Advertisment

ଆଉ ୨ ଦିନ ପରେ ଖୋଲିବ ସ୍କୁଲ; ଉତ୍ସାହରେ ପିଲାମାନେ

ଆଉ ମାତ୍ର ୨ଦିନର ଅପେକ୍ଷା। ଖୋଲିବ ସ୍କୁଲ୍, ବାଜିବ ବେଲ୍। ସାଙ୍ଗ ସାଥୀଙ୍କ ସହ ବି ଦେଖାହେବ। ରାଜ୍ୟରେ ସୋମବାରଠାରୁ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଏବେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ।

author-image
Pramod Behera
ଅଦ୍ୟତନ ହୋଇଛି
School will open after 2 days

School will open after 2 days

କରୋନା କାଳରେ କ୍ୟାରିୟର ଚିନ୍ତା। ୧୧ରୁ ଅଧିକ ରାଜ୍ୟରେ ସ୍କୁଲ୍ ଖୋଲିବା ପରେ ଏବେ ଓଡିଶାରେ ବି ୨ଦିନ ପରେ ଖୋଲିବାକୁ ଯାଉଛି ଶିକ୍ଷାନୁଷ୍ଠାନ। ସୋମବାରଠାରୁ ପର୍ଯ୍ୟାୟକ୍ରମେ ସବୁ ଶ୍ରେଣୀ ଖୋଲିବ। ଏଥିପାଇଁ ଆଜି ଆସିଛି ସମୟ ସାରଣୀ। ତେବେ କରୋନା କୋପ ସମ୍ପୂର୍ଣ୍ଣ କମି ନଥିବାରୁ ଏବେ ସଂକ୍ରମଣମୁକ୍ତ ଶିକ୍ଷା ସମସ୍ତଙ୍କ ପାଇଁ ପାଲଟିଛି ବଡ଼ ଆହ୍ୱାନ। ପ୍ରଥମରୁ ସପ୍ତମ ଶ୍ରେଣୀ ଏବେ ନ ଖୋଲିବାକୁ ଉତ୍କଳ ଅଭିଭାବକ ସଂଘ ଦାବି ରଖିଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି କ୍ଲାସ୍‌ରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ହେବା ଦରକାର।

Advertisment

ରାଜ୍ୟରେ ସୋମବାରଠାରୁ ସ୍କୁଲ୍ ଖୋଲିବାକୁ ଯାଉଥିବାରୁ ଏବେ ପିଲାଙ୍କ ମନରେ ପ୍ରବଳ ଉତ୍ସାହ। ୨ବର୍ଷ ଧରି ସ୍କୁଲ୍ ହତା ମାଡ଼ି ନଥିବା ପ୍ରାଥମିକ ଶ୍ରେଣୀର ପିଲା ବେଶି ଖୁସି ଥିବା ଦେଖାଯାଏ। ଅଭିଭାବକ ୟୁନିଫର୍ମ ରେଡି କରିବା ସହ ବହି ବସ୍ତାନି ବି ପିଲାଙ୍କ ପାଇଁ ସଜାଡିଲେଣି। ଘରେ ରହି ପିଲାଏ ଏକ ପ୍ରକାର ବୋର୍ ହୋଇଯାଉଥିଲେ। ଏଭଳି ସମୟରେ ସ୍କୁଲ୍ ଖୋଲିବାକୁ ସରକାରଙ୍କ ଘୋଷଣା ପରେ ସ୍କୁଲ୍‌ରେ ବି ଆରମ୍ଭ ହେଲାଣି ପ୍ରସ୍ତୁତି। ବିଶୋଧନ ସହ ସାମାଜିକ ଓ ଶାରୀରିକ ଦୂରତା କିଭଳି ବଜାୟ ରହିବ ତା’ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ୍‌ ଖୋଲୁଥିଲେ ବି ଅନ୍‌ଲାଇନ୍ ପାଠପଢା କିନ୍ତୁ ଜାରି ରହିବ। ଯେଉଁ ପିଲା ସ୍କୁଲ୍ ଆସିବାକୁ ଚାହିଁବେ ସେମାନେ ଅଭିଭାବକଙ୍କଠାରୁ ଅନୁମତି ପତ୍ର ସାଙ୍ଗରେ ଆଣି ଆସିବେ।

ଗତକାଲି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟ, ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସହ ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଗାଇଡ୍‌ଲାଇନ୍ ଅନୁଯାୟୀ ହେବ। ତେବେ ଫେବୃଆରୀ ୧୪ରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ପରେ ସ୍କୁଲ୍‌ରେ ଗହଳି ହେବା ନିଶ୍ଚିତ। ସେଥିପାଇଁ ବିଭାଗ ପକ୍ଷରୁ ଘୋଷଣା ହୋଇଛି ଶିକ୍ଷାଦାନ ସମୟ ସାରଣୀ। ସକାଳ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିବ ପ୍ରଥମରୁ ଅଷ୍ଟମ କ୍ଲାସ୍। ତେବେ ନବମରୁ ଦ୍ୱାଦଶ ଶ୍ରେଣୀରେ ସକାଳ ୧୦ରୁ ଅପରାହ୍ନ ୪ଟା ଯାଏଁ ଅର୍ଥାତ୍ ନିୟମିତ କ୍ଲାସ୍‌ ଭଳି ପାଠପଢ଼ା ଚାଲିବ।

Advertisment

ସେପଟେ କୋଭିଡ୍ କୋପ ସମ୍ପୂର୍ଣ୍ଣ କମି ନ ଥିବାରୁ ପ୍ରଥରୁ ସପ୍ତମ ଶ୍ରେଣୀ ଖୋଲିବା ନିଷ୍ପତ୍ତିର ପୁନଃର୍ବିଚାର ଲାଗି ଦାବି କରିଛି ଉତ୍କଳ ଅଭିଭାବକ ସଂଘ। କାରଣ କୋମଳମତି ପିଲାମାନେ କୋଭିଡ୍‌ ନିୟମ ପାଳନ ଠିକ ଭାବେ ହୁଏତ କରି ନ ପାରନ୍ତି ବୋଲି ସଂଘ ଯୁକ୍ତି ଦର୍ଶାଇଛି। ସେପଟେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ପିଲାଙ୍କଠାରେ ଓମିକ୍ରନ୍‌ ସଂକ୍ରମଣ ଭୟାବହତା କମ୍। ଏବେ ଅନୁକୂଳ ପରିସ୍ଥିତି ଥିବାରୁ ସ୍କୁଲ୍‌ ଖୋଲାଯାଇପାରେ। କିନ୍ତୁ ସତର୍କତାର ଯଥେଷ୍ଟ ଆବଶ୍ୟକତା ରହିଛି।

ତେବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ଗାଇଡ୍‌ଲାଇନ୍‌ରେ ୬ ତାରିଖରୁ ପିଲାଙ୍କ ପାଇଁ ହଷ୍ଟେଲ୍ ଖୋଲିବାକୁ ନିର୍ଦ୍ଦେଶ ଆସିଛି।

ରିପୋର୍ଟ: ରାଉରକେଲାରୁ ପବନ ତିଓ୍ୱାରୀ, କୋଇଡାରୁ ସୁନୀଲ ପଣ୍ଡା, କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଜଗଦୀଶ ଦାସ

Odisha News
Advertisment
Advertisment