ଗରିବ ପିଲା କେମିତି ଶିଖିବେ ଇଂରାଜୀ ? ତାର ବାଟ ଖୋଲିଛନ୍ତି ଶ୍ରୀନିବାସ

ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।

Srinibas

ଦିନେ ଥିଲେ ଜଣେ ସାଧାରଣ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ଥିଲା ତାଙ୍କର ବୃତ୍ତି । ଖାଲି ପାଠ ପଢାଉନଥିଲେ ବରଂ ପିଲାଙ୍କ କେମିତି ବିକାଶ ହୋଇପାରିବ ସେନେଇ ଅନେକ ପଦକ୍ଷେପ ନେଉଥିଲେ । ପିଲାଙ୍କୁ ନିଜ ନିଜର ରୁଚି ଅନୁସାରେ ପାଠ ପଢାଇବା ସହ ଖେଳଖୁଦରେ ବି ସାମିଲ କରୁଥିଲେ । ଶିକ୍ଷକତା ସମୟରେ ଗରୀବ ପିଲାଙ୍କ ଦୁଃଖ ସେ ବେଶ୍‌ ପାଖରୁ ଦେଖିପାରୁଥିଲେ । କେମିତି ସେମାନଙ୍କୁ ଇଂରାଜୀରେ ଶିକ୍ଷା ମିଳିପାରିବ ସେନେଇ ଚିନ୍ତା ବି କରୁଥିଲେ ।

ସେ ହେଉଛନ୍ତି କୋରାପୁଟ ଜୟପୁରର ଜି.ଶ୍ରୀନିବାସ ପଟ୍ଟନାୟକ । ଶିକ୍ଷକତା ଜୀବନରେ ଗରୀବଙ୍କ ପିଲାଙ୍କୁ କେମିତି ମାଗଣାରେ ଶିକ୍ଷା ଦିଆଯିବ ସେନେଇ ଅନେକ ପ୍ରୟାସ ବି କରୁଥିଲେ । ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଥମେ ଗୋଟିଏ ଇଂରାଜୀ ସ୍କୁଲ ନିର୍ମାଣ କଲେ । ଆଉ ପିଲାଙ୍କୁ ଶିକ୍ଷା ଦେଲେ । ଏବେ ସାରା ଭାରତରେ ସେ ୬୪ରୁ ଅଧିକ ସ୍କୁଲ ନିର୍ମାଣ କରିସାରିଲେଣି । ଓଡିଶା ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନେକ ସ୍କୁଲ ନିର୍ମାଣ କରିସାରିଲେଣି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯିଏ ଦିନେ ସାଧାରଣ ଶିକ୍ଷକ ଥିଲେ ଆଜି ସିଏ ସେଣ୍ଟ ଜାଭିଅର ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ପରିଚାଳନା ନର୍ଦ୍ଦେଶକ । ପିଲାଟି ଦିନରୁ ବେଶ କଷ୍ଟରେ ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା କଲା ପରେ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ଶିକ୍ଷକତା କରି ଧିରେ ଧିରେ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଶ୍ରୀନିବାସ । ଖାଲି ଇଚ୍ଛା ପ୍ରକାଶ କରିଥିଲେ ତାହା ନୁହେଁ ବରଂ ଇଚ୍ଛାକୁ ବାସ୍ତବତାର ରୂପ ଦେଇ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟର ପ୍ରତିଷ୍ଠା ବି କଲେ ।

ଶ୍ରୀନିବାସ ଜଣେ ଶିକ୍ଷାବିତ୍‌ ସମେତ କ୍ରୀଡାରେ ମଧ୍ୟ ରୁଚି ରଖନ୍ତି । ଫୁଟବଲ ସମେତ କ୍ରିକେଟ୍‌ରେ ବି ଦେଖାଇଛନ୍ତି ନିଜର ପାରିଦର୍ଶିତା । ସେଇଥିପାଇଁ ତ ଭାରତୀୟ ଆଥଲେଟିକ ଫେଡେରେସନର ଉପସଭାପତି ସାଙ୍ଗକୁ ଓଡିଶା ଆଥଲେଟିକ ଆସୋସିଏସନର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏତେ ଉଚ୍ଚ ପଦରେ ଥାଇ ବି କେମିତି ଗରୀବ ପିଲାଙ୍କ ଉନ୍ନତି ହେବ ସେନେଇ ସବୁବେଳେ ଚିନ୍ତା କରନ୍ତି ଶ୍ରୀନିବାସ ।

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କରୋନା ସମୟରେ ଅନେକ ଲୋକ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହେଲେ ଶ୍ରୀନିବାସ କିନ୍ତୁ ଏହି ସମୟରେ କିଛି ନୂଆ କରିବାର ଯେମିତି ନେଇଥିଲେ ସଂକଳ୍ପ । ମହାମାରୀ ସମୟରେ ଶ୍ରୀ ଜଗନ୍ନାଥ ଓ କୋରାପୁଟର ଅଧିଷ୍ଠାତ୍ରୀ ଦେବୀ ମୁତ୍ୟାଲୁମ୍ମାଙ୍କ ଭଜନରେ ନିଜେ କଣ୍ଠ ଦାନ କରି ଏବେ ବେଶ ଚର୍ଚ୍ଚାକୁ ଆସିଛନ୍ତି ।

ଜି.ଶ୍ରୀନିବାସ ପଟ୍ଟନାୟକ ଜଣେ ଓଡିଆ ଭାବେ ସାରା ଭାରତବର୍ଷରେ ଚର୍ଚ୍ଚିତ ହୋଇ ଓଡିଆଙ୍କୁ ଗୌରବାନ୍ୱିତ କରିଥିବା ବେଳେ ତାଙ୍କ ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

(ରିପୋର୍ଟ- ଟି. ଗୌରୀ ଶଙ୍କର, ଜୟପୁର)