• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

5T ସ୍କୁଲ୍‌ରେ ପାଠ ପଢା ଚାଲିଛି ଗଛ ମୂଳରେ ଆଉ କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି । ଏହାରି ଭିତରେ ସ୍ମାର୍ଟ ସ୍କୁଲ୍‌ରୁ ଆସିଥିବା ଅନୁଦାନ ଅର୍ଥ ବି ହେରଫେର ହେଉଥିବା ଅଭିଯୋଗ ଆସିଲାଣି । ସରକାର ନିଇତି 5T ସ୍କୁଲ୍ ରୂପାନ୍ତରଣକୁ ନେଇ ବାହାବା ନେଉଥିବାବେଳେ ପ୍ରକୃତ ସତ କଣ, ଦେଖନ୍ତୁ ଏହି ରିପୋର୍ଟରେ..

ଗଜପତି ମୋହନା ବ୍ଲକ୍‌ର ଗରଡମା ସରକାରୀ ହାଇସ୍କୁଲ୍ ଫାଇଭ-ଟି ଅଧୀନକୁ ଆସିଛି ସ୍କୁଲ୍ । ହେଲେ ପିଲା ପାଠ ପଢୁଛନ୍ତି ଗଛ ମୂଳରେ। ଶ୍ରେଣୀଗୃହ ଅଭାବରୁ ପ୍ରଥମରୁ ପଞ୍ଚମ ଯାଏ ଗୋଟିଏ କକ୍ଷରେ ପଢାଯାଉଛି , ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଏ ଗଛ ମୂଳେ ପଢିବାକୁ ବାଧ୍ୟ ହେଉଛନ୍ତି । ସ୍କୁଲ୍‌ରେ ନା ଅଛି ଆବଶ୍ୟକ ଶ୍ରେଣୀଗୃହ ନା ପାନୀୟ ଜଳ ବ୍ୟବସ୍ଥା ନା ଶୌଚାଳୟ ସ୍ମାର୍ଟ ସ୍କୁଲ୍ ଓ ସ୍ମାର୍ଟ କ୍ଲାସ୍ । ଏଠି ଯେମିତି ପ୍ରହସନ ପାଲଟିଛି ।

ବିଦ୍ୟାଳୟଟି ଫାଇଭ-ଟି ଅନ୍ତର୍ଭୁକ୍ତ ହେବା ପରେ ୩୬ ଲକ୍ଷ ଟଙ୍କା ବିନିମୟରେ ତିଆରି ଚାଲିଛି ଇ-ଲାଇବ୍ରେରୀ ଓ ସାଇନ୍ସ ଲ୍ୟାବ୍ । ଉମରକୋଟରେ ବି ସମାନ ଚିତ୍ର । ଏହେଉଛି ଫାଇଭ୍-ଟି ଅନ୍ତର୍ଗତ ସରକାରୀ ଉନ୍ନୀତ ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବାହାର ଚକା ଚକ୍ ସୌନ୍ଦର୍ଯ୍ୟକରଣ ବି ଆଖି ଖୋସିଲା ଭଳି । ସୌନ୍ଦଯର୍ୟକୁ ଦେଖି ପିଲାଙ୍କୁ ଏଠାରେ ଆଡମିଶନ କରାଇ କିନ୍ତୁ ଏବେ ପସ୍ତଉଛନ୍ତି ଅଭିଭାବକ। କାରଣ ସ୍କୁଲ୍‌ରେ ଶ୍ରେଣୀ ଗୃହ ଓ ଶିକ୍ଷକଙ୍କ ଘୋର ଅଭାବ ଯୋଗୁଁ ପାଠ ପଢା ବାଧାପ୍ରାପ୍ତ ହେଉଛି ।

 

ପୁରୀ ଜିଲ୍ଲା ଅସ୍ତରଙ୍ଗ କଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟରେ କିନ୍ତୁ ମୋ ସ୍କୁଲ୍ ଫାଇଭ-ଟି ରେ ଦୁର୍ନୀତିର ଚିତ୍ର ଦେଖିବାକୁ ମିଳିଛି । ଏଠି ଶ୍ରେଣୀ ଗୃହ କି ଶିକ୍ଷକଙ୍କ ଅଭାବ ନାହିଁ କିନ୍ତୁ ସ୍କୁଲ୍ ବିକାଶ ଲାଗି ଆସିଥିବା ଅର୍ଥର ସଠିକ୍ ବିନିଯୋଗ ହୋଇନଥିବା ଅଭିଯୋଗ ଆସିଛି । କାନ୍ଥ ବାଡ ଠାରୁ ଆରମ୍ଭ କରି ଟେବୁଲ ଚେୟାର ସବୁଠି ନିମ୍ନମାନର କାମ ଜଳ ଜଳ ଦେଖାଯାଉଛି ।

ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ ରାଜ୍ୟରେ ଫାଇଭ୍-ଟି ରୂପାନ୍ତରଣ ଯୋଜନାରେ ବର୍ତ୍ତମାନ ୪ହଜାର ୫ଶହ ୫୫ ସ୍କୁଲ୍କୁ ସାମିଲ କରାଯାଇଛି । ସେହିପରି ୪ହଜାର ୩ଶହ ୨୩ଟି ଫାଇଭ ଟି ସ୍କୁଲ୍‌ରେ ୮ହଜାର ୫ଶହ ୫୩ ଟି ଶିକ୍ଷକ ପଦ ଓ ୬ହଜାର ୪୮ଟି ଅଣଶିକ୍ଷକ ପଦ ଖାଲି ପଡିଛି ।

ତେବେ ଫାଇଭ-ଟି ସ୍କୁଲ୍ ଗୁଡିକରେ ବିକାଶ ମୂଳକ କାମ ଜାରି ରହିଛି ଯେଉଁସବୁ ଅସୁବିଧା କଥା ସାମ୍ନାକୁ ଆସୁଛି । ସେଥିଲାଗି ଟାସ୍କ ଫୋର୍ସ କମିଟି ଗଠନ ହୋଇଛି । କମିଟି ରିପୋର୍ଟ ଆସିବା ପରେ ସେ ଅନୁଯାୟୀ କାମ ହେବ ଏବଂ ସମସ୍ୟାର ସମାଧାନ ହୋଇଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ପ୍ରାଥମିକ ଶିକ୍ଷାର ବିକାଶ ଲାଗି ମୋ ସ୍କୁଲ୍, ଫାଇଭ୍-ଟି ରୂପାନ୍ତରଣ ଯୋଜନା ସରକାର ହାତକୁ ନେଇଛନ୍ତି । ପୁରୁଣା ଛାତ୍ରଙ୍କ ଅବଦାନ କ୍ରମେ ପାଣ୍ଠି ବି କିଛି କମ ଆସୁନି । ତଥାପି ଗରିବ ମେଧାବୀ ଛାତ୍ର ଛାତ୍ରୀ ସ୍ମାର୍ଟ ସ୍କୁଲ୍ ଠାରୁ ଯେମିତି ବହୁ ଦୂରରେ ।

ରିପୋର୍ଟର- କାର୍ତ୍ତିକ ମଲ୍ଲିକ, ମିହିର ଜତି, ସଞ୍ଜୟ ପତି, ଜଗଦୀଶ ଦାସ