ଏଥର ବି ମାଟ୍ରିକ୍‌ ପରୀକ୍ଷାରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍‌ ହାର ଅଧିକ

ଆନୁଷ୍ଠାନିକ ଭାବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।

Girls Students

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ । ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି । ଆନୁଷ୍ଠାନିକ ଭାବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।

ତେବେ ଏଥର ବି ଛାତ୍ରୀମାନେ ବାଜି ମାରିଛନ୍ତି । ଛାତ୍ରୀଙ୍କ ପାସ୍‌ ହାର ଛାତ୍ରଙ୍କଠାରୁ ଅଧିକ । ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ସେଥିରୁ ଛାତ୍ରଙ୍କ ସଂଖ୍ୟା ୨ ଲକ୍ଷ ୫୬ ହଜାର ୮୭୭ ରହିଛି । ଅନ୍ୟପଟେ ଏହି ସଂଖ୍ୟାଠାରୁ ଢ଼େର ଅଧିକ ରହିଛି ଛାତ୍ରୀଙ୍କ ପାସ୍‌ ହାର ସଂଖ୍ୟା । ୨ ଲକ୍ଷ ୬୦ ହଜାର ୯୭୦ ଜଣ ଛାତ୍ରୀ ପାସ କରିଛନ୍ତି ।

ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ୯୦.୫୫% ରହିଛି । ମୋଟ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଜଣ ପାସ୍‌ କରିଥିବା ବେଳେ ୮ ହଜାର ୬୯୯ ଜଣ ଫେଲ୍‌ ହୋଇଥିବା ଜଣାପଡ଼ିଛି ।

ମାଲକାନଗିରିର ୨ଟି ସ୍କୁଲ୍‌ ଓ ଅନୁଗୁଳର ଗୋଟିଏ ସ୍କୁଲ୍‌ରେ ଫଳାଫଳ ଶୂନ ରହିଛି । ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିଲେ । ଅନୁଗୁଳର ଉକ୍ତ ସ୍କୁଲରେ ମାତ୍ର ୨ଟି ପିଲା ପଢୁଥିଲେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅନ୍ୟପଟେ A1ରେ  ୮ ହଜାର ୧୧୯ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ A2ରେ ପାସ୍ କରିଛନ୍ତି ୫୪ ହଜାର ୮୮୯ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀମାନେ bseodisha.ac.in ୱେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ । ଏହାଛଡ଼ା SMS ଜରିଆରେ ବି ପରୀକ୍ଷାର୍ଥୀମାନେ ଫଳାଫଳ ସମ୍ପର୍କରେ ସୂଚନା ପାଇପାରିବେ । ମୋବାଇଲ୍‌ରେ OR (10) ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS କଲେ ଆପଣ ପରୀକ୍ଷା ଫଳ ପାଇପାରିବେ ।

ମହାମାରୀ ଯୋଗୁ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏପ୍ରିଲ୍ ୨୮ରୁ ମେ’ ୭ ଯାଏ ମାଟ୍ରିକ ପରୀକ୍ଷା ଚାଲିଥିଲା । ପରେ ମେ’ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ନୂଆ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି । ଇଣ୍ଟରନାଲ୍ ଆସେସ୍‌ମେଣ୍ଟ, ସମ୍ମେଟିଭ ଆସେସ୍‌ମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍‌ମେଣ୍ଟ ଟୁ’ର ୱେଟେଜ୍‌ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।