ଚିଠି ପରେ ଚିଠି ! ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହେଲାଣି ଭିନ୍ନ ବିବାଦ

୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Saswat Mishra

ସେଲ୍ଫ ଫାଇନାନସିଂ କୋର୍ସ ନେଇ ସୃଷ୍ଟି ହୋଇଛି ଭିନ୍ନ ଧରଣର ବିବାଦ । ସେଲ୍ଫ ଫାଇନାନ୍‌ସିଂ କୋର୍ସ କଟକଣା ନେଇ କୂଳାଧିପତିଙ୍କ ସଚିବ ଶାଶ୍ୱତ ମିଶ୍ରଙ୍କ ଚିଠି ଉପରେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ଚିଠି । ୧୩ ସରକାରୀ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ଥିବା ଉଚ୍ଚଶିକ୍ଷା ବିଭାଗର ୮ ଅଧିକାରୀଙ୍କୁ କଟକଣା କାର୍ଯ୍ୟକାରୀତା ପାଇଁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଚିଠି ନେଇ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ କିମ୍ବା କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି । ଏପଟେ କଟକଣାକୁ ବିରୋଧ କରି ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଥିଲା ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ । ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ । 

ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ଜାଲ ସାର୍ଟିଫିକେଟ୍ ‌ଆଡମିଶନ୍ ପ୍ରସଙ୍ଗରେ ଆଜି ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଛାତ୍ର କଂଗ୍ରେସ । ସରକାରୀ ବିଶ୍ୱ ବିଦ୍ୟାଳୟ ଗୁଡିକରୁ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ କଟକଣା ଲଗାଇବା ଦ୍ୱାରା ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ପ୍ରଫେସନାଲ କୋର୍ସରୁ ବାଦ ପଡିବେ ବୋଲି ଅଭିଯୋଗ ହୋଇଥିଲା । ଏହାଦ୍ୱାରା ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ସେହି କୋର୍ସ ଗୁଡ଼ିକ ପାଇଁ ଅଧିକ ଫି’ ପାଇ ଲାଭବାନ ହେବେ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା ।