• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟ ଶିକ୍ଷା ବିଭାଗର ବିଚିତ୍ର ଚିତ୍ର । ଶ୍ରେଣୀ ଗୃହ ଗୋଟିଏ, ବ୍ଲାକ୍ ବୋର୍ଡ ବି ଗୋଟିଏ । ହେଲେ ଏକା ସାଙ୍ଗରେ ଚାଲିଛି ଦୁଇଟି କ୍ଲାସ । ଦୁଇ ପଟେ ଛିଡ଼ା ହୋଇ ଦୁଇଟି କ୍ସାସକୁ ଦୁଇଟି ବିଷୟ ପଢାଉଛନ୍ତି ଦୁଇ ଜଣ ଶିକ୍ଷୟିତ୍ରୀ । ଆପଣ ଆଗରୁ କେଉଁଠି ବି ଏଭଳି ବ୍ୟବସ୍ଥା ଥିବା ଜାଣିନଥିବେ । ତେବେ କୋରାପୁଟ ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ତେବେ ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟରେ କେଉଁସ୍ତରରେ ରହିଛି ଶିକ୍ଷା ଭିତ୍ତିଭୂମି ।

ବିଡମ୍ବନାର କଥା ହେଉଛି ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତରୀକଣ । ୫ଟି ଅଧିନରେ ହାଇଟେକ୍ ହେଉଛି କ୍ଲାସ ରୁମ୍ । ଆଉ ଏହାକୁ ନେଇ ସରକାର କେତେ କଣ ପ୍ରଚାର କରୁଛନ୍ତି । ଆଉ ବାହାବା ସାଉଣ୍ଟିବା ଲାଗି କେତେକଣ ପ୍ରୟାସ କରୁଛନ୍ତି । ତେବେ ତିନୋଟି ଶ୍ରେଣୀ ଗୃହରେ ୭ଟି ଶ୍ରେଣୀ ଚାଲିବା ସ୍କୁଲକୁ କେତେ ସ୍ମାର୍ଟ କରିବ ଆପଣ ବୁଝିପାରୁଥିବେ ।

ରାୟଗଡା କୋଲନରା ବ୍ଳକ କର୍ଲାକଣା ସରକାରୀ ବିଦ୍ୟାଳୟରେ ମଧ୍ୟ ଏଭଳି ସ୍ଥିତି । ଏଠି ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ପଢୁଛନ୍ତି ଛାତ୍ରଛାତ୍ରୀ । ଏହି ଅଞ୍ଚଳରେ ଥିବା ହାଲୁଆ ଉଚ୍ଚ ବିଦ୍ୟାଳୟର ତଦ୍ରୁପ ସ୍ଥିତି । ୭ ବର୍ଷ ତଳେ ଏହାର ନିର୍ମାଣରେ ଖର୍ଚ୍ଚ ହୋଇଥିଲା ୬୦ ଲକ୍ଷ ଟଙ୍କା । ହେଲେ ଏବେ ଅବସ୍ଥା ଦେଖିଲେ, ଆପଣ କହିବେ ସରକାର କା ମାଲ୍ ଦରିଆ ମେ ଡାଲ୍ ନୀତିରେ ହୋଇଥିଲା ନିର୍ମାଣ ।

ଆଜବେସଷ୍ଟସ ଉଡି ଗଲାଣି, ଶ୍ରେଣୀ ଗୃହରେ ଉଇ ହୁଙ୍କା, ଆଉ ପୁରା ସ୍କୁଲକୁ ଆବୁରିବାକୁ ବସିଲାଣି ଜଙ୍ଗଲ । ନିମ୍ନମାନର କାମ ଅଭିଯୋଗ ସାଙ୍ଗକୁ ଏହାକୁ ଆଜି ଯାଏଁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇନାହିଁ । ଫଳରେ ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏଠାରେ ପାଠପଢା ଆରମ୍ଭ ହୋଇପାରିନି । ରାୟଗଡ଼ା ଜିଲ୍ଲାର ଅଧିକାଂଶ ସ୍କୁଲ ଏଭଳି ସ୍ଥିତିରେ ଥିବା ବେଳେ 5T ଏମାନଙ୍କ ପାଇଁ ଏବେବି ଅପହଞ୍ଚ ।

ଏପଟେ ଆଜିଠାରୁ ରାଜ୍ୟବ୍ୟାପୀ ସ୍କୁଲ୍ ଖୋଲିଛି । ମହାମାରୀ ସ୍ଥିତିରେ ସୁଧାର ଆସିଥିବାରୁ ଚଳିତ ଶିକ୍ଷା ବର୍ଷରେ ଶତ ପ୍ରତିଶତ କୋର୍ସ ସାରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଉପାନ୍ତ ଅଞ୍ଚଳର ଯେଉଁ ସ୍କୁଲଗୁଡିକର ଭିତ୍ତିଭୂମି ସଜଡା ହୋଇପାରିନି, ସେଠି ପିଲାଏ ବଢିବେ କେମିତି ? ଗୁଣାତ୍ମକ ଶିକ୍ଷା ପାଇବେ କେଉଁଠୁ ? ଏସବୁକୁ ଦେଖିଲେ ସରକାରଙ୍କ ସ୍କୁଲ ରୂପାନ୍ତରୀକରଣ ଯୋଜନା ବାସ୍ତବତାଠାରୁ ଢେର୍ ଦୂରରେ ବୋଲି ତାହା ଜଳ ଜଳ ଦିଶୁଛି । ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, କିଛି ସ୍କୁଲରେ ଭିତ୍ତିଭୂମି ସମସ୍ୟା ରହିଛି, ଖୁବଶୀଘ୍ର ସେଥିରେ ସୁଧାର ଅଣାଯିବ ।