟାୟାମ୍ କରୁଥିବା ନଜର ଆସନ୍ତି। ଏମିତିରେ ତ ମନ୍ଦିରା ପୂର୍ବରୁ ନିଜର ଅନେକ ବ୍ୟାୟାମ ଭିଡିଓ ଶେୟାର କରିଛନ୍ତି, କିନ୍ତୁ ଏହି ଭିଡିଓରେ ସବୁଠାରୁ ବିଶେଷ କଥା ହେଲା ଏଥିରେ ସେ ଥରକରେ ୩୩ଟି ହ୍ୟାଣ୍ଡଷ୍ଟାଣ୍ଡ୍ କରିଛନ୍ତି।
ଆପଣ ହୁଏତ ଏହା ପଢି ବିଶ୍ୱାସ ନ କରି ପାରନ୍ତି। ଯଦି ବିଶ୍ୱାସ ନ ହେଉଛି ତେବେ ଆପଣ ଶେୟାର ହୋଇଥିବା ଏହି ଭିଡିଓକୁ ମଧ୍ୟ ଦେଖିପାରିବେ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓକୁ ପୋଷ୍ଟ୍କରି ମନ୍ଦିରା ବେଦୀ ଲେଖିଛନ୍ତି ଯେ “ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ ସକାଳ। ଉପରକୁ ତଳକୁ, ଆଗକୁ ପଛକୁ କରି ଆଜି ମୁଁ ୩୩ଟି ହ୍ୟାଣ୍ଡଷ୍ଟାଣ୍ଡ୍ କରିଦେଇଛି।”

ମନ୍ଦିରା ବେଦୀ ପୂର୍ବରୁ ମଧ୍ୟ ଏଭଳି ଅନେକ ଭିଡିଓ ପୋଷ୍ଟ କରିଛନ୍ତି। କିଛି ଦିନ ପୂର୍ବରୁ ଏକ ଭିଡିଓରେ ମନ୍ଦିରା ହଜାରେ ସ୍କ୍ୱାର୍ଟ୍ସ ମାରୁଥିବା ଦେଖାଦେଇଥିଲେ। ସେ ଏହି ଭିଡିଓ ଶେୟାର କରି ଲେଖିଥିଲେ ଯେ “ଆଜି ସକାଳେ ମୁଁ ଯେତେବେଳେ ଉଠିଲି, ଭାବିଲି ଯେ ଆଜି ମୁଁ ମତେ ହଜାରେ ସ୍କ୍ୱାର୍ଟ୍ସ କରିବାର ଅଛି।”
ମନ୍ଦିରା ବେଦୀ ନିଜ ଶରୀରକୁ ନେଇ ସବୁବେଳେ ସଜାଗ ଥାଆନ୍ତି। ମନ୍ଦିରାଙ୍କ କହିବା କଥା ହେଉଛି ନିଜକୁ ଫିଟ୍ ରଖିବା ନେଇ କେବେ ବିଳମ୍ବ ହୋଇଯାଏ ନାହିଁ। ଆପଣ ଯେକୌଣସି ବୟସରେ ବି ଆପଣଙ୍କୁ ଫିଟ୍ ରଖିପାରିବେ। ଏହାପାଇଁ କେବଳ ଏକ ଇଛାଶକ୍ତି ହିଁ ଦରକାର।

୪୯ ବର୍ଷୀୟ ମନ୍ଦିରା ବେଦୀ ନିଜ କ୍ୟାରିୟରର ଆରମ୍ଭ ୧୯୯୪ ମସିହାରେ ‘ଶାନ୍ତି’ ସିରିୟଲରୁ କରିଥିଲେ। ପରେ ୧୯୯୫ରେ ଫିଲ୍ମ ‘ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ’ରୁ ସେ ବଲିଉଡ୍ ଦୁନିଆରେ ପାଦ ରଖିଥିଲେ। ହିନ୍ଦି ଫିଲ୍ମ ଛଡା ସେ ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏହା ସହିତ ସେ ଅନେକ୍ ୱେବ୍ସିରିଜ୍ରେ ମଧ୍ୟ ନଜର ଆସିଛନ୍ତି।
ମନ୍ଦିରା ବେଦୀଙ୍କ ବିଷୟରେ କିଛି ଅଜଣା କଥା:
ମନ୍ଦିରା ବେଦୀ ଦୂରଦର୍ଶନ ଠାରୁ ଆରମ୍ଭ କରି କ୍ରିକେଟ୍ ଓ ସିନେମା କ୍ଷେତ୍ରରେ ନିଜର ଯାତ୍ରା ଜାରି ରଖିଛନ୍ତି ଆଜି ସେ ମହିଳାଙ୍କ ପାଇଁ ଉଦାହରଣ ହୋଇଯାଇଛନ୍ତି।
ତାଙ୍କ ବାପାଙ୍କ ନାମ ବିରେନ୍ଦ୍ର ସିଂହ ହୋଇଥିବା ବେଳେ ମା’ଙ୍କ ନାମ ଗୀତା ବେଦୀ। ମୁମ୍ବାଇରେ ନିଜ ପ୍ରାଥମିକ ଶିକ୍ଷା ପରେ ସୋଫିଆ ପଲିଟେକ୍ନିକରେ ମିଡିଆରେ ପୋଷ୍ଟ୍ ଗ୍ରାଜୁଏସନ୍ କରିଛନ୍ତି।

ଟିଭି ଦୁନିଆରେ ମନ୍ଦିରାଙ୍କ ଅଭିନୟକୁ ଲୋକେ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମ ଦୁନିଆରେ ସେଭଳି କରାମତି ଦେଖେଇ ପାରି ନଥିଲେ। ଫଳରେ ସେ ପୁନର୍ବାର ଛୋଟ ପରଦାକୁ ଫେରିଆସିଥିଲେ ଓ ଲୋକପ୍ରିୟ ଟିଭି ସିରିୟଲ୍ ‘କ୍ୟୁଁକି ସାସ୍ ଭି କଭୀ ବହୁ ଥୀ’ରେ ଅଭିନୟ କରିଥିଲେ।
ମନ୍ଦିରା ମଧ୍ୟ ଅନେକ କ୍ରିକେଟ୍ ଶୋ’ର ହୋଷ୍ଟ କରିଛନ୍ତି। ଲୋକେ ତାଙ୍କ ଷ୍ଟାଇଲକୁ ବହୁତ ପସନ୍ଦ କରିଥିଲେ। କ୍ରିକେଟ୍ ବିଷୟରେ ସେଭଳି ବେଶି କିଛି ଜାଣି ନ ଥିଲେ ବି ମନ୍ଦିରାଙ୍କୁ ୨୦୦୩ ଓ ୨୦୦୭ କ୍ରିକେଟ୍ ବିଶ୍ୱକପ୍ର ହୋଷ୍ଟିଂ ପାଇଁ ରଖା ଯାଇଥିଲା। କ୍ରିକେଟରେ ଗ୍ଲାମରର ତଡ୍କା କିପରି ଲଗେଇବାକୁ ହୁଏ ତାହା ମନ୍ଦିରା ବେଦୀ ହିଁ ପ୍ରମାଣ କରି ଦେଇଥିଲେ। ଶାଢୀ ପିନ୍ଧି କ୍ରିକେଟ୍ ଶୋ’ର ହୋଷ୍ଟିଂ କରିବାର ତାଙ୍କ ଷ୍ଟାଇଲ୍ ଅନେକ ହୃଦୟକୁ କିଣି ନେଇଥିଲା। କ୍ରିକେଟ୍ ବିଶ୍ୱକପ ହିଁ ମନ୍ଦିରାଙ୍କୁ ଅନ୍ତରାଷ୍ଟ୍ରୀୟ ଦୁନିଆରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ମନ୍ଦିରା ବେଦୀ ୧୯୯୯ରେ ସିନେ ନିର୍ମାତା ରାଜ କୌଶଲଙ୍କୁ ବିହାହ କରିଥିଲେ। କିନ୍ତୁ ଚଳିତ ବର୍ଷ ଜୁନ୍ ୩୦ରେ ରାଜଙ୍କ ମୃତ୍ୟୁ ହୋଇଛି। ତାଙ୍କର ଦୁଇଟି ପିଲା ଥିବା ବେଳେ ପୁଅର ନାମ ଭୀର୍ ଓ ଝିଅର ନାମ ତାରା।

ମନ୍ଦିରା ବେଦୀ ଅନେକ ହଟ୍ ଫଟୋସୁଟ୍ କରିଥିଲେ ବି ‘ଭୋଗ୍’ ପାଇଁ ସେ ଟପ୍ଲେସ୍ ହୋଇଯାଇଥିଲେ।