Advertisment

ସପ୍ତମ ବନାନ ଜାଣନ୍ତିନି ସପ୍ତମ ଶ୍ରେଣୀ ପିଲା; ଏଣେ ଗଣିତ ଶିକ୍ଷକ କହିପାରୁନାହାନ୍ତି ୪୯ ରୁ ୧୨ ଗଲେ କେତେ ?

ସରକାରୀ ସ୍କୁଲର ବିକାଶ ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ସ୍କୁଲ ରୂପାନ୍ତରୀକରଣ ଚାଲିଛି। କିନ୍ତୁ ସରକାରୀ ସ୍କୁଲ ଗୁଡ଼ିକରେ ପାଠପଢ଼ା କେତେ ନିମ୍ନମାନର ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ଏଠି ସାର୍ ମାନଙ୍କ ଅବସ୍ଥା ମଧ୍ୟ ଭଲ ନୁହେଁ। ପାଠ ପଢ଼ା କେମିତି ଚାଲିଛି ଓଟିଭି ତରଫରୁ କରାଯାଇଥିଲା ଏକ ରିଅଲିଟି ଚେକ୍।

author-image
Otv Khabar Bureau
ଅଦ୍ୟତନ ହୋଇଛି
Education System

Education System

ସପ୍ତମ ଶ୍ରେଣୀରେ ପଢୁଥିବା ପିଲାମାନେ କେମିତି ପାଠ ପଢୁଛନ୍ତି? ଏମିତିକି ପିଲା ଯେଉଁ ଶ୍ରେଣୀରେ ପଢ଼ୁଛନ୍ତି ତା ବନାନ ବି କହିପାରୁନାହାଁନ୍ତି। ପଣିକିଆ କି ଗୁଣନ ହେଉ ରାଷ୍ଟ୍ରପତି ଅବା ରାଜ୍ୟପାଳଙ୍କ ନାଁ କ'ଣ ଏମାନେ କିଛି ଜାଣନ୍ତି ନାହିଁ । ଆଉ ସେହି ସ୍କୁଲରେ କେବଳ ଗୋଟିଏ କି ଦୁଇଟି ନୁହେଁ ବରଂ ବହୁ ପିଲାମାନଙ୍କ ଅବସ୍ଥା ଏହିପରି ।

Advertisment

କିଛିଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ବୁଲି ବୁଲି ପିଲାଙ୍କ ସହ କଥା ହେଉଥିଲେ ଏବଂ ଯେଉଁ ସ୍କୁଲର ପିଲାଙ୍କୁ ପଣିକିଆ ଆସେନି ସେଇ ସ୍କୁଲର ଦରମା ବି କାଟୁଥିଲେ। ହେଲେ ସରକାରୀ ସ୍କୁଲରେ କେମିତି ପିଲା ପଢୁଛନ୍ତି ସେନେଇ ଓଟିଭି ପକ୍ଷରୁ ରିଏଲଟି ଚେକ୍‌ କରାଯାଇଥିଲା । ପିଲାଙ୍କୁ ଏହାଦ୍ୱାରା କଟାକ୍ଷ କରାଯାଇନାହିଁ ବରଂ ପ୍ରକୃତରେ କେମିତି ପାଠ ପଢାଯାଉଛି ତାହାକୁ କେବଳ ଜନସାଧାରଣଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ଗାଁର ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଛି । କେବଳ ପିଲାଙ୍କୁ ପ୍ରଶ୍ନ କରାଯାଇନଥିଲା ଶିକ୍ଷକଙ୍କୁ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନ ଶୁଣୁ ଶୁଣୁ ଥଥ ମମ ହୋଇପଡ଼ିଥିଲେ ମାଷ୍ଟର । ସପ୍ତମ ଶ୍ରେଣୀର ଶ୍ରେଣୀ ଶିକ୍ଷକଙ୍କୁ ଜଣା ନାହିଁ ଓଡ଼ିଆ ବର୍ଣ୍ଣ କିମ୍ବା ସଂଖ୍ୟା । ଛାତ୍ରଛାତ୍ରୀଙ୍କ କଥା ପଚାରେ କିଏ?

Advertisment

ଏହା କୌଣସି ଉପାନ୍ତ ନୁହେଁ ବରଂ ରାଜନୀତିର ପେଣ୍ଠସ୍ଥଳ ପାଲଟିଥିବା ଗାଁର ଶିକ୍ଷାର ବ୍ୟବସ୍ଥାର ଝଲକ । ଜୟପୁରାକାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ଏଭଳି କିଛି  ନଗ୍ନ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଛି । ଏଥିରୁ ସ୍ପଷ୍ଟ ଅନୁମେୟ କି ସେଠାରେ ଶିକ୍ଷା ବ୍ୟବସ୍ଥା ପୂରା ହୁଗୁଳା । ପିଲାମାନେ ଏମିତିକି ରାଷ୍ଟ୍ରପତି କି ରାଜ୍ୟପାଳଙ୍କ ନାଁ ବି ଜାଣିନାହାନ୍ତି। ସେପଟେ ଶିକ୍ଷକ କହୁଛନ୍ତି ଆମେ ପିଲାଙ୍କୁ ଭଲରେ ପଢାଉଛୁ ହେଲେ ସେମାନେ ରିସିଭ କରୁନାହାନ୍ତି ।

ସାର ଜଣକ କହୁଛନ୍ତି ମୁଁ ଗଣିତ ପଢାଏ। ହେଲେ ଗଣିତରେ ୟାଙ୍କର କେତେ ଜ୍ଞାନ ତାହା ସମସ୍ତ ସାମ୍ନାରେ। ଏମିତିକି ୪୯ ରୁ ୧୨ ଗଲେ କେତେ ରହିବ ସାରଙ୍କୁ ଜଣାନାହିଁ। ଥରେ ଚିନ୍ତା କରନ୍ତୁ ଏଇ ସ୍କୁଲରେ ମୋଟ୍‌ ଉପରେ ପାଠ ପଢା କେମିତି ଚାଲିଛି? ସେପଟେ ସ୍କୁଲ ସମ୍ପର୍କରେ ଅଭିଭାବକ କହୁଛନ୍ତି ପିଲାମାନେ ସପ୍ତମ ଓଡ଼ିଆରେ ଲେଖିପାରୁନାହାନ୍ତି କି କିଛି ଜାଣିପାରୁନାହାନ୍ତି । ତେବେ ସ୍କୁଲରେ ଏମିତି ପାଠ ପଢା ନେଇ ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣିଙ୍କୁ ପ୍ରଶ୍ନ କରାଯାଇଥିଲା ।

ତେବେ କ୍ୟାମେରା ସାମ୍ନାରେ ଜଳଜଳ ହୋଇ ସବୁ ଦେଖିବା ପରେ ଏବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷାଧିକାରୀ । ତେବେ ଦେଖିବାକୁ ବାକି ରହିଲା ତଦନ୍ତ ରିପୋର୍ଟ କେବେ ଆସିବ?

ରିପୋର୍ଟ- ବିଦ୍ୟାଧର ବରାଳ

Advertisment
Advertisment