• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଫର୍ମ ଫିଲପ୍ କରି ମାଟ୍ରିକ୍ ପରୀକ୍ଷା ଦେଉନାହାଁନ୍ତି ହଜାର ହଜାର ପରୀକ୍ଷାର୍ଥୀ । ଦୁଇ ବର୍ଷ ପରେ ପୁଣିଥରେ ଅଫ୍ ଲାଇନରେ ମାଟ୍ରିକ୍ ପରୀକ୍ଷା ହେଉଥିବା ବେଳେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ତେବେ କେଉଁ ପରିସ୍ଥିତିରେ ଓ କିପରି ପରୀକ୍ଷାର୍ଥୀମାନେ ଅନୁପସ୍ଥିତ ରହିଲେ, ନା ଫର୍ମ ଫିଲପ୍‌ରେ କିଛି ଗଡ଼ବଡ଼ି ଅଛି, ତାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା । ମାଧ୍ୟମିକ ଶିକ୍ଷା ବୋର୍ଡ ଏ କ୍ଷେତ୍ରରେ ନିରବ ଥିବାବେଳେ ଶିକ୍ଷାବିତମାନେ ଏଥିରୁ ଦୁର୍ନୀତିର ଗନ୍ଧ ବାରିଛନ୍ତି ।

ମାଟ୍ରିକ୍ ପରୀକ୍ଷାରୁ ପରୀକ୍ଷାର୍ଥୀ ଗାୟବ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଇଶ୍ୱରପୁର ଗ୍ରାମର ବୀଣାପାଣି ନୋଡାଲ ହାଇସ୍କୁଲ୍‌ରେ ଫର୍ମ ଫିଲଅପ୍ କରିଛନ୍ତି ୧୭୦ ଜଣ ହେଲେ ପରୀକ୍ଷା ଦେଉଛନ୍ତି ୧୩୯ । ୩୧ ଜଣ ପିଲା ଅନୁପସ୍ଥିତ ଥିବା କଥା ସାମ୍ନାକୁ ଆସିଛି । ଚନ୍ଦ୍ରଶେଖର ମଲ୍ଲିକ ଓ ଯଶୋବନ୍ତ ଦାସ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ଫିଲ୍ଅପ୍ କରିଛନ୍ତି ହେଲେ ଏ ଦୁହେଁ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି । ଏହି ଦୁଇ ଛାତ୍ର ୨୦୨୧ ଜୁନ୍‌ରୁ କେରଳରେ କାମ କରୁଥିବା ଅଭିଭାବକ କହିଛନ୍ତି । ପ୍ରଧାନ ଶିକ୍ଷକଙ୍କ କହିବାନୁଯାୟୀ, ସମ୍ମେଟିଭ ୱାନ୍‌ରେ ଯେଉଁମାନେ ଫର୍ମ ଫିଲପ କରିଥିଲେ, ସେମାନଙ୍କ ଫର୍ମ ଫିଲପ୍ ସମ୍ମେଟିଭ ଟୁ ପାଇଁ ହୋଇଛି । ଅଧାରୁ ପଢା ଛାଡିଥିବାରୁ ପରୀକ୍ଷା ଦେବାକୁ ଆସିନାହାଁନ୍ତି ପିଲା ।

ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା? ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି । ମୟୁରଭଞ୍ଜରେ ୩୬ ହଜାର ୮୮୬ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲପ କରିଥିବାବେଳେ ୪ହଜାର ୫୪୯ ଜଣ ଅନୁପସ୍ଥିତ ଅଛନ୍ତି । ବଲାଙ୍ଗୀରରେ ୨୭ହଜାର ୩୧୮ ଜଣ ଫର୍ମ ଫିଲପ କରିଥିବାବେଳେ ୩ହଜାର ୩୧୬ ଜଣ ପରୀକ୍ଷା ଦେଉନାହାଁନ୍ତି ।

ସେହିପରି ବାଲେଶ୍ୱରରେ ଫର୍ମ ଫିଲ୍ପ କରିଥିବା ୩୨ ହଜାର ୯୫୭ ଭିତରୁ ୨ହଜାର ୮୧୮ ଅନୁପସ୍ଥିତ ରହିଛନ୍ତି । କଟକରେ ମଧ୍ୟ ମାଟ୍ରିକ ଅନୁପସ୍ଥିତି ସଂଖ୍ୟା ହଜାରେ ପାର୍ । ୩୧ ହଜାର ୫୩୬ ଫର୍ମ ଫିଲପ କରିଥିବାବେଳେ ପରୀକ୍ଷାରୁ ୧୪ଶହ ୫୦ ଗାୟବ । ସେହିପରି କେନ୍ଦ୍ରାପଡାରେ ମଧ୍ୟ ଆଜି ହଜାରେରୁ ଅଧିକ ପିଲା ପରୀକ୍ଷା ଦେଇନଥିବା ଡିଇଓ କହିଛନ୍ତି ।

ଯଦି ଉପକୂଳ ଅଞ୍ଚଳରେ ସ୍ଥିତି ଏପରି ତେବେ ରାଜ୍ୟର ପଛୁଆ ଓ ଉପାନ୍ତ ଅଞ୍ଚଳରେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବେ, ତାହା ସହଜରେ ଅନୁମେୟ । କିନ୍ତୁ ପରୀକ୍ଷା ଆରମ୍ଭ ପୂର୍ବରୁ ମାଧ୍ୟମିକ ଶିକ୍ଷା ବୋର୍ଡ ତା ପ୍ରେସ୍ ରିଲିଜ୍‌ରେ ଦର୍ଶାଇଥିଲା ଯେ, ଚଳିତ ବର୍ଷ ମାଟ୍ରିକ୍, ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାରେ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷା ଦେବେ । ହେଲେ ପରୀକ୍ଷା ଦେଉଛନ୍ତି କେତେ, ସେ ବିଷୟରେ ବୋର୍ଡ ନିକଟରେ ଉତ୍ତର ନାହିଁ ।

ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହୁଥିବାବେଳେ ଏବେ ପ୍ରଶ୍ନ ଉଠୁଛି, ଫର୍ମ ଫିଲପ୍ କରିଥିବା ପରୀକ୍ଷାର୍ଥୀ ଫେକ୍ ନୁହଁନ୍ତି ତ? ମାନ୍ୟତା ହରାଇବା ଭୟରେ ଘରୋଇ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁ଼ଡିକ ୟା ତା ନାଁ ରେ ଫର୍ମ ଫିଲପ୍ କରି ନାହାଁନ୍ତି ତ? ସମ୍ମେଟିଭ ଆସେସ୍ମେଣ୍ଟ ୱାନ୍ ଓ ଟୁ ଲାଗି କେବଳ ଥରେ ଫର୍ମ ଫିଲପ୍ କରିବା ନିୟମ ଥିବାରୁ ଏପରି ପରିସ୍ଥିତି ଉପୁଜିଛି କି?