/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651034050.jpg)
Teacher Crisis
ରାଜ୍ୟରେ ଶିକ୍ଷକ ପଦବୀ ଅଭାବ ଯୋଗୁଁ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ପାଠ ପଢ଼ାଇବା ପାଇଁ ସ୍କୁଲ୍ରେ ଶିକ୍ଷକ ନଥିବା ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି । ଏମିତି କିଛି ଦେଖିବାକୁ ମିଳିଛି ବିକାଶଶୀଳ ଜିଲ୍ଲା ଯାଜପୁର ସହରରୁ । ଶିକ୍ଷକ ଅଭାବରୁ ପିଲା ପଢ଼ିବାରେ ବାଧା ଆସୁଥିବା କହିଛନ୍ତି ।
ସ୍କୁଲରେ ଥିବା ପିଲାମାନେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ନିଜର ପାଠ ପଢିବାର ନିଶା ଆଉ ତାଙ୍କ ସ୍କୁଲର ଅସୁବିଧା ସରକାରଙ୍କ ସାମ୍ନାରେ ବେଶ୍ ଶାଣିତ ଢଙ୍ଗରେ ରଖିଛନ୍ତି ସ୍କୁଲ ପିଲା। କେବଳ ଦାବି କରିନାହାନ୍ତି ବରଂ କହିଛନ୍ତି ଅସୁବିଧାର ସମାଧାନ କର, ସ୍କୁଲରେ ଶିକ୍ଷକ ନିଯୁକ୍ତି କର।
ସ୍କୁଲ୍ରେ ୭୦ ପିଲାଙ୍କୁ ମାତ୍ର ଜଣେ ଶିକ୍ଷକ। ହୁଏତ ଏହି କଥା ଆପଣଙ୍କୁ ବିଶ୍ୱାସ ହୋଇନପାରେ। ହେଲେ ଘଟଣାଟି ପୂରା ସତ। ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି ପୁଣି ବିକାଶୀଳ ଜିଲ୍ଲା ଯାଜପୁରରୁ। ଜିଲ୍ଲାର କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତ ସୋତି ସାଧନକେନ୍ଦ୍ର ଅଧିନରେ ଥିବା ଚାନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ। କାର୍ଯ୍ୟରତ ଶିକ୍ଷକ ଜଣଙ୍କୁ ପୁଣି ନିକଟସ୍ଥ ମଣିପୁର ସ୍କୁଲରୁ କାମଚଳାଇବା ଲାଗି ଅଣାଯାଇଛି ।
ଛାତ୍ର ସଂଖ୍ୟା କମ ଥିବାରୁ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ୨୦୨୧ରେ ନିକଟରେ ଥିବା ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହୋଇ ଏହି ବିଦ୍ୟାଳୟ ସହ ମିଶ୍ରଣ ହୋଇଥିଲା । ପୂର୍ବରୁ ଏଠାରେ ଦୁଇଜଣ ଶିକ୍ଷକ ଥିଲେ। ବନ୍ଦ ସ୍କୁଲରୁ ୨ଜଣ ଶିକ୍ଷକ ଆସିବାରୁ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ । ପରେ ଦୁଇଜଣ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟ ସ୍କୁଲକୁ ବଦଳି ହୋଇଗଲେ ଏବଂ ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ଫେରାଇ ନିଆଗଲା ।
ତେବେ ସ୍କୁଲରେ ଥିବା ପ୍ରଧାନ ଶିକ୍ଷକ ଫେବୃଆରୀ ୨୮ରେ ଅବସର ଗ୍ରହଣ କଲେ । ଫଳରେ ସ୍କୁଲଟି ଶିକ୍ଷକ ଶୂନ୍ୟ ହୋଇ ତାଲା ଝୁଲିଲା । କିଛି ଦିନ ତଳେ ନିକଟସ୍ଥ ସ୍କୁଲରୁ ଜଣେ ଶିକ୍ଷକଙ୍କୁ କାମଚଳା ଭାବେ ଏଠାରେ ନିଯୁକ୍ତି ଦିଆଯାଇଛି। ଫଳରେ ପିଲାମାନେ ପାଠପଢାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାଜ୍ୟ ସରକାର ଦୀର୍ଘବର୍ଷ ହେବ ଶିକ୍ଷକ ନିଯୁକ୍ତି ଦେଉ ନଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ଅଭିଭାବକ । ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ ଶିକ୍ଷକ ଅଭାବ ଏଠାକାର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଛି। ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଯାଉଛି । କରୋନା ପାଇଁ ଦୀର୍ଘଦିନ ସ୍କୁଲ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ଠିକ୍ ଭାବେ ପାଠ ପଢି ପାରିନଥିଲେ । ଯଥାଶୀଘ୍ର ଶିକ୍ଷକ ନିଯୁକ୍ତି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଅଭିଭାବକ।
ସେପଟେ ଯାଜପୁର ଜିଲ୍ଲାପାଳ କହିଛନ୍ତି ଏବେ ଆଡମିଶନ ଚାଲିଛି। ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦେଖି ନିୟମ ଅନୁଯାୟୀ ଖୁବ ଶୀଘ୍ର ଶିକ୍ଷକ ଅଭାବ କୁ ଦୂର କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)